କୁଲର୍‌ ଉପରେ ମହମବତୀ ଲଗାଇ ଶୋଇଥିଲେ ୨ ଶ୍ରମିକ,୨ଜଣ ଶ୍ରମିକଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଲୁହୁରାଢ଼ିପାରେ। ମୃତ ଶ୍ରମିକ ଦ୍ୱୟ ହେଲେ ଦିଲୀପ ଓ ମିଠୁ। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରି ଥାନା ଅନ୍ତର୍ଗତ ବାଉଁରି ମୁଣ୍ଡା ଗାଁରେ।

ଦିଲୀପ ଓ ମିଠୁ ଲୁହୁରାଢିପାରେ ଏକ ଭଡ଼ା ନେଇ ରହୁଥିଲେ। ସେଠାରେ ରହି କାମଧନ୍ଦା କରୁଥିଲେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଦିଲୀପ ଓ ମିଠୁ କୁଲର ଉପରେ ଏକ ମହମବତୀ ଲଗାଇ ଶୋଇ ପଡ଼ିଥିଲେ। ମହବତୀରୁ ନିଆଁ କୁଲରରେ ଲାଗିଯାଇଥିଲା। ଏହା ପରେ ନିଆଁ ଘରର ସିଲିଙ୍ଗରେ ଲାଗିଯାଇଥିଲା। ଦିଲୀପ ଓ ମିଠୁଙ୍କ ନିଦ ଭାଙ୍ଗିଲା ବେଳକୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ସେମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଘରୁ  ବାହାରି ପାରି ନଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ସ୍ଥାନୀୟ ଲୋକେ ମିଠୁ ଓ ଦିଲୀପଙ୍କୁ କାମକୁ ଯିବା ପାଇଁ କବାଟ ବାଡ଼େଇ ଡାକିଥିଲେ। ହେଲେ ସେମାନେ ଶୁଣି ନଥିଲେ। ପରେ ସ୍ଥାନୀୟ ଲୋକେ କବାଟ ତାଡ଼ି ଘରେ ପଶି ଦେଖିଲା ବେଳକୁ ମିଠୁ ଓ ଦିଲୀପଙ୍କ ମୃତଦେହ ଅଧା ପୋଡ଼ା ଅବସ୍ଥା ପଡ଼ିଥିଲା। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ଓ ତଦନ୍ତ ଜାରି ରଖିଛି।

Comments are closed.