ଖୁସିଖବର: ଖାଇବା ତେଲ, ଆଳୁ-ପିଆଜ ସମେତ ୧୧ ସାମଗ୍ରୀର କମିଲା ମୂଲ୍ୟ, ସରକାର ଦେଲେ ସୂଚନା

ନୂଆସିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ପାର୍ବଣ ଋତୁରେ ଆସିଛି ବଡ଼ ଖୁସିଖବର । ସାରାଦେଶରେ ଖାଇବା-ପିଇବା ସାମଗ୍ରୀର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସରକାର ସୋମବାର ଦିନ କହିଛନ୍ତି ଯେ, ଗୋଟିଏ ମାସ ଭିତରେ ୧୧ଟି ଆବଶ୍ୟକୀୟ ଖାଇବା ସାମଗ୍ରୀର ମୂଲ୍ୟ ୨ରୁ ୧୧% ପର୍ଯ୍ୟନ୍ତ ହ୍ରାସ ପାଇଛି । ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟରରେ ଲେଖିଛନ୍ତି ଯେ, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି

। ଏଥିରେ ପରିବାରକୁ ମାସିକ ବଜେଟରେ ଆରାମ ମିଳିଛି । ଗତ ମାସର ଦ୍ୱିତୀୟ ଦିନରେ ପାମ୍ ଅଏଲର ମୂଲ୍ୟ ସର୍ବାଧିକ ୧୧ ପ୍ରତିଶତ ହ୍ରାସ ପାଇ ଲିଟର ପିଛା ୧୧୮ ଟଙ୍କାରେ ପହଞ୍ଚିଛି । ଏହା ବ୍ୟତୀତ ବନସ୍ପତି ଘିଅର ମୂଲ୍ୟ ଛଅ ପ୍ରତିଶତ ହ୍ରାସ ପାଇ କିଲୋ ପିଛା ୧୫୨ ରୁ ୧୪୩ ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ମଧ୍ୟ ୬ ପ୍ରତିଶତ ହ୍ରାସ ପାଇ ୧୭୬ ରୁ ୧୬୫ ଟଙ୍କା ଲିଟର ହୋଇଥିବାବେଳେ ସୋୟାବିନ ତେଲର ମୂଲ୍ୟ ୫ ପ୍ରତିଶତ ହ୍ରାସ ପାଇ ୧୫୬ ରୁ ୧୪୮ ଟଙ୍କା ହୋଇଛି ।

ସେହିପରି ସୋରିଷ ତେଲର ମୂଲ୍ୟ ଲିଟର ପିଛା ୧୭୩ ରୁ ୧୬୭ ହୋଇଛି । ଗ୍ରାଉଣ୍ଡନାଟ୍ ତେଲ ମୂଲ୍ୟ ଦୁଇ ପ୍ରତିଶତ ହ୍ରାସ ପାଇ ଲିଟର ପିଛା ୧୮୯ରୁ ୧୮୫ ଟଙ୍କା ହୋଇଛି । ପିଆଜ ଦର ୮ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୨୬ ଟଙ୍କାରୁ ୨୪ ଟଙ୍କାକୁ କମିଛି । ଏଥିସହିତ ଆଳୁର ମୂଲ୍ୟ ସାତ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୨୮ ଟଙ୍କାରୁ ୨୬ ଟଙ୍କା ହୋଇଛି ।

ଏହା ସହ ବୁଟଡାଲି ୪ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୭୧ ଟଙ୍କା, ମସୁର ଡାଲି ୩ ପ୍ରତିଶତ ହ୍ରାସ ପାଇ ୯୪ ଟଙ୍କା ଏବଂ ହରଡ ଡାଲ ୨ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୧୦୬ ଟଙ୍କା ହୋଇଛି ।

Comments are closed.