୮ଟି ଦେଶରେ ୯୦୦ରୁ ଅଧିକ କାର୍‌ର ଟାୟାର୍‌ ପଙ୍କ୍‌ଚର୍‌ କରିଦେଲେ ଜଳବାୟୁକର୍ମୀ

ନୂଆଦିଲ୍ଲୀ: ସୋମବାର ରାତି ଓ ମଙ୍ଗଳବାର ବଡ଼ି ସକାଳ ମଧ୍ୟରେ ‘ଦି ଟାୟାର୍‌ ଏକ୍‌ଷ୍ଟିଙ୍ଗୁଇର୍ସ’ ନାମରେ ଏକ ପରିବେଶୀୟ କର୍ମୀ ସଙ୍ଗଠନ ପ୍ରାୟ ୯୦୦ଟି ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌’ (ଏସ୍‌ୟୁଭି) ଟାୟାର୍‌ରୁ ହାୱା ବାହାର କରିଦେଇଛନ୍ତି ବୋଲି କହିଥିବା କଥା ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।

‘ଦି ଗାର୍ଡିଆନ୍‌’ ରିପୋର୍ଟ ଅନୁସାରେ, ରାତିରେ ଉପରୋକ୍ତ ସଙ୍ଗଠନ ‘ଏସ୍‌ୟୁଭି’ ବିରୁଦ୍ଧରେ ବୃହତ୍ତମ ରାତ୍ରକାଳୀନ ଅଭିଯାନ’ ଚଳାଇ ବିଶ୍ବବ୍ୟାପୀ ୯୦୦ରୁ ଅଧିକ ‘ଏସ୍‌ୟୁଭି’ କାର୍‌ ଟାୟାର୍‌ରୁ ପବନ ବାହାର କରିଦେଇଛନ୍ତି। ଇଂଲଣ୍ଡ୍‌ରେ ସର୍ବାଧିକ ୩୪୦ଟି ‘ଏସ୍‌ୟୁଭି’ ଟାୟାର୍‌ରୁ ପବନ ବାହାର କରାଯାଇଥିବା ବ‌େଳେ ସ୍ବିଜର୍‌ଲାଣ୍ଡ୍‌ରେ ୧୭୨, ଜର୍ମାନିରେ ୧୨୪ଟି, ଫ୍ରାନ୍‌ସ୍‌ରେ ୧୧୨ଟି, ସ୍ବିଡେନ୍‌ରେ ୭୨ଟି, ଆମେରିକାରେ ୫୨ଟି ଏବଂ ଅଷ୍ଟ୍ରେଲିଆରେ ୧୧ଟି ‘ଏସ୍‌ୟୁଭି’ ଟାୟାର୍‌ରୁ ହାୱା କଢ଼ାଯାଇଛି।

ଏହି ସଙ୍ଗଠନ ନେଦର୍‌ଲାଣ୍ଡ୍‌ସ୍‌ର ଆମ୍‌ଷ୍ଟର୍‌ଡାମ୍‌ ଓ ଏନ୍‌ସେଡ୍‌, ଫ୍ରାନ୍‌ସ୍‌ର ପ୍ୟାରିସ୍‌ ଓ ଲିୟନ୍, ଜର୍ମାନିର ବର୍ଲିନ୍‌, ବନ୍‌, ଏସେନ୍‌, ହାନୋଭର୍‌ ଏବଂ ସାର୍‌ବ୍ରକେନ୍‌, ଇଂଲଣ୍ଡ୍‌ର ଲଣ୍ଡନ୍‌ ଓ ଡୁଣ୍ଡି, ସ୍ବିଡେନ୍‌ର ମାଲ୍‌ମ‌ୋ, ଅଷ୍ଟ୍ରିଆର ଇନ୍‌ସ୍‌ବ୍ରୁକ୍‌, ସ୍ବିଜର୍‌ଲାଣ୍ଡ୍‌ର ଜୁରିକ୍‌ ଓ ୱିଣ୍ଟର୍‌ଥର୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କରେ ‘ଏସ୍‌ୟୁଭି’ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

‘ଦି ଟାୟାର୍‌ ଏକ୍‌ଷ୍ଟିଙ୍ଗୁଇର୍ସ’ ମୁଖପାତ୍ର ମେରିଅନ୍‌ ୱାକର୍‌ କହିଛନ୍ତି, ଆମେ ଦେଖାଇ ଦେବାକୁ ଚାହୁଁ ଯେ, ବିଶ୍ବର ନଗରୀଗୁଡ଼ିକରେ ବଡ଼ ବଡ଼ କାର୍‌ର ରାଜୁତିର ଅବସାନ ନିମନ୍ତେ ଯେ କେହି, ଯେ କୌଣସି ସ୍ଥାନରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏଥିପାଇଁ ସେମାନଙ୍କର ଆବଶ୍ୟକ ଗୋଟାଏ ‘ଲିଫ୍‌ଲେଟ୍‌’ ଓ ଗୋଟାଏ ମସୁର ଦାନା। ଆମର ଆନ୍ଦୋଳନ ବ୍ୟାପକ ହୋଇ ଚାଲିବ। ପ୍ରସାରିତ ହୋଇଯିବା ପରେ ଏହାକୁ ରୋକାଯାଇ ପାରିବ ନାହିଁ।

‘ଦି ଟାୟାର୍‌ ଏକ୍‌ଷ୍ଟିଙ୍ଗୁଇର୍ସ’ ‘ଏସ୍‌ୟୁଭି’ ଅର୍ଥବାନ ଓ ସୌଭାଗ୍ୟବନ୍ତଙ୍କ ଅନାବଶ୍ୟକ ‘ସୌଖିନ ବିକିରଣ’ କହି ସମାଲୋଚନା କରିବା ସହିତ ଉକ୍ତ ଗାଡ଼ିକୁ ଜଳବାୟୁ ଦୁର୍ବିପାକ ବୋଲି ବିବେଚନା କରୁଛନ୍ତି।

Comments are closed.