ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍ଙ୍କ ୧୦% ନୂଆ ଟାରିଫ୍ ଘୋଷଣା କରିଛନ୍ତି । ଏହି ଶୁଳ୍କ ଆଗାମୀ ପାଞ୍ଚ ମାସ ପାଇଁ କାର୍ଯ୍ୟକାରୀ ହେବ । ଏହି ଅତିରିକ୍ତ ଶୁଳ୍କ ଫେବୃଆରୀ ୨୪ ତାରିଖ ଦିନ ଲାଗୁ ହେବ।
ଟ୍ରମ୍ପ ଏକ ବ୍ରିଫିଂରେ କହିଛନ୍ତି ଯେ, ସେ ୧୯୭୪ର ବାଣିଜ୍ୟ ଆଇନର ଧାରା ୧୨୨ଅନୁଯାୟୀ ନୂତନ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି, ଯାହା ବିଦ୍ୟମାନ ଶୁଳ୍କ ସହିତ ଅତିରିକ୍ତ ହେବ । ଏହି ଶୁଳ୍କ ଆଂଶିକ ଭାବରେ ୧୯୭୭ର ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ ଅନୁଯାୟୀ ଲାଗୁ ହୋଇଥିବା ୧୦ରୁ ୫୦ ପ୍ରତିଶତ ଶୁଳ୍କକୁ ପ୍ରତିସ୍ଥାପିତ କରିବ, ଯାହାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ । ଟ୍ରମ୍ପ ପରେ Truth Social ରେ କହିଥିଲେ ଯେ ସେ ସମସ୍ତ ଦେଶ ଉପରେ ଶୁଳ୍କ ଲାଗୁ କରିବା ପାଇଁ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି, ଯାହା ପ୍ରାୟ ତୁରନ୍ତ କାର୍ଯ୍ୟକାରୀ ହେବ ।
ଧାରା ୧୨୨ଅନୁଯାୟୀ, ରାଷ୍ଟ୍ରପତିଙ୍କୁ “ମୁଖ୍ୟ ଏବଂ ଗମ୍ଭୀର” ଦେୟ ସନ୍ତୁଳନ ସମସ୍ୟାର ସମାଧାନ ପାଇଁ ୧୫୦ଦିନ ପର୍ଯ୍ୟନ୍ତ ଯେକୌଣସି ଦେଶ ଉପରେ ୧୫ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର ଅନୁମତି ଦିଆଯାଇଛି । ଉଲ୍ଲେଖନୀୟ ଯେ, ଏହା କେବେବି ଲାଗୁ କରାଯାଇନାହିଁ । ଏଥିପାଇଁ କୌଣସି ତଦନ୍ତ କିମ୍ବା ଅନ୍ୟ ପ୍ରକ୍ରିୟାଗତ ସୀମାବଦ୍ଧତା ଆବଶ୍ୟକ ନାହିଁ । ରାୟ ପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ, ସେ କହିଛନ୍ତି ଯେ ରାୟ ପରେ ମଧ୍ୟ ସମସ୍ତ ଶୁଳ୍କ କାର୍ଯ୍ୟକାରୀ ରହିବ ।