ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣ
==============
ଭଗବାନ ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜ୍ଜୁନ ଅତି ଖିନ୍ନ ମନା ହୋଇ ଦ୍ୱାରକାରୁ ଫେରିଆସି ନିଜ ଭାଇମାନଙ୍କୁ ଯଦୁବଂଶ ଧ୍ଵଂସ, ଶ୍ରୀକୃଷ୍ଣ ବଳରାମଙ୍କ ଦେହ ତ୍ୟାଗ ଓ ଦ୍ଵାରକା ଜଳମଗ୍ନ ହେବାର ସମ୍ବାଦ ଜଣାଇଲେ l ଦ୍ଵାରକାରୁ ଫେରିଲା ବେଳେ ପଥରେ ତାଙ୍କ ସାକ୍ଷାତ ହୋଇ ଥିଲା ବ୍ୟାସଦେବଙ୍କ ସହିତ l ମହର୍ଷି ତାଙ୍କୁ କହିଥିଲେ, ଯଦୁବଂଶକୁ ରକ୍ଷା କରିବା ଓ ଦ୍ଵାରକାକୁ ସମୁଦ୍ରଗ୍ରାସରୁ ରକ୍ଷାକରିବାର ସାମର୍ଥ୍ୟ ଶ୍ରୀକୃଷ୍ଣଙ୍କର ଥିଲା l ମାତ୍ର, ସେ ତାହା କଲେ ନାହିଁ l କାରଣ କାଳର ଗତି ଆଲଂଘନୀୟ l ବର୍ତ୍ତମାନ ତୁମ ମାନଙ୍କ କାର୍ଯ୍ଯ ମଧ୍ୟ ସମାପ୍ତ ହୋଇଛି l ତୁମେମାନେ ଅବିଳମ୍ବେ ମହା ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହୁଅ l ଏକଥା ମଧ୍ୟ ଅର୍ଜ୍ଜୁନ ଯୁଧିଷ୍ଠିରଙ୍କୁ ଜଣାଇ ଦେଲେ l
ଏସବୁ କଥା ଶୁଣିଲାପରେ ଧର୍ମରାଜ ଯୁଧିଷ୍ଠିର ଆଉ କ୍ଷଣେମାତ୍ର ରାଜପଣ କରିବାକୁ ଇଚ୍ଛା କଲେ ନାହିଁ l ସେ ପୌତ୍ର ପରୀକ୍ଷିତଙ୍କୁ ରାଜ ମୁକୁଟ ଅର୍ପଣ କଲେ ଓ ତାଙ୍କ ଭାର ଧୃତରାଷ୍ଟ୍ରଙ୍କ ପୁତ୍ର ଯୁଯୁତ୍ସୁ ଏବଂ ଗୁରୁ କୃପାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତକଲେ l ସେ ସୁଭଦ୍ରାଙ୍କୁ କହିଲେ,ଏବେ ପରୀକ୍ଷିତ ହସ୍ତିନାର ରାଜା l ଆଗରୁ ମୁଁ କୃଷ୍ଣଙ୍କ ନାତି ବଜ୍ରକୁ ଇନ୍ଦ୍ରପ୍ରସ୍ଥରେ ରାଜା କରିଛି l ଏ ଦୁହେଁ ତୁମକୁ ଲାଗିଲେ l
ଯୁଧିଷ୍ଠିର ଦ୍ରୌପଦୀ ଓ ଚାରିଭାଇଙ୍କ ସହିତ ବଳ୍କଳ ପରିଧାନ ପୂର୍ବକ ଆରଣ୍ୟକ ବ୍ରତରେ ବାହାରିଲେ l ସେ ସାଥିରେ ଆଉ କାହାକୁ ଯିବାକୁ ଦେଲେନାହିଁ l ଅର୍ଜୁନଙ୍କ ନାଗପତ୍ନୀ ଉଲ୍ଲୁପି ଗଙ୍ଗାରେ ପ୍ରବେଶକରି ପାତାଳ ଚାଲିଗଲେ l ତାଙ୍କ ଅନ୍ୟ ପତ୍ନୀ ଚିତ୍ରାଙ୍ଗଦା ମଣିପୁରକୁ ଫେରି ଗଲେ l ତାଙ୍କ ସହିତ ସହଯାତ୍ରୀ ହେଲା ଗୋଟିଏ କୁକୁର l ସେମାନେ ବହୁ ଜନପଦ ନଗର, ନଦୀ,ପର୍ବତ, ଅରଣ୍ୟ ଅତିକ୍ରମ କରି ଯାଇ ପୂର୍ବ ଅମ୍ବୁଧି କୂଳରେ ପହଁଚିଲେ l ସେଠାରେ ତାଙ୍କ ସାକ୍ଷାତ ହେଲା ଅଗ୍ନିଦେବଙ୍କ ସହ l ଅର୍ଜୁନଙ୍କୁ ଅଗ୍ନି କହିଲେ,ହେ ଅର୍ଜୁନ, ଏ ସଂସାରରେ ତୁମର କାର୍ଯ୍ୟ ଶେଷ ହୋଇଯାଇଛି l ମୁଁ ଖାଣ୍ଡବଦହନ ସମୟରେ ତୁମକୁ ଯେଉଁ ଗାଣ୍ଡିବ ଧନୁ ଦେଇଥିଲି ତାହା ତୁମେ ମୋତେ ଫରାଇ ଦିଅ l ତାହା ବରୁଣଙ୍କ ଧନୁ l ସେ ଅପେକ୍ଷା କରି ରହିଛନ୍ତି l ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ମଧ୍ୟ ଆଉ ନାହିଁ l ତାହା ବୈକୁଣ୍ଠକୁ ଫେରିଯାଇଛି l ଅର୍ଜୁନ ଅଗ୍ନିଦେବତାଙ୍କୁ ପ୍ରଣାମ କରି ତାଙ୍କ ଗାଣ୍ଡୀବ ଧନୁ ଏବଂ ଅକ୍ଷୟ ତୁଣୀରକୁ ପୂର୍ବ ବାରିଧିର ଅତଳ ଜଳ ରାଶିକୁ ନିକ୍ଷେପ କଲେ l
ଏହାପରେ ପାଣ୍ଡବ ମାନେ ପଶ୍ଚିମ ବାରିଧି ପର୍ଯ୍ୟନ୍ତ ଯାତ୍ରାକରି ସେଇଠୁ ଯାଇ ନଗାଧିରାଜ ହିମାଳୟର ଉତ୍ତୁଙ୍ଗ ଶିଖରକୁ ଆରୋହଣ କରିବାକୁ ଲାଗିଲେ l ସେମାନେ ଦ୍ରୁତ ବେଗରେ ଚାଲିଥାନ୍ତି କ୍ଳାନ୍ତ ବିବଶା ଦ୍ରୌପଦୀଙ୍କ ଗୋଡ଼ଖସି ସେ ପର୍ବତର ତଳକୁ ଖସି ପଡ଼ିଲେ l ମାତ୍ର ଯୁଧିଷ୍ଠିର ପଛକୁ ନ ଚାହିଁ ଆଗେଇ ଚାଲିଲେ l ପରେପରେ ନକୁଳ, ସହଦେଵ, ଅର୍ଜୁନ ଓ ଭୀମଙ୍କର ମଧ୍ୟ ପତନ ହେଲା l ମାତ୍ର ଯୁଧିଷ୍ଠିର କାହା ପ୍ରତି ଦୃଷ୍ଟିପାତ ନ କରି ଆଗେ଼ଇ ଚାଲିଲେ l ତାଙ୍କ ପଛରେ ଚାଲିଥାଏ ସେହି କୁକୁରଟି l
ଯୁଧିଷ୍ଠିର ବହୁ ଉପରକୁ ଚଢ଼ି ଯାଇଛନ୍ତି ଦେବରାଜ ଇନ୍ଦ୍ର ଆସି ପହଁଚିଲେ ଓ ତାଙ୍କୁ ରଥରେବସ ବୋଲି କହିଲେ l ଯୁଧିଷ୍ଠିର କହିଲେ,ଦେବରାଜ, ମୋ ସହ ଦ୍ରୌପଦୀ ଓ ମୋ ଭାଇ ମାନେ ଯାତ୍ରା କରୁଥିଲେ l ସେମାନେ ସମସ୍ତେ ଜଣକୁ ଜଣ ଟଳି ପଡ଼ିଲେ l ମୁଁ ଏକାକୀ ରଥରେ ଯିବାକୁ ମନ ହେଉନାହିଁ l
ଇନ୍ଦ୍ର କହିଲେ, ଯୁଧିଷ୍ଠିର ! ତୁମେ କେବଳ ଏହି ମର ଶରୀରର ଭାରଯୋଗୁଁ ଆଗକୁ ଯାଇ ପାରିଲନାହିଁ l ତୁମ ଆଗରୁ ଦ୍ରୌପଦୀ ଓ ତୁମ ଭାଇମାନେ ମନୁଷ୍ୟ ଶରୀରରୁ ମୁକ୍ତ ହୋଇ ସ୍ବର୍ଗରେ ପହଞ୍ଚି ସାରିଲେଣି l ଆସ, ଶୀଘ୍ର ଯାଇ ସେମାନଙ୍କ ସହିତ ମିଳିତ ହୁଅ l ଯୁଧିଷ୍ଠିର ରଥ ଆରୋହଣ କଲେ l କୁକୁରଟି ସଙ୍ଗେ ସଙ୍ଗେ ଡେଇଁପଡ଼ି ରଥରେ ବସିଗଲା l କୁକୁରଟାକୁ ଇନ୍ଦ୍ର ରଥରେ ବସାଇ ନେବାକୁ ମନା କରିଦେଲେ l ଯୁଧିଷ୍ଠିର କହିଲେ, ଏହି କୁକୁରଟି ମୂଳରୁ ମୋ ସହ ଆସୁଛି l ମୁଁ କ’ଣ ଏତେ ସ୍ବାର୍ଥପର ଯେ ତାକୁ ଛାଡ଼ି ଚାଲି ଯିବି l ଏହା କହି ସେ ଓହ୍ଲାଇ ପଡ଼ିଲେ l
ସଙ୍ଗେ ସଙ୍ଗେ ସେ କୁକୁରଟି କେଉଁ ଆଡ଼େ ଅନ୍ତର୍ହିତ ହୋଇ ସେଠାରେ ଛିଡ଼ାହେଲେ ଜଣେ ଜ୍ୟୋତିଷ୍ମାନ୍ ପୁରୁଷ l ସେ ଥିଲେ, ଧର୍ମ l ଧର୍ମ ଦେବତା କହିଲେ, ବତ୍ସ ! ମୁଁ ତୁମର ପରୀକ୍ଷା ନେଉଥିଲି l ଏହା ତୁମର ଦ୍ୱିତୀୟ ପରୀକ୍ଷା l ଆଶ୍ରିତ ପ୍ରାଣୀକୁ କେବେହେଲେ ତ୍ୟାଗ ନକରିବା କେବଳ ତୁମରି ପରି ମହତ ବ୍ୟକ୍ତି ପକ୍ଷରେ ସମ୍ଭବ l ତୁମକୁ ପ୍ରଥମଥର ପାଇଁ ପରୀକ୍ଷା କରିଥିଲି ମୁଁ ଦ୍ବୈତବନ ଯକ୍ଷ ସରୋବର କୂଳରେ l ସେତେବେଳେ ମୁଁ ତୁମର ମୃତ ଚାରିଭାଇଙ୍କ ମଧ୍ୟରୁ ଜଣକୁ ବଞ୍ଚାଇଦେବି ବୋଲି କହିବାରୁ ତୁମେ କୁନ୍ତୀ ପୁତ୍ର ଭୀମ ଅର୍ଜ୍ଜୁନଙ୍କୁ ନ ଚାହିଁ ଚାହିଁଥିଲ, ମାଦ୍ରୀପୁତ୍ର ସହଦେଵଙ୍କୁ l ଏବେ ତୁମେ ଗୋଟିଏ କୁକୁର ପାଇଁ ସ୍ୱର୍ଗଯାନ ତ୍ୟାଗ କଲ l ଏହା ହିଁ ତୁମର ଧର୍ମନିଷ୍ଠା l ଏଥିପାଇଁ ତୁମେ ସଶରୀରେ ସ୍ୱର୍ଗପ୍ରାପ୍ତ ହେବ ଯାହା କୌଣସି ମନୁଷ୍ୟକୁ ମିଳିନାହିଁ l
ଯୁଧିଷ୍ଠିର ଇନ୍ଦ୍ର ଯାନରେ ବସି, ସଶରୀରେ ସ୍ବର୍ଗରେ ପ୍ରବେଶ କଲେ l ମରଣଶୀଳ ସବୁ ମନୁଷ୍ୟକୁ ନର୍କ ଦର୍ଶନ କରିବାକୁ ପଡ଼ିଥାଏ l ଏଣୁ ସେଠାରେ ତାଙ୍କୁ ଇନ୍ଦ୍ରଙ୍କ ମାୟାରୁ ପୁଣି ନର୍କଦର୍ଶନ କରିବାକୁ ହେଲା l ଏହାପରେ ଯୁଧିଷ୍ଠିର ମରଶରୀର ତ୍ୟାଗକରି ଦିବ୍ୟ ବପୁରେ ଚିରନ୍ତନ ସ୍ୱର୍ଗସୁଖ ଭୋଗ କଲେ l
ମହାଭାରତର ଯୁଧିଷ୍ଠିରଙ୍କ ସଶରୀରେ ସ୍ୱର୍ଗ ଗମନ ଉପାଖ୍ୟାନକୁ ସଂକ୍ଷେପରେ ବର୍ଣ୍ଣନା କରି ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚଦଶ ଅଧ୍ୟାୟରେ କହିଲେ :-
ପଞ୍ଚ ଦଶରେ ଯୁଧିଷ୍ଠିର l
ଆଗମ ଦେଖିଣ କଳିର ll
ପରୀକ୍ଷେ ଦେଇ ରାଜ୍ୟଭାର l
ସ୍ୱର୍ଗେ ଚଳିଲେ ନୃପବର ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Next Post
Comments are closed.