ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ।

0

ରାୟଗଡା : ବନ୍ଧୁ ମିଳନ ନା ରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ବିଜୁ ଜନତା ଦଳର ଶକ୍ତି ପ୍ରଦର୍ଶନ। ବ୍ଲକ ସଭାପତି କରୁଣାକର ଶବରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମୀଙ୍କୁ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଦଳ ପକ୍ଷରୁ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କିତ ୯ ଦଫା ସମ୍ବଳିତ ଏକ ସ୍ମାରକପତ୍ର ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ପ୍ରଥମେ ସ୍ଥାନୀୟ ମୁଚୁକିପଦର ଛକ ଠାରୁ ବିଜେଡି କର୍ମୀ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲେ। ହଜାର ହଜାର କର୍ମୀ ଏହି ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ପ୍ରଶାସନର ମନମୁଖୀ ଶାସନ ଓ ସରକାରୀ ଅବହେଳା ବିରୋଧରେ ଗର୍ଜିଥିଲେ। ପରେ ଏହି ଶୋଭାଯାତ୍ରା ଖିଲାମଣ୍ଡା ଏବଂ ଇନ୍ଦୁପୁର ଦେଇ ସଭାସ୍ଥଳରେ ପହଞ୍ଚି ଥିଲା। ସଭାସ୍ଥଳୀରେ ଦଳର ନୂତନ ପଦାଧିକାରୀ ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଜେଡିର ଏକ ପ୍ରତିନିଧି ଦଳ ବିଡିଓଙ୍କୁ ଭେଟି ଅଞ୍ଚଳର ଜ୍ୱଳନ୍ତ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବୀ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ପଦ୍ମପୁରକୁ ବିଜ୍ଞପ୍ତି ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ, ଆଗାମୀ ଗ୍ରୀଷ୍ମ ଋତୁ ପୂର୍ବରୁ ମେଗା ପାନୀୟ ଜଳ ପ୍ରକଳ୍ପ ସମାପ୍ତ କରିବା, ଦୀର୍ଘ ଦିନରୁ ପଡ଼ି ରହିଥିବା ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଏବଂ ଯୁବବର୍ଗଙ୍କ ପାଇଁ ମିନି ଓ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି।

ସେହିପରି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବଡ଼ନାଳ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, ଧାନ ସଂଗ୍ରହରେ ଟୋକନ୍ ସମସ୍ୟାର ସମାଧାନ ଏବଂ ୨୦୨୬ ରବି ଧାନ ସଂଗ୍ରହ ପଞ୍ଜୀକରଣ ତୁରନ୍ତ ଆରମ୍ଭ କରିବାକୁ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏଥି ସହ କେନ୍ଦୁଗୁଡା, ବଡନାଳ, ନୀଳକଣ୍ଠେଶ୍ୱର ଓ ମଲ୍ଲିକେଶ୍ୱର ମନ୍ଦିରକୁ ରାଜ୍ୟ ପର୍ଯ୍ୟଟନ ସର୍କିଟରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କ କାର୍ଯ୍ୟଶୈଳୀରେ ଲୋକେ ଅତିଷ୍ଠ ହୋଇ ପୁଣି ଥରେ ବିଜେଡିକୁ ଖୋଜୁଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ପୁଣି ଶୀର୍ଷକୁ ଫେରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ​ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସଭାନେତ୍ରୀ ଅନୁସୟା ମାଝୀ, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ଶତାଧିକ କର୍ମୀ ଓ ନୂତନ ପଦାଧିକାରୀ ଉପସ୍ଥିତ ଥିଲେ।

ତେବେ ଯଦି ଏହି ନାର୍ଯ୍ୟ ଦାବିଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.