ପ୍ରତ୍ୟୁତ୍ପନ ମତି ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମରେ ୧୭୮୩ମସିହା ଜାନୁଆରୀ ମାସ ଆଠ ତାରିଖରେ ଜନ୍ମ ଗ୍ରହଣ କରିଥିଲେ l ସେ ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ ରଚନା କରିଛନ୍ତି l ଯଦୁମଣିଙ୍କ ରଚନା ଶୈଳୀ ରୀତି ଯୁଗୀୟ ଓ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ l ଆହୁରି ନିଜର ହାସ୍ୟୋଦ୍ଦୀପକ ଛୋଟ ଛୋଟ ଗୀତ ଓ ଆଶୁକବିତ୍ୱ ଲାଗି ଯଦୁମଣି ଓଡ଼ିଶାର ପୁରପଲ୍ଲୀରେ ପ୍ରସିଦ୍ଧ l ତାଙ୍କର କବିତାର ପଦ ଗୁଡ଼ିକ ପାଠକର ମନରେ ଘଣ୍ଟାର ଧ୍ୱନୀ ପରି ଠନ ଠନ ଆବାଜ ସୃଷ୍ଟି କରେ l ଏଣୁ ସେ ଉତ୍କଳ ସାହିତ୍ୟ ଆକାଶରେ ଉତ୍କଳଘଣ୍ଟ ନାମରେ ବିଦିତ l
ଗଞ୍ଜାମ ଆଠଗଡ଼ ରାଜସଭାରେ ମୁକୁନ୍ଦ ମହାପାତ୍ର ନାମକ ଜଣେ କୁଶଳୀ ଚିତ୍ରକାର ଓ ସ୍ଥପତି ବାସ କରୁଥିଲେ l ସେ ରଣପୁର ଗଡ଼ର ଯୋଶୀ ରତ୍ନାକରଙ୍କ କନ୍ୟା ଶୋଭାଙ୍କୁ ବିବାହ କରିଥିଲେ l ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ଶୋଭାଙ୍କର ସନ୍ତାନ ନ ହେବାରୁ ଉଭୟେ ଯଦୁକୃଷ୍ଣ ନାମକ ଶ୍ରୀକୃଷ୍ଣଙ୍କ ବିଗ୍ରହଙ୍କୁ ଆରାଧନା କରି 1781 ମସିହା ଜାନୁଆରୀ ଆଠ ତାରିଖ ଦିନ ଯଦୁମଣିଙ୍କୁ ପୁତ୍ର ରୂପେ ପ୍ରାପ୍ତ ହୋଇଥିଲେ l ପ୍ରଭୁ ଯଦୁକୃଷ୍ଣଙ୍କ ଆଶିଷରୁ ପୁତ୍ର ପ୍ରାପ୍ତି ହୋଇଥିବାରୁ ମୁକୁନ୍ଦ ପୁଅର ନାମ ଯଦୁମଣି ରଖିଥିଲେ l ସ୍ଥପତି ବା ବଢ଼େଇ ବଂଶରେ ଜନ୍ମଲାଭ କରିଥିବାରୁ ଯଦୁମଣି ପ୍ରତିମା ନିର୍ମାଣ ଓ ଚିତ୍ରାଙ୍କନ ଇତ୍ୟାଦିରେ ଦକ୍ଷ ଥିଲେ l ବଢ଼େଇ ଜାତିରେ ଜନ୍ମିତ ଥିବାରୁ ଆରମ୍ଭରେ ସେ ଅନେକ ନିର୍ଯ୍ୟାତିତ ହୋଇଥିଲେ ମଧ୍ୟ ପରେ ପ୍ରଗାଢ଼ ପାଣ୍ଡିତ୍ୟ ଯୋଗୁଁ ସେ ବିଭିନ୍ନ ରାଜ ଦରବାର ମଣ୍ଡନ କରିଥିଲେ l ଏହି କଥାକୁ ସେ ପ୍ରବନ୍ଧ ପୂର୍ଣଚନ୍ଦ୍ର କାବ୍ୟର ପ୍ରଥମ ଭାଗରେ ଲେଖିଛନ୍ତି :-
ଶୂଦ୍ରମୁଖୁ ଏ ହୋଇଛି ବାହାର l
ରୌଦ୍ରତା ବହି କେହି ନ ବିଚାର l
ବିଧୁ ବିଧୁନ୍ତୁଦ ଉଚ୍ଛିଷ୍ଟ ଜଣା l
ଶିବେ ବାଜେ ଚନ୍ଦ୍ରଚୂଡ଼ ବାଜଣା,
ସେ ପଦ୍ମା ପତିଙ୍କର ପଦ ଯେ,
ସମ୍ଭବ ସମ୍ପଦ ପଦାର୍ଥରେ ବ୍ୟର୍ଥ
ଖଣ୍ଡିବାର ଅପବାଦ ଯେ ll
ଅର୍ଥାତ,ଏହି ଗ୍ରନ୍ଥ ଜଣେ ଶୂଦ୍ରର ମୁଖରୁ ପ୍ରକାଶ ହୋଇଛି ବୋଲି କେହି ରୌଦ୍ର ଭାବରେ ବିଚାର କର ନାହିଁ l ଚନ୍ଦ୍ର ରାହୁର ଉଚ୍ଛିଷ୍ଟ ହେଲେ ସୁଦ୍ଧା ମହାଦେବଙ୍କ ମସ୍ତକରେ ଶୋଭାପାଉଛି, ସେହିପରି ଏହି କାବ୍ୟ କୃଷ୍ଣ-ବିଷ୍ଣୁଙ୍କ ଚରିତ ହୋଇଥିବାରୁ ସବୁ ଅପବାଦରୁ ଊର୍ଦ୍ଧ୍ୱରେ l
ଯଦୁମଣିଙ୍କ ମାତା ଶୋଭା ଦେବୀ ଛାନ୍ଦ ଓ ପୁରାତନ ସାହିତ୍ୟରେ ନିପୁଣ ଥିବାରୁ ବାଲ୍ୟକାଳରୁ ଯଦୁମଣି ଏସବୁ ଶୁଣିବାର ସୁଯୋଗ ପାଇଥିଲେ l ସେ ବାର ବର୍ଷ ବୟସରେ ଇଟାମାଟି ନିକଟ ମାନ୍ଧାତା ପୁରର ଜଣେ ସଂସ୍କୃତ ପଣ୍ଡିତ ବିଦ୍ୟାଧର ମହାପାତ୍ରଙ୍କ ନିକଟରେ ସଂସ୍କୃତ ଶିକ୍ଷା ଆରମ୍ଭ କରିଥିଲେ l ଚାରି ବର୍ଷ ଅଧ୍ୟୟନ ପରେ ସେ ପଣ୍ଡିତ ମହାପାତ୍ରଙ୍କ ଠାରୁ ଉପଦେଶ ପାଇ ଘୁମୁସରର କବିରାଜ ବାହିନୀପତିଙ୍କ ପାଖକୁ ଯାତ୍ରା କରିଥିଲେ l
କବିରାଜ ବାହିନୀପତି ଜଣେ ବିଖ୍ୟାତ ପଣ୍ଡିତ ଥିଲେ l ଯଦୁମଣି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ l ସେ ଶିଷ୍ୟ ଯଦୁମଣିଙ୍କ ଏକାଗ୍ରତା ପରୀକ୍ଷା କରିବା ପାଇଁ ତାଙ୍କୁ ହୟଗ୍ରୀବ ମନ୍ତ୍ର ସାଧନା କରିବା ପାଇଁ ନିର୍ଦ୍ଦେଶ ଦେଲେ l ତାଙ୍କର ନିର୍ଦ୍ଧେଶ ଥିଲା ଦଶ ଲକ୍ଷଵାର ଏହି ମନ୍ତ୍ର ଜପ କରିବା ପାଇଁ l ଶହେ ଦଶ ଦିନ ମନ୍ତ୍ରଜପ କରିବା ଉତ୍ତାରୁ ଯଦୁମଣି ଜ୍ୱର ପୀଡ଼ିତ ହୋଇ ଦଶଲକ୍ଷ ଥର ମନ୍ତ୍ର ଜପ କରିପାରି ନଥିଲେ l ଏଣୁ ସେ ଆରାଧ୍ୟ ଦେବତାଙ୍କ ଅନୁକମ୍ପା ଲାଭ କରିପାରି ନଥିଲେ ଓ ଜୀବନସାରା ଦରିଦ୍ର ହୋଇ ରହିଥିଲେ ବୋଲି ଜନଶ୍ରୁତି ରହିଛି l ଅଠର ବର୍ଷ ବୟସରେ ଯଦୁମଣି ଘୁମୁସରରୁ ଫେରିଲା ବେଳେ ଦଶପଲ୍ଲାର କୁଞ୍ଜଗଡ଼କୁ ଯାଇଥିଲେ l ସେଠାରେ ତାଙ୍କର ଅଜା ରହୁଥିଲେ l କୁଞ୍ଜଗଡ଼ରେ ପିଣ୍ଡିକ ରାୟଗୁରୁ ନାମକ ବିଖ୍ୟାତ ଶାସ୍ତ୍ରବିତ୍ଙ୍କ ସହ ଯଦୁମଣିଙ୍କ ପରିଚୟ ହୋଇଥିଲା l ରାୟଗୁରୁଙ୍କ ସଂସ୍ପର୍ଶରେ ଆସି ଶାସ୍ତ୍ର,ପୁରାଣ,କାବ୍ୟଚର୍ଚ୍ଚା ଇତ୍ୟାଦିରେ ବ୍ୟାପୃତ ରହି ସେଥିରେ ସେ ପାରଦର୍ଶିତା ହାସଲ କରିଥିଲେ l
ଯଦୁମଣି ପ୍ରତିଦିନ ରାୟଗୁରୁଙ୍କ ଘରେ ପୁରାଣ ଗାନ କରୁଥିଲେ l ଶୁଣିବା ପାଇଁ ସେଠାକୁ ଅନେକ ଲୋକ ଆସନ୍ତି l ଏମାନଙ୍କ ମଧ୍ୟରୁ ରଘୁନାଥ ସୂତ୍ରଧରଙ୍କ ଝିଅ ଖଞ୍ଜନା ମଧ୍ୟ ଆସେ l କ୍ରମେ ଖଞ୍ଜନାଙ୍କ ସହିତ ଯଦୁମଣିଙ୍କ ସମ୍ପର୍କ ଗଢ଼ି ଉଠି ବିବାହରେ ପରିଣତ ହେଲା l ଖଞ୍ଜନା ନୃତ୍ୟ ନିପୁଣା ଓ ସୁଗାୟିକା ଥିଲେ l କବିଙ୍କ ରଚିତ ବହୁ ଚଉପଦୀ ଓ ଗୀତ ପରେ ଖଞ୍ଜନାଙ୍କ ଲାଗି ଉଦ୍ଦିଷ୍ଟ ହୋଇଥିଲା l
ଯଦୁମଣି ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ସଭାରେ ସଭା ଓ ରାଜକବି ଥିଲେ l ସେ କବିସୂର୍ଯ୍ୟ ବଳଦେବ ରଥଙ୍କର ସମକାଳୀନ ଥିଲେ l ଉଭୟଙ୍କ ମଧ୍ୟରେ ଭଲ ସୁହୃଦତା ଥିଲା l ଆଶୁକବି ଯଦୁମଣିଙ୍କର ୧୮୬୮ସାଲରେ ପରଲୋକ ହୋଇଥିଲା l
ଯଦୁମଣି ଦୁଇଗୋଟି ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ ରଚନା କରିଛନ୍ତି,ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣଚନ୍ଦ୍ର l ରାଘବ ବିଳାସ ରାମାୟଣ ଆଧାରିତ କାବ୍ୟ ଓ ଏହା ୪୧ଟି ଛାନ୍ଦରେ ଲିଖିତ l ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟ ଆଠଗୋଟି କଳାରେ ରଚିତ ଏବଂ କୃଷ୍ଣଲୀଳା ଆଧାରିତ l ଏହା ଛଡ଼ା ଯଦୁମଣି ଆହୁରି କେତେକ ଭଜନ,ଚଉପଦୀ ମଧ୍ୟ ରଚନା କରିଛନ୍ତି । ସେ ଖଣ୍ଡପଡ଼ା ଓ ନୟାଗଡ଼ର ରାଜାଙ୍କୁ ଭଣିତା କରି କେତେକ ଗୀତ ରଚନା କରିଥିବା ଜଣାଯାଏ l ସେ ରଚିତ ଗୀତ ଗୁଡିକର ସାଙ୍ଗୀତିକତାକୁ ବଜାୟ ରଖିବା ପାଇଁ ସେସବୁଥିରେ ଗାୟନର ରାଗ ତାଳ ଆଦି ନିର୍ଦ୍ଦେଶ କରିଛନ୍ତି l ନିର୍ଦ୍ଧେଶ କରିଥିବା ରାଗ ଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲେ ତୋଡ଼ି ପରଜ, ପୂରବୀ,ରସ କେଦାର, ମୁଖାବରୀ, ଆହାରି, କଲ୍ୟାଣ, ପରଜ, କାଫି, ସାରଙ୍ଗ, ସୁରଠ, ଆଶାବରୀ, ଯମକରାଜ, ଆଷାଢ଼ ଶୁକ୍ଳ, ମଙ୍ଗଳ ଗୁଜ୍ଜରୀ, ଭାଟିଆରି ଏବଂତାଳରେ ସରିମାନ,ଝୁଲା,ଆଠତାଳୀ,ଏକତାଳୀ, ଆଡ଼ଖେମଟା ଇତ୍ୟାଦି l ତାଙ୍କ କାବ୍ୟର ଛାନ୍ଦ ଗୁଡ଼ିକ ପାରମ୍ପରିକ ଓଡ଼ିଆ ଛନ୍ଦ ବୃ୍ତ୍ତରେ ରଚିତ l
ହାସ୍ୟରସିକ, ପ୍ରତ୍ୟୁତ୍ପନମତି ଓ ଆଶୁ କବି, ଯଦୁମଣିଙ୍କ ଜୀବନ ଘଟଣା ବହୁଳ ଓ ବହୁ କିମ୍ବଦନ୍ତୀରେ ପୂର୍ଣ୍ଣ l ପ୍ରାସଙ୍ଗିକତା ଦୃଷ୍ଟେ ଗୁରୁତ୍ୱପୂର୍ଣ୍ଣ ମାନଙ୍କ ମଧ୍ୟରୁ କେତୋଟିର ଅବତାରଣା କରୁଛି l
କବି ଯଦୁମଣି ଥରେ ସସ୍ତ୍ରୀକ ଜଗନ୍ନାଥ ଦର୍ଶନରେ ଶ୍ରୀକ୍ଷେତ୍ର ଯାଇଥିଲେ l ସେତେବେଳେ ତାଙ୍କର ଏକ ମାତ୍ର ପୁତ୍ରର ମୃତ୍ୟୁ ହୋଇଥାଏ l ଶ୍ରୀକ୍ଷେତ୍ରରେ ସମ ଦୁଃଖୀ କବିସୂର୍ଯ୍ୟ ବଳଦେବଙ୍କ ସହିତ ତାଙ୍କର ଭେଟ ହେଲା l ସମଦୁଃଖୀ ଦୁହେଁ ତାଙ୍କର ପାଣ୍ଡିତ୍ୟ ପୂର୍ଣ୍ଣ ଭାଷାରେ ମହାପ୍ରଭୁଙ୍କୁ ଦୁଃଖ ଜଣାଇଲେ l ବଳଦେବ ତାଙ୍କର ବ୍ୟାଜସ୍ତୁତି ସର୍ପ ଜଣାଣ ” ବାଧିଲା ଜାଣି କ୍ଷମା କର ନୋହିଲେ ରମା ରମଣ ଦଣ୍ଡେ ଦିଅ ଟାଳି ” ଗାଇଲେ l ଯଦୁମଣି ଗାଇଲେ :-
ନୀଳାଚଳ କଳାକର ତାରଣ ମାରଣ ଧୀର
କହ ପ୍ରଭୁ ସତ କି ଏ ମିଛ l
ଦେଲ ଯାହା ନେଲ ତାହା ଏଥକୁ କିମ୍ପାଇଁ ମହା
ଦାତା ପଣେ ପତାକା ବାନ୍ଧିଛ ll
ନ ମାନି କରି ରମାକୁ ଅକିଞ୍ଚନ ସୁଦାମାକୁ
ବିପୁଳ ସମ୍ପଦେ ମଣ୍ଡି ଦେଲ l
ବଳି ବଳିଷ୍ଠ ବଳୀକି ଅକଳିତ ବିଭୁତିକି
ଦଳିତ କରରେ କରି ଥିଲ ll
ଦ୍ରୁପଦ ରାଜ ନନ୍ଦନା ମହତ୍ତ୍ୱ ହର ବେଦନା
ବିନାଶନେ ହେଲ ଧନ୍ଵନ୍ତରୀ l
ଗୋକୁଳ କଳ ଧଉତ ଗୋଉରାଙ୍ଗୀଙ୍କ ମହତ୍ତ୍ୱ
ବେଈଥିବା ସକାଶରୁ କରି ll
ଗଭୀର ଜଳେ କୁମ୍ଭୀର ଗଳଗ୍ରହଣେ କୁମ୍ଭୀର
ରକ୍ଷା କଲ ସିନା କକ୍ଷା ବହି l
ଓଜଶୀଳ ଭୋଜ ଗଜ ଜୀବନ ହରଣେ ତେଜ
ଅର୍ପଣ କଲ କୃପଣ ନୋହି ll
ଏହା ଉଦ୍ଧରଣେ ଯେବେ କୃପା ବସିଅଚ୍ଛି ଲବେ
ତେବେ ସିନା ଦାନୀ ବୋଲାଇବ l
ପରମ ପାତକୀ ଶ୍ରେଣୀ ଶିରୋମଣି ଯଦୁମଣି
ମନ ତିଳେ ନେଇ ନ ପାରିବ ll
ଏହି କବିତାଟି ବୋଲିବା ପରେ ଚିର ହାସ୍ୟମୁଖ ଯଦୁମଣିଙ୍କ ଚକ୍ଷୁରୁ ସେଦିନ ଅଭିମାନଭରା ଶୋକାଶ୍ରୁ ସ୍ରବି ଯାଇଥିଲା l
ଯଦୁମଣି ଦିନେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଯାଉଥିଲା ବେଳେ ତାଙ୍କର ଜଗନ୍ନାଥ ରାୟଗୁରୁ ନାମକ ଜଣେ ପଣ୍ଡିତଙ୍କ ସହିତ ଭେଟ ହେଲା l ରାୟଗୁରୁ ମହାଶୟ ଯଦୁମଣିଙ୍କ ସୌମ୍ୟ ଚେହେରା ଓ ପାଣ୍ଡିତ୍ୟ ଭରା ଠାଣି ଦେଖି କୌତୁହଳି ହୋଇ ତାଙ୍କର ପରିଚୟ ଜିଜ୍ଞାସା କଲେ l ଯଦୁମଣି ତାଙ୍କୁ ଉତ୍ତର ଦେଇ ଗାଇଲେ :-
ହୟଗ୍ରୀବ ମହାପ୍ରଭୁ ପ୍ରତାପେ l
ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ l
ଯୋଡ଼ା ହେବା ମୋ ପ୍ରୌଢ଼ୀ କବିତାକୁ l
ବଳି ବଳି ରସ ଦାନୀ କର୍ଣ୍ଣକୁ l
ଭଲେ ଭଲ ଖଣ୍ଟେ ଖଣ୍ଟ,
ନବ ଦୁର୍ବାଦଳ ଶ୍ୟାମଳ କୃପାରୁ
ମୋ ନାମ ଉତ୍କଳ ଘଣ୍ଟ ll
ଥରେ ଯଦୁମଣି ଆଠଗଡ ରାଜାଙ୍କ ଅତିଥି ହୋଇ କିଛିଦିନ ଗଡ଼ରେ ଅବସ୍ଥାନ କରିଥିଲେ l ସେତେବେଳେ ବିଶି ପ୍ରହରାଜ ବୋଲି ଜଣେ ପଣ୍ଡା ବ୍ରାହ୍ମଣ ସେଠାରେ ସଙ୍ଗୀତର ଆଖଡ଼ା ଜମାଇ ବଡ଼ ପ୍ରସିଦ୍ଧି ଅର୍ଜନ କରିଥିଲେ l ଯଦୁମଣି ତାଙ୍କର ଦିନେ ଅତିଥି ହୋଇ ତାଙ୍କ ଘରେ ରାତ୍ରି ଯାପନ କରୁଥାନ୍ତି l ରାତ୍ରିରେ ଡେବିରି ଆଲୁଅରେ ବସି ଦୁହେଁ ଦୁଃଖ ସୁଖ ହେଉଥାନ୍ତି l ଏହି ସମୟରେ ତାଙ୍କ ଚାକର ରାଜାଙ୍କ ଦରବାରରୁ ସମ୍ଭାର ନେଇ ଫେରିଲା l ତା ସହିତ ରାଜାଙ୍କ ଭଣ୍ଡାରୀ ମଶାଲ ଧରି ଆସିଥାଏ l ତାଙ୍କ ଚାକର ରାଜାଙ୍କ ମଶାଲରେ ଆସୁଛି,ଆଉ ପଣ୍ଡିତେ ଡେବିରି ଆଲୁଅରେ ବସିଛନ୍ତି l ଏହାକୁ ଲକ୍ଷ୍ୟକରି ଯଦୁମଣି ସଙ୍ଗେସଙ୍ଗେ ଏକ କବିତା ଆବୃତ୍ତି କଲେ :-
“ଧନ୍ୟ ଆଠଗଡ଼ ଲୀଳାରେ, ବିଶି ପ୍ରହରାଜେ
ଅନ୍ଧାରେ ଆସନ୍ତି ଚାକରଙ୍କ ଆଗେ ହୁଳାରେ”
ରଣପୁର ରାଜଗାଦିକୁ କନ୍ଧଗାଦି ବୋଲି କୁହାଯାଏ l ରାଜାଙ୍କର ମଧ୍ୟ ସେହିଭଳି ବହୁତ ଅନ୍ଧ ବୁଝାମଣା ଥାଏ l ଥରେ ଯଦୁମଣି ରାଜାଙ୍କୁ ଗୋଟିଏ ବିଷ୍ଣୁ ପ୍ରତିମାକୁ ପାଟ କନାରେ ଗୁଡ଼ାଇ ଉପହାର ସ୍ୱରୂପ ଦେଲେ l ରାଜା ଯଦୁମଣିଙ୍କ ଧୂର୍ତ୍ତ ପ୍ରକୃତି ଉପରେ ଭରସି ନ ପାରି କନାଗୁଡ଼ା ହୋଇଥିବା ବିଷ୍ଣୁ ପ୍ରତିମାଟିକୁ ତଳେ ରଖିଦେଲେ l ଯଦୁମଣି ଏହାକୁ ଦେଖି ଗୀତଟିଏ ଗାଇଲେ :-
ଅନ୍ଧ ଦେଶକୁ ଗଲି ଦର୍ପଣ ବିକି l
କନ୍ଧ ହାତରେ ଦେଲି ଗୋଦାନ ଟେକି ll
ଜଡ଼ା ମଧୁରେ କଲି ଖଡା ରନ୍ଧନ l
କାମୁଡ଼ା ଘୋଡା ମୁଖେ ଦେଲି ଚୁମ୍ବନ ll
ହେ ରାଜା କି କଲ,
ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ll
ଏଥିରେ ରାଜା ଅତ୍ୟନ୍ତ ଅପମାନିତ ହୋଇଥିଲେ ଓ ରଣପୁର ରାଜଦ୍ଵାର ଚିରଦିନ ପାଇଁ କବିଙ୍କୁ ରୁଦ୍ଧ ହୋଇଥିଲା l
ଯଦୁମଣି ଦିନେ ତାଙ୍କ ସଡୁ ଘରେ ଯାଇ ପହଞ୍ଚିଲେ l ସଡୁଙ୍କ ପୁଅ ନାମ ପୁରୁଷୋତ୍ତମ l ସଡୁଙ୍କର କିଛିଦିନ ତଳେ ମୃତ୍ୟୁ ହୋଇ ଥାଏ l ପୁଅଟି ବଡ଼ ଦୂରଦଣ୍ଡ l ବୃଦ୍ଧା ମାଆକୁ ମାରଧର କରେ l ଯଦୁମଣି ଏହା ଜାଣି କହିଲେ :-
ପୁଅ ନାଁ ଦେଲୁ ପୁରୁଷୋତ୍ତମ l
ଏବେ ତୋ ପିଠିରେ ବାଜେ ନିର୍ଧୁମ ll
ଏକଥା ଶୁଣି ପୁଅଟି ସୁଧୁରି ଯାଇଥିଲା ଓ ବୃଦ୍ଧା ମାତାକୁ ଆଉ ମାରଧର କରି ନ ଥିଲା l
ନୟାଗଡ଼ର ରାଜା ଥାନ୍ତି କୃଷ୍ଣ ଭକ୍ତ ରାଣୀ ରାମ ଭକ୍ତ l ଯଦୁମଣି ଦିନେ ଦରବାରରେ ପହଞ୍ଚିଲେ l ରାଣୀ ତାଙ୍କୁ କହିଲେ କବିବର ଏମିତି ଗୋଟିଏ ପଦ୍ୟ କୁହ ଯାହା ଉଭୟ ରାମ ଏବଂ କୃଷ୍ଣ ଦୁହିଁଙ୍କୁ ବୁଝାଉଥିବ l ଯଦୁମଣି ତୁରନ୍ତ ପଦଟିଏ କହିଲେ :-
କୁଜାନାରୀ ସଙ୍ଗେ ପୀରତି କରି l
ପାଣିରେ ପଥର ରଖିଲେ ହରି ll
ଅର୍ଥକରି ବୁଝାଇଦେଲେ,ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ କୁ – ଜା ଅର୍ଥାତ କୁ ରୁ ଯାତ ବା ଭୂମିରୁ ଯାତ ମାଆ ସୀତାଙ୍କୁ ବଲ୍ଲଭି କରି ପଥରରେ ସମୁଦ୍ରରେ ସେତୁବନ୍ଧ ବାନ୍ଧି ଥିଲେ l ପ୍ରଭୁ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ କୁବୁଜା ସହିତ ପ୍ରୀତି କରି ଗୋବର୍ଦ୍ଧନ ଧାରଣ କରିଥିଲେ l
ଏହି ପରି ବହୁ କାହାଣୀ, ଉପଖ୍ୟାନ, ଆଖ୍ୟାୟିକାମାନ ଶୁଣାଯାଏ ଏହି ପ୍ରଚଣ୍ଡ ପ୍ରତିଭାଧର କବିଙ୍କ ସମ୍ବନ୍ଧରେ l ଆଜି ଉତ୍କଳ ସାହିତ୍ୟ ଆକାଶର ଅନ୍ୟତମ ସେହି ଉଜ୍ଜ୍ୱଳ ଜ୍ୟୋତିଷ୍କଙ୍କ ଜନ୍ମଜୟନ୍ତୀ lଏହି ଅବସରରେ ଚିରନମସ୍ୟ କବିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
Comments are closed.