ଭୁବନେଶ୍ବର : ବର୍ଷେ ଭିତରେ ତୁଟିଲାନି ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ବିବାଦ। ଆଜି ମକର ସଂକ୍ରାନ୍ତିରେ ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗତକାଲି ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଛି। ବଡୁ ଓ ସୁଆର ନିଯୋଗ ବିବାଦ ଯୋଗୁଁ ଉପାସରେ ରହିଛନ୍ତି ଲିଙ୍ଗରାଜ। ଏବେ ଯାଏଁ ବାବା ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିପାରିନି ।
ସୂଚନା ଅନୁଯାୟୀ ମକର ଯାତ୍ରା ପାଇଁ ମଙ୍ଗଳବାର ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ହୋଇଥାନ୍ତା। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଦିଅଁଙ୍କ ନବାଙ୍କ ବେଢ଼ା ଶୃଙ୍ଖଳିତ ହେବ କି ନାହିଁ ତାହା ସ୍ପଷ୍ଟ କରିବାକୁ ମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲେ। ମନ୍ଦିର ପ୍ରଶାସନ ତରଫରୁ କୌଣସି ଉତ୍ତର ମିଳିନଥିବା ଶ୍ରୀ ପତି କହିଛନ୍ତି। ସନ୍ଧ୍ୟାଧୂପ ପରେ ଦିଅଁ ନବାଙ୍କ ବେଢ଼ା ହୋଇ ମକର ବେଢ଼ାରେ ବିଜେ କରିଥାନ୍ତି। ଦିଅଁ ନବାଙ୍କ ବେଢ଼ାରେ ବିଜେ କରିବା ପରେ ବଡୁ ସାମନ୍ତରା ଘରୁ କ୍ଷୀର ଅଣାଯାଏ। ଘଣ୍ଟ, ମଶାଲ ଓ ମେଘଡମ୍ବୁର ନେଇ ସାମନ୍ତରାଘରକୁ କ୍ଷୀର ଆଣିବାକୁ ଯାଇଥାନ୍ତି। ସେହି କ୍ଷୀରକୁ ଆଉଟା ଯାଇ ଘୃତ ପ୍ରସ୍ତୁତ ହୁଏ। ମକର ଯାତ୍ରାରେ ଦିଅଁଙ୍କ ଘୃତ କମଳ ଲାଗି ହୁଏ। କିନ୍ତୁ ଗତବର୍ଷ ଦିଅଁଙ୍କ ନବାଙ୍କ ବେଢ଼ାରେ କ୍ଷୀର ଆଉଟାକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା। କ୍ଷୀର ଆଉଟା ବିବାଦ ଯୋଗୁଁ ଦିଅଁଙ୍କ ନୀତି ଆଗକୁ ବଢ଼ି ପାରିନଥିଲା। ମକରଯାତ୍ରା ଦିନ ଦିଅଁଙ୍କୁ ମକର ଚାଉଳ ଭୋଗ ଲାଗି ହୋଇପାରିନଥିଲା। ମକର ସଂକ୍ରାନ୍ତି ଅଗଣିତ ଶ୍ରଦ୍ଧାଳୁ ମକର ଚାଉଳ ଭୋଗ ପାଇବାକୁ ଯାଇ ନିରାଶ ହୋଇ ଫେରିଥିଲେ। ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିବା ସହ ଟ୍ରଷ୍ଟବୋର୍ଡର ସଭାପତିଙ୍କୁ ବିବାଦ ସମାଧାନ କରିବାକୁ କହିଥିଲେ। ତତ୍କାଳୀନ ଟ୍ରଷ୍ଟବୋର୍ଡ ସଭାପତି ଉଭୟ ନିଯୋଗଙ୍କ ସହ ଆଲୋଚନା କରିଥିଲେ।
ଦିଅଁ ୪୬ଘଣ୍ଟା ଉପବାସ ରହିବା ପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା। ଏହି ବିବାଦ ଉପରେ ଗତ ଟ୍ରଷ୍ଟବୋର୍ଡରେ ଆଲୋଚନା ହୋଇଥିଲା। ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲାପାଳ ଉଭୟ ନିଯୋଗଙ୍କ ଯୁକ୍ତିକୁ ଶୁଣିବା ପରେ ଦସ୍ତାବିଜ୍ ଓ ଶାସ୍ତ୍ର ପ୍ରମାଣ ଆଧାରରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୨୦୨୫ ଡିସେମ୍ବର ୨୪ରେ ଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ଶୃଙ୍ଖଳିତ କରିବାକୁ କହିଥିଲେ। ଜିଲାପାଳଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇ ରିଟ୍ ପିଟିସନ ଦାଖଲ କରିଥିଲେ। ସୋମବାର ଉଚ୍ଚ ନ୍ୟାୟାଳୟ ହିନ୍ଦୁ ଦେବୋତ୍ତର ଆଇନର ଧାରା ୪୧ରେ ଦିଅଁଙ୍କ ନୀତିକାନ୍ତି ଉପରେ ସହକାରୀ ଦେବୋତ୍ତର ଆୟୁକ୍ତ ହସ୍ତକ୍ଷେପ କରିବା ଦର୍ଶାଇ ଜିଲାପାଳଙ୍କ ଆଦେଶ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି। ମନ୍ଦିର ପ୍ରଶାସନ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅପରପକ୍ଷେ ଦେବୋତ୍ତର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ନବାଙ୍କବେଢ଼ା ନହୋଇ ଦିଅଁଙ୍କ ନୀତି ବନ୍ଦ ହେବା ସହ ଦିଅଁଙ୍କୁ ଉପବାସ ରହିବାକୁ ପଡ଼ିଛି।
Comments are closed.