ଟ୍ରକ ମାଲିକ ସଂଘ ବିବାଦ: ସୀମାରେ ରାସ୍ତାରୋକ

ସୁନ୍ଦରଗଡ଼: କୋଇଲା ପରିବହନ ଭଡ଼ା ଓ ଲୋଡିଂରେ ଛତିଶଗଡ଼ ରାଏଗଡ଼ ଅଞ୍ଚଳର ଟ୍ରକଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରତିବାଦରେ ରାଏଗଡ଼ ଜିଲ୍ଲା ଟ୍ରେଲର ମାଲିକ କଲ୍ଯାଣ ସଂଘ ଓଡ଼ିଶା ସୀମା ଟପରିଆ-ତମନାର ଓ ରେଙ୍ଗାଲପାଲି ଠାରେ ଆନ୍ଦୋଳନ ଆରମ୍ଭ କରିଛି।

ସକାଳ ୧୦ଟାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରୁ ଯାଉଥିବା ଓଡ଼ିଶା ନମ୍ବରର କୋଇଲା ବୋଝେଇ ଗାଡ଼ିଗୁଡ଼ିକୁ ଛତିଶଗଡ଼ରେ ପଶିବାକୁ ଦିଆଯାଉ ନାହିଁ। ସୁନ୍ଦରଗଡ଼, ଝାରସୁଗୁଡା ଅଞ୍ଚଳରେ ଥିବା ଏମସିଏଲ ଓ ଅନ୍ଯ କୋଇଲା ଖଣିରୁ ଛତିଶଗଡ଼ର ରାଏଗଡ଼ ଜିଲ୍ଲାରେ ଥିବା ବିଭିନ୍ନ କଳକାରଖାନାକୁ କୋଇଲା ପରିବହନ ହେଉଥିବାବେଳେ ଓଡିଶା ମାଲିକଙ୍କ ଟ୍ରକଗୁଡିକୁ ସୀମାରେ ଅଟକାଇ ଦିଆଯାଇଛି। ଫଳରେ କୋଇଲାବୋଝେଇ ଶହଶହ ଟ୍ରକ ରାସ୍ତାରେ ଛିଡ଼ା ହୋଇଛି। ସମାନ ଭଡ଼ା ଓ ଲୋଡିଂ ଦାବି କରିଛି ରାଏଗଡ଼ ଟ୍ରଲର ମାଲିକ ସଂଘ।ରାଏଗଡ଼ ସଂଘର ଅଭିଯୋଗ ଅନୁସାରେ, ସମ୍ବଲପୁରର ଖିଣ୍ଡା କୋଇଲା ଖଣିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ଟ୍ରକ ମାଲିକ ସଂଘ ଦାଦାଗିରି କରି ଛତିଶଗଡ଼ର ଗାଡ଼ିଗୁଡ଼ିକୁ ଲୋଡିଂ ଦେଉ ନାହାନ୍ତି। ଏପରିକି ଛତିଶଗଡ଼ର ଗାଡ଼ିଗୁଡ଼ିକୁ ଓଡ଼ିଶା ଗାଡ଼ି ଅପେକ୍ଷା କମ୍ ଭଡ଼ା ଦିଆଯାଉଛି। ଯଦିଓ ଉଭୟ ଓଡ଼ିଶା ଓ ଛତିଶଗଡ଼ ଗାଡ଼ି କୋଇଲା ନେଇ ଛତିଶଗଡ଼ କାରଖାନାକୁ ଆସୁଛି। ଏ ସମ୍ପର୍କରେ ଓଡ଼ିଶା ଟ୍ରକ ମାଲିକ ସଂଘ ସହ ଆଲୋଚନା ପରେ ବି କିଛି ସମାଧାନ ନ ହେବାରୁ ରାଏଗଡ଼ ଜିଲ୍ଲା ଟ୍ରକ ମାଲିକ ସଂଘ ଆନ୍ଦୋଳନର ରାସ୍ତା ବାଛିଥିବା ପ୍ରକାଶ। ସମାଧାନ ନହେବା ଯାଏ ଓଡ଼ିଶାର ଗାଡ଼ିଗୁଡ଼ିକୁ ଛତିଶଗଡ଼ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସଂଘ ସଂଘ ଦୃଢୋକ୍ତି ପ୍ରକାଶ କରିଛି।

Comments are closed.