ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ, ୪୮ ଘଣ୍ଟା ପରେ ବର୍ଷିବ ନିଆଁ

ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।

0

ନୂଆଦିଲ୍ଲୀ : ଇରାନକୁ ଶେଷ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହର୍ମୁଜ ପ୍ରଣାଳୀ ଉପରୁ ଅବରୋଧ ନ ହଟାଇଲେ ୪୮ ଘଣ୍ଟା ମଧ୍ୟରେ ଇରାନ ଉପରେ ‘ନର୍କର ବର୍ଷା’ ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଇରାନ ପାଇଁ ସମୟ ଶେଷ ହୋଇ ଆସୁଛି । ପୂର୍ବରୁ ଦିଆଯାଇଥିବା ୧୦ ଦିନର ସମୟସୀମା ଏପ୍ରିଲ ୬ ତାରିଖରେ ଶେଷ ହେଉଥିବା ବେଳେ, ଏବେ ମାତ୍ର ୪୮ ଘଣ୍ଟା ବାକି ଅଛି । ଯଦି ଇରାନ ହର୍ମୁଜ ପ୍ରଣାଳୀ ଖୋଲିବାକୁ ରାଜି ନହୁଏ, ତେବେ ଆମେରିକା ଭୟଙ୍କର ଆକ୍ରମଣ କରିବ ।

ଗତ ଫେବୃଆରୀ ୨୮ରୁ ଇସ୍ରାଏଲ ସହ ମିଶି ଆମେରିକା ଆରମ୍ଭ କରିଥିବା ଏହି ଅପରେସନର ଲକ୍ଷ୍ୟ ହେଉଛି ଇରାନର କ୍ଷେପଣାସ୍ତ୍ର କ୍ଷମତା ଓ ନୌସେନାକୁ ଧ୍ୱଂସ କରିବା । ଯୁଦ୍ଧକୁ ୫ ସପ୍ତାହ ବିତିଯାଇଥିଲେ ମଧ୍ୟ ଟ୍ରମ୍ପଙ୍କ ରଣନୀତିରେ ବାରମ୍ବାର ପରିବର୍ତ୍ତନ ଦେଖିବାକୁ ମିଳୁଛି । କେତେବେଳେ ସେ ‘ତେଲ’ ପାଇଁ ଏହି ଯୁଦ୍ଧ ନୁହେଁ ବୋଲି କହୁଛନ୍ତି ତ ପୁଣି କେତେବେଳେ ତେଲ କବ୍‌ଜା କରି ସମ୍ପତ୍ତି ବଢ଼ାଇବା କଥା କହୁଛନ୍ତି ।

ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ, ଯେଉଁଠାରୁ ବହୁ ପରିମାଣର ଖଣିଜ ତେଲ ରପ୍ତାନି ହୋଇଥାଏ । ଇରାନ ଏହାକୁ ବନ୍ଦ ରଖିଥିବାରୁ ବିଶ୍ୱ ବଜାରରେ ସଙ୍କଟ ଦେଖାଦେଇଛି । ଟ୍ରମ୍ପ ପ୍ରଥମେ କହିଥିଲେ ଅନ୍ୟ ଦେଶମାନେ ଏହାକୁ ଖୋଲିବେ, କିନ୍ତୁ ଏବେ ସେ କହିଛନ୍ତି ଯେ ୱାଶିଂଟନ୍ ନିଜେ ଏହାକୁ ଖୋଲିବାକୁ ସକ୍ଷମ ।

Leave A Reply

Your email address will not be published.