ଦିନେ ଶ୍ରୀ ନିତ୍ୟାନନ୍ଦ ମହାପ୍ରଭୁ ଓ ଶ୍ରୀ ହରିଦାସ ଠାକୁର ନଦିଆଦାଣ୍ଡରେ ହରିନାମ ସଂକୀର୍ତ୍ତନ ଓ ଶ୍ରୀ ଚୈତନ୍ୟଙ୍କ ବାଣୀ ପ୍ରଚାର କରି ନାଚି ନାଚି ଚାଲିଥାନ୍ତି l ସେମାନେ ଏକ ସ୍ଥାନରେ ଦେଖିଲେ ପ୍ରବଳ ଲୋକ ସମାଗମ l ଲୋକେ ରୁଣ୍ଡ ହୋଇ ଉଚ୍ଚଵାଚ ପାଟିତୁଣ୍ଡ କରୁଛନ୍ତି l ସେମାନେ ପଚାରି ଜାଣିବାକୁ ପାଇଲେ ଜଗାଇ ମାଧାଇ ନାମକ ଦୁଇ ମଦ୍ୟପ ଭାଈ ମାତାଲ ହୋଇ ସେଠି ଶାନ୍ତିଭଙ୍ଗ କରୁଛନ୍ତି l ଆହୁରି ମଧ୍ୟ ଜାଣିବାକୁ ପାଇଲେ ଯେ ସେ ଦୁଇ ଭାଈ କୁଳୀନ ବ୍ରାହ୍ମଣକୂଳ ସମ୍ଭୁତ ମାତ୍ର କୁସଙ୍ଗରୁ ସେମାନେ ଏମିତି ଅତ୍ୟାଚାରୀ ହୋଇ ଯାଇଛନ୍ତି l ସେମାନେ ମାଂସାସୀ, ବ୍ୟଭିଚାରୀ l ଦସ୍ୟୁ ବୃତ୍ତି ଆପଣାଇ ଜୀବନ ନିର୍ବାହ କରୁଛନ୍ତି l କୁସଙ୍ଗରୁ ନରକ ଗତି ଏକଥା ଶ୍ରୀମଦ ଭାଗବତ ପ୍ରମାଣ କରିଛନ୍ତି ନିମ୍ନ ବାଣୀରେ :-
ଉତ୍ତମ ସଙ୍ଗେ ସଙ୍ଗ ଯାର l
ସେ କରେ ଉତ୍ତମ ବେଭାର ll
ହୀନ ସଙ୍ଗତେ ହୀନ ଗତି l
ହସି କହନ୍ତି ଯଦୁ ପତି ll
ଜଗାଇ ମାଧାଇଙ୍କ ଏ କଥା ନିତ୍ୟାନନ୍ଦ ମହାପ୍ରଭୁ ଜାଣିଲା ପରେ ଭାବିଲେ ଏ ଦୁଇ ପତିତ ଜୀବଙ୍କୁ ଉଦ୍ଧାର କରିବା ଉଚିତ l ପାପୀ ଜୀବନରୁ ଏ ଦୁଇ ଜୀବ ଉଦ୍ଧାର ପାଇଲେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମହିମା ଆହୁରି ମହିମାନ୍ବିତ ହୋଇ ଯିବ l ଏକଥା ଭାବି ପ୍ରଭୁ ନିତ୍ୟାନନ୍ଦ ଏବଂ ହରିଦାସଠାକୁର ସେ ଭିଡ଼ ଭିତରେ ପଶି ଜଗାଇ ମାଧାଇଙ୍କୁ ଶ୍ରୀହରିଙ୍କ ଦିବ୍ୟ ନାମ ଉଚ୍ଚାରଣ ପାଇଁ କହିଲେ l ହରି ନାମ ଉଚ୍ଚାରଣ କରିବେ କ’ଣ !ଏହାଶୁଣି ମଦ୍ୟପ ଦୁଇ ଭାଈ ରାଗି ଯାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମାରି ଗୋଡ଼ାଇଲେ l ପ୍ରାଣବିକଳରେ ପ୍ରଭୁ ନିତ୍ୟାନନ୍ଦ ଏବଂ ହରିଦାସ ସେଠାରୁ ଦଉଡ଼ି ଦଉଡ଼ି ପଳାଇ ଗଲେ l ସଂଧ୍ୟା ବେଳେ ଚୈତନ୍ୟ ମହାପ୍ରଭୁ ଏମାନେ ଏପରି ପାପୀ ଉଦ୍ଧାର କାର୍ଯ୍ୟ କରୁଥିବା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ l ପର ଦିନ ପୁଣି ନିତ୍ୟାନନ୍ଦ ଓ ହରିଦାସ ଠାକୁର ଦୁଇ ଭାଇଙ୍କୁ ଦେଖିବାକୁ ଗଲେ l ଗଲା ବେଳେ ମନେ ମନେ ଭାବୁଥିଲେ ଗତ କାଲି ଜଗାଇ ମାଧାଇଙ୍କ କାନରେ ହରିନାମ ପଡ଼ିଛି, ତାଙ୍କର ନିଶ୍ଚୟ କିଛି ପରିବର୍ତ୍ତନ ହୋଇଥିବ l କିନ୍ତୁ ତାଙ୍କ ଠାରେ କିଛି ପରିବର୍ତ୍ତନ ହୋଇଥିବା ସେ ଦେଖିବାକୁ ପାଇଲେ ନାହିଁ l ନିତ୍ୟାନନ୍ଦଙ୍କୁ ଦେଖିବା କ୍ଷଣି ଦୁଇ ଭାଇଙ୍କ ଭିତରୁ ଜଣେ ତାଙ୍କ ଉପରକୁ ଜୋରରେ ଗୋଟିଏ ମାଟିପାତ୍ର ଫିଙ୍ଗିଲା l ପାତ୍ରଟି ନିତ୍ୟାନନ୍ଦ ପ୍ରଭୁଙ୍କ କପାଳରେ ଜୋରରେ ଆଘାତଦେବାରୁ ଧାରଧାର ରକ୍ତ ଝରିବାରେ ଲାଗିଲା l ପ୍ରଭୁ ନିତ୍ୟାନନ୍ଦ କିଛି ବ୍ୟସ୍ତ ନ ହୋଇ ତାଙ୍କୁ କହିଲେ,” ତୁମେ ମୋତେ ପଥର ମାରିଲ, କିଛି ଯାଏ ଆସେ ନାହିଁ, ତୁମକୁ ମୁଁ ପୁଣି ଅନୁରୋଧ କରୁଛି, ଭଗବାନ ଶ୍ରୀ ହରିଙ୍କ ଦିବ୍ୟ ନାମ ଥରେ ମାତ୍ର ଉଚ୍ଚାରଣ କର l” ମାଡ଼ ଖାଇ ପ୍ରଭୁଙ୍କ କପାଳରୁ ରକ୍ତ ଝରୁଛି ଅଥଚ ପ୍ରଭୁ ଏମିତି ପ୍ରେମରେ କଥା କହୁଛନ୍ତି l ସେ ପ୍ରଭୁଙ୍କର ଏ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା l ଏହି ଆଶ୍ଚର୍ଯ୍ୟ ହେବାହିଁ ତା’ର ପ୍ରଥମ ଦିନର ହରି ନାମ ଶ୍ରବଣର ପ୍ରଭାବ ଥିଲା l ସେ ଆଉ କାଳ ବିଳମ୍ବ ନ କରି ପ୍ରଭୁଙ୍କ ପାଦତଳେ ଲୋଟି ପଡ଼ିଲା l ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିବା ସହିତ ପାପୀ ଭାଈ ମାଧାଇକୁ ମଧ୍ୟ କ୍ଷମା କରିବାକୁ କହିଲା l ପରଦିନ ଭାଈ ମାଧାଈ ପୁଣି ତାଙ୍କୁ ଦ୍ୱିତୀୟ ବାର ଆକ୍ରମଣ କରି ରକ୍ତାକ୍ତ କରିଦେଲା l ଜଗାଇ ତାକୁ ଯେତେ କହିଲେ ମଧ୍ୟ ସେ କ୍ଷମା ମାଗିଲା ନାହିଁ l
ନିତ୍ୟାନନ୍ଦ ମହାପ୍ରଭୁଙ୍କ ଆଘାତ ପ୍ରାପ୍ତ ହେବାକଥା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ କର୍ଣ୍ଣ ଗୋଚର ହେବାରୁ ସେ ତତ୍କ୍ଷଣାତ ଜଗାଇ ମାଧାଇଙ୍କ ନିକଟକୁ ଧାଇଁ ଆସିଲେ l କିଛି ନ କହି ଅତି ପ୍ରେମ ଭରେ ଦୁଇ ଭାଇଙ୍କୁ ଆଲିଙ୍ଗନ କଲେ l ପ୍ରଭୁଙ୍କର ଅଙ୍ଗ ସ୍ପର୍ଶ ପାଇ ଦୁଇ ଭାଈଙ୍କ ଦେହରେ ଦିବ୍ୟ ପୁଲକ ଜାତ ହେଲା l କୁହାଯାଇଛି,”ଏ ଜୀବ ସାଧୁ ସଙ୍ଗ ବିନୁ l ଲଭି ନ ପାରେ ଦିବ୍ୟ ତନୁ l” ମହାପ୍ରଭୁଙ୍କ ଦିବ୍ୟ ସ୍ପର୍ଶ ପାଇ ଦୁଇ ଭାଇଙ୍କର ଦିବ୍ୟ ଅନୁଭୂତି ହୋଇ ତାଙ୍କ ମନରେ ଭବାନ୍ତର ଜାତହେଲା l ସେମାନେ ମହାପ୍ରଭୁଙ୍କ ଶରଣ ଯାଇ ନିଜର ସେହି କୁକର୍ମକୁ ପରିତ୍ୟାଗ ପୂର୍ବକ ଅବଶିଷ୍ଟ ଜୀବନକୁ ହରି ନାମ ସଂକୀର୍ତ୍ତନରେ ଉତ୍ତମ ଭାବେ ବିତାଇଲେ l ଏହା ଥିଲା ହରିନାମ କୀର୍ତ୍ତନ ଓ ସାଧୁ ସଙ୍ଗର ପ୍ରଭାବ l ଏହି ଘଟଣାର ସ୍ମୃତିବହନ କରି ଏବେ ବି ବିରାଜ ମାନ କରୁଛି ନବଦ୍ୱୀପର ଗଙ୍ଗା ତଟରେ ଜଗାଇ ମାଧାଇ ଘାଟ ଓ କଥା ରହିଛି :-
“ହରିବୋଲ ବୋଲ ଭାଈ, ହରିବୋଲ ଭାଈ,
ହରିବୋଲେ ତରିଗଲେ ଜଗାଇ ମାଧାଇ l”
ମହାପ୍ରଭୁ ଶ୍ରୀଚୈତନ୍ୟ ଓ ପ୍ରଭୁ ନିତ୍ୟାନନ୍ଦ ଥିଲେ ପ୍ରେମର ମୁର୍ତ୍ତୀମନ୍ତ ଅବତାର l ଦୁହେଁ କଳିଯୁଗର ସାକ୍ଷାତ କୃଷ୍ଣବଳରାମ l କଳିଯୁଗରେ ମନୁଷ୍ୟର ଏକମାତ୍ର ମୋକ୍ଷମାର୍ଗ ନାମ ସଂକୀର୍ତ୍ତନର ପାବନ ଜାହ୍ନବୀ ପ୍ଲାବନ କରି ଥିଲେ ଆର୍ଯ୍ୟାବର୍ତ୍ତ ଭାରତ ଭୂମିରେ ମହାପ୍ରଭୁ ନିତ୍ୟାନନ୍ଦ ଓ ଶ୍ରୀଚୈତନ୍ୟ l ଏଣୁ ସଂକୀର୍ତ୍ତନରେ ବୋଲାଯାଏ :-
” ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ,
ହରେକୃଷ୍ଣ ହରେରାମ ଶ୍ରୀ ରାଧେଗୋବିନ୍ଦ ”
ଶ୍ରୀ ହରିଙ୍କ ନାମ ସ୍ମରଣରେ ଅଶେଷ ଦୁରିତ ଦୂର ହୁଏ l ଦରକାର, ଭଗବାନଙ୍କ ଠାରେ ଆପଣାର ସମର୍ପଣ l ଜାଣତ କିମ୍ବା ଅଜାଣତରେ ହରି ନାମ ସ୍ମରଣ କରି ମୋକ୍ଷଲାଭ ପାଇଥିବା ବହୁ କାହାଣୀ ପୁରାଣ ମାନଙ୍କରେ ଆମ୍ଭେ ପଢ଼ିଛୁ ଓ ଏବେ ମଧ୍ୟ ଏପରି ଘଟଣାମାନ ଘଟୁଛି l ଗୋବିନ୍ଦସ୍ମରଣ କରି ମୁକ୍ତି ପାଇଥିଲା ପାଷାଣୀ ଅହଲ୍ୟା, ଗଜରାଜ ଓ ପାପୀ ଅଜାମିଳ l ପୁଣି ଗୋବିନ୍ଦ ରଖିଥିଲେ କୁରୁ କୁଳବଧୁ ପାଞ୍ଚାଳୀର ମାନ l ଅଜାମିଳ ହରିଙ୍କୁ ନ ଜାଣି ମୃତ୍ୟୁଶଯ୍ୟାରେ ନିଜ ପୁତ୍ରନାମ ‘ନାରାୟଣ’ ଉଚ୍ଚାରଣ କରି ମୋକ୍ଷଲାଭ କରିଥିଲା ଯାହାପାଇଁ କଥା ରହିଛି :-
ଅଜାମିଳ ନାମେ ସେ ମହାପାପୀ l
ତରିଗଲା ପୁତ୍ର ନାମକୁ ଜପି ll
ହରି ହରାଏ ନମଃ କୃଷ୍ଣ ଗୋବିନ୍ଦାୟ ନମଃ !
🙏🙏🙏
ଅର୍ଜୁନୀ
———————
ଅର୍ଜୁନୀ ଚରଣ ବେହେରା
ମୋ – 7693091971