ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ୍, ନୂଆ ୟୁନିଫର୍ମ

ଭୁବନେଶ୍ଵର : “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ” କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ୍, ନୂଆ ୟୁନିଫର୍ମ ଏବଂ ନୂଆ ଆଇଡି କାର୍ଡ ଦିଆଯିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘୋଷଣା। ଉତ୍କଳ ଦିବସରୁ ଏହା ମିଳିବ ବୋଲି ଘୋଷଣା କରିଛନ୍ତି ପ୍ରଭାତୀ ପରିଡା। ସ୍ମାର୍ଟ ଫୋନ୍ କମ୍ୟୁନିଟି ରିସର୍ସ ପର୍ସନଙ୍କୁ ମିଳିବ। ୪୬ ହଜାର ସିଆରପିଙ୍କୁ ସ୍ମାର୍ଟ ଫୋନ୍ ମିଳିବ। ମିଶନ ଶକ୍ତି ମହିଳାଙ୍କୁ ଦିଆଯିବାକୁ ଥିବା ଶାଢୀରେ ଓଡ଼ିଆ ଅସ୍ମିତାର ଝଲକ ରହିବ।

ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ “ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଧ ଫେରସ୍ତ”ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଏବଂ ମା’ ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛି। ନୂଆ ସରକାର ଆସିବା ପରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୩୧୮ କୋଟି ୩୦ ଲକ୍ଷ ୧୬ ହଜାର ୨୪୫ ଟଙ୍କା ଦିଆଯାଇଛି। ୫ ଲକ୍ଷ ୪୪ ହଜାର ୪୯୩ ଗୋଷ୍ଠୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି।

ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମଳରେ ୨ ଲକ୍ଷ ୮୦ ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି। ଗୋଷ୍ଠୀ ମାନଙ୍କ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ ଓଡ଼ିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି। ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଯାଇଥାଏ।

Comments are closed.