ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ହଜାର ହଜାର ତ୍ରୁଟି

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ହଜାର ହଜାର ତ୍ରୁଟି ରହିଛି।ଏହା ଆଦୌ କୌଣସି ଉପାୟରେ ମଧ୍ୟ ପାଠ୍ୟ ପୁସ୍ତକ ରୂପେ ଗ୍ରହଣୀୟ ନୁହେଁ। ସରକାର କୋଟିକୋଟି ଟଂକା ଖର୍ଚ୍ଚ କରି ବହି ଛପାଇଲେ। ପିଲାଙ୍କୁ ଏହି ବହିଗୁଡ଼ିକ ଦେଲେ। ପିଲାମାନଙ୍କ ର ଏହା କୌଣସି କାମରେ ଆସିବ ନାହିଁ। ଏହାକୁ ବ୍ୟବହାର କରିଲେ ସେମାନେ ମୁର୍ଖ ହୋଇଯିବେ।ଯାହା ସେମାନଙ୍କ ର ଜ୍ଞାନ ଅଛି ତାହା ମଧ୍ୟ ଲୋପ ପାଇଯିବ। ପାଠ୍ୟ ପୁସ୍ତକର ପ୍ରସ୍ତୁତି ଓ ମୁଦ୍ରଣରେ ଯେଉଁ ତ୍ରୁଟି ହୋଇଛି ଜଣାପଡ଼ୁଛି ତାହା ଇଚ୍ଛାକୃତ।ଏହା ପଛରେ ବିରାଟ ଷଡ଼ଯନ୍ତ୍ର ନିଶ୍ଚିତ ରହିଛି। ପ୍ରଥମେ ଯୁଦ୍ଧକାଳୀନ ଭିତ୍ତିରେ ପିଲାମାନଙ୍କ ନିକଟରେ ସରକାର ତ୍ରୁଟି ଶୂନ୍ୟ ପୁସ୍ତକ ପହଞ୍ଚାଇବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ କରନ୍ତୁ। ଏଥିରେ ସରକାର ଶିକ୍ଷା ବିଭାଗ ସହିତ ପୋଲିସ ବିଭାଗକୁ ଦାୟିତ୍ଵ ଦିଅନ୍ତୁ। ଜିଲ୍ଲାପାଳମାନେ ନୋଡାଲ ଅଫିସର ରୁହନ୍ତୁ। ଗୋଟିଏ ସପ୍ତାହ ମଧ୍ୟରେ ଏହା ହୋଇ ପାରିବ। ଆଜିକାଲି ପ୍ରେସ୍ ଗୁଡ଼ିକ ଅତ୍ୟାଧୁନିକ ହୋଇ ଗଲେଣି। ଓଡ଼ିଶାର କିଛି ବଛା ବଛା ବଡ଼ ପ୍ରେସ ରେ ବହି ଛପାଯାଉ। ସେହିଠାରୁ ରାଜ୍ୟ ନୋଡାଲ ଅଧିକାରୀ ଙ୍କ ଜରିଆରେ ବହି ସିଧା ଜିଲ୍ଲାପାଳ ଙ୍କ ନିକଟକୁ ଆସୁ। ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ବ୍ଳକ୍ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ବିଦ୍ୟାଳୟକୁ ତାଲିକା ମୁତାବକ ବହି ପଠାନ୍ତୁ।ସାରା ରାଜ୍ୟରେ ଯଦି ନିର୍ବାଚନ ଗୋଟିଏ ଦିନରେ ହୋଇ ପାରୁଛି, ପୋଲିଓ ବୁନ୍ଦା ଗୋଟିଏ ଦିନରେ ଦିଆଯାଇ ପାରୁଛି, ଫାଇଲେରିଆ ଟାବଲେଟ ଦିଆଯାଇ ପାରୁଛି, କେତେଟା ଦିନରେ ଏସ୍ ଆଇ ଆର୍ ହୋଇ ପାରୁଛି,ସାମାନ୍ୟ କେତେ ବହି କ’ଣ ବଣ୍ଟନ କରାଯାଇ ପାରିବ ନାହିଁ? ପାରିବ। ଗୋଟିଏ ଦିନରେ ସାରା ଓଡ଼ିଶାରେ ସବୁ ପିଲାଙ୍କ ପାଖରେ ବହି ପହଞ୍ଚି ପାରିବ। ସରକାର ଯଦି ନ ପାରୁଛନ୍ତି ତେବେ ସେନାର ସାହାଯ୍ୟ ନିଅନ୍ତୁ।ନିଟ୍ ପରୀକ୍ଷା ପରିଚାଳନା ପାଇଁଁ ପ୍ରଶ୍ନପତ୍ର ଯଦି ବାଣ୍ଟିବାକୁ ସେନା ଦାୟିତ୍ଵ ନିର୍ବାହ କଲା ଓ ସଫଳ ହେଲା ତେବେ ଓଡ଼ିଶାର ଏହି ଅଭାବନୀୟ ପରିସ୍ଥିତି ସମ୍ଭାଳିବା ପାଇଁ ସେନାକୁ କାହିଁକି ଦାୟିତ୍ଵ ଦିଆ ନଯିବ? ଆବଶ୍ୟକ ହେଲେ ଏହି ପ୍ରସଙ୍ଗଟିକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ଆବଶ୍ୟକ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନିରବ ନରହି ଏଥିରେ ହସ୍ତକ୍ଷେପ କରନ୍ତୁ।ରାଜକୋଷରୁ ଅର୍ଥ ଭରଣା କରିବାକୁ ସରକାର ପଛାଉଛନ୍ତି କାହିଁକି? ଆମ ପିଲାମାନଙ୍କ ଭବିଷ୍ୟତ ପାଇଁ କୌଣସି ପ୍ରକାର ବୁଝାମଣା କିମ୍ବା ସାଲିସ୍ କରାଯାଇ ପାରିବ ନାହିଁ।ପରେ ଏହି ଅବ୍ୟବସ୍ଥା ଓ ଷଡ଼ଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କ ମୁଖା ଖୋଲି ତୁରନ୍ତ ଦଣ୍ଡ ବିଧାନ ପାଇଁ ସିବିଆଇ ତଦନ୍ତ ହେଉ।ଦାୟୀ ଅଧିକାରୀ, ମନ୍ତ୍ରୀ,ନେତା, ବ୍ୟକ୍ତି ଓ କର୍ମଚାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ଓ ଦରମା ଆଟାଚ କରି ସମସ୍ତ କ୍ଷତି ଭରଣା କରାଯାଉ। ପ୍ରଥମେ ଗଣଶିକ୍ଷା ମନ୍ତ୍ରୀ,ସଚିବ,ଏସିଇଆର୍ଟି ର ନିର୍ଦ୍ଦେଶକଙ୍କୁ ସେମାନଙ୍କ ପଦବୀରୁ ବହିଷ୍କାର କରାଯାଉ। ସହମତିରେ ସହବାସ କରି ଶିକ୍ଷାନବୀଶ ଓଏଏସ୍ ଅଧିକାରୀ ଭୀମସେନ ଯଦି ଭବିଷ୍ୟତ ରେ ସରକାରୀ ଚାକିରି କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କଲେ ତେବେ ଲକ୍ଷ ଲକ୍ଷ ପିଲାମାନଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳିଥିବା ଅପରାଧୀ ଅଫିସର୍ ଓ କର୍ମଚାରୀମାନଙ୍କୁ ସେହି କାରଣରୁ କାହିଁକି ବହିଷ୍କାର କରା ନଯିବ ଓ ଭବିଷ୍ୟତ ରେ ସରକାରୀ ଚାକିରି ପାଇଁ ବାଟ ବନ୍ଦ କରା ନଯିବ? ଅସୁବିଧା କେଉଁଠି ରହିଲା ମୁଖ୍ୟମନ୍ତ୍ରୀ ମହୋଦୟ? ଆପଣ କହିଲେ ସମସ୍ତଙ୍କୁ ସଂଶୋଧିତ ପୁସ୍ତକ ଦିଆଯିବ,ମାତ୍ର ଆପଣଙ୍କ ଗଣ୍ଡ ମନ୍ତ୍ରୀ କହିଲେ କେବଳ ବିଦ୍ୟାଳୟ କୁ ପାଠ୍ୟ ପୁସ୍ତକ ଦିଆଯିବ।ଏହା କି ପ୍ରକାର ଅବ୍ୟବସ୍ଥା? ସରକାର ରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଂକ ମଧ୍ୟରେ ସମ୍ମନ୍ୱୟ ନାହିଁ।ପାଠ୍ୟ ପୁସ୍ତକର ପ୍ରସ୍ତୁତି ଓ ମୁଦ୍ରଣ ଦାୟିତ୍ଵ ରେ ଥିବା ସଂସ୍ଥା ଏସ୍ ସି ଇ ଆର୍ ଟି ତା’ର ଦୁର୍ନୀତିଗ୍ରସ୍ତ,ଅପାରଗ, ଅଯୋଗ୍ୟ, ଅଦରକାରୀ ଓ ଅନାବଶ୍ୟକ କର୍ମଚାରୀମାନଙ୍କୁ ନେଇ ତା’ର ମୂଳ ଦାୟିତ୍ଵ ରେ ଅକ୍ଷମଣୀୟ ଅପରାଧ କରିଥିବାରୁ ଓ ଗୋଟିଏ ଜାତି ନିର୍ମାଣରେ ଗଭୀର ଷଡ଼ଯନ୍ତ୍ର କରିଥିବାରୁ , କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନରେ ବିଫଳ ହୋଇଥିବାରୁ ଏହାର ଆଉ ଆବଶ୍ୟକ ନାହିଁ।ଏହାକୁ ଭାଙ୍ଗି ଦିଆଯାଉ। ନହେଲେ ଓଡ଼ିଶାର କୋମଳମତି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ଓ ଭବିଷ୍ୟତ ସୁନିଶ୍ଚିତ ଅନ୍ଧକାର ଗହ୍ୱରକୁ ଠେଲି ହୋଇଯିବ । ସବୁବେଳେ ଏହିଭଳି ସମସ୍ୟା ଦେଖାଦେଉଥିବ।କେବଳ ବିଦ୍ୟାଳୟକୁ ସଂଶୋଧିତ ପୁସ୍ତକ ପଠାଇଲେ ସମସ୍ୟାର ସମାଧାନ ହେବ ନାହିଁ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଆଦୌ ଲାଭବାନ ହେବେ ନାହଁ। ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରଦାନ, ଦୋଷୀକୁ ଦଣ୍ଡ ବିଧାନ ଓ ବ୍ୟବସ୍ଥାକୁ ତ୍ରୁଟି ଶୂନ୍ୟ କରିବାକୁ ଓଡ଼ିଶାର ସର୍ବସାଧାରଣ ଦାବି କରୁଛନ୍ତି। ସରକାର ନଶୁଣିଲେ ବଡ଼ ଧରଣର ଗଣ ଆନ୍ଦୋଳନ ହେବ,ଏହା ହିଂସାତ୍ମକ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ନହେଲେ ସରକାର ଦାୟୀ ରହିବେ ଓ ସରକାରଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ।

Comments are closed.