ତେଲଙ୍ଗାନା : ତେଲଙ୍ଗାନା ବିଧାନସଭାରେ ରବିବାର ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍୨୦୨୬’ ଗୃହୀତ ହୋଇଛି । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହା ଅନୁସାରେ, ପିତାମାତାଙ୍କ ଯତ୍ନ ନ ନେଲେ ଉଭୟ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ ସମେତ ଜନପ୍ରତିନିଧିଙ୍କ ଦରମା କଟିବ । ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ କହିଛନ୍ତି, ଏହି ବିଲ୍ ଏବେର କେନ୍ଦ୍ରୀୟ ଆଇନଠାରୁ ଆଉ ପାଦେ ଆଗକୁ ଯାଇ କାମ କରିବ । ଦେଶରେ ପୂର୍ବରୁ ‘ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭’ ରହିଛି । ତେବେ ତେଲଙ୍ଗାନାର ଏହି ନୂଆ ବିଲ୍ରେ ଜନପ୍ରତିନିଧି ଏବଂ ବେସରକାରୀ କର୍ମଚାରୀଙ୍କୁ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଥିବା ରେଡ୍ଡୀ ପ୍ରକାଶ କରିଛନ୍ତି ।
ଏହି ବିଲ୍ ଅନୁଯାୟୀ, ଜନ ପ୍ରତିନିଧି, ସରକାରୀ ଏବଂ ବେସରକାରୀ କର୍ମଚାରୀମାନେ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦରମାରୁ ୧୫ ପ୍ରତିଶତ କିମ୍ବା ୧୦ ହଜାର ଟଙ୍କା (ଯେଉଁଟା କମ୍ ଥିବ) କଟିବ । ସେହି ଟଙ୍କା ସେମାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ରେଡ୍ଡୀ ବ୍ୟବସାୟୀ ବିଜୟପତ ସିଂଘାନିଆଙ୍କ ଉଦାହରଣ ଦେଇଥିଲେ, ଯିଏ କି ତାଙ୍କର ସମସ୍ତ ସମ୍ପତ୍ତି ନିଜ ପୁଅକୁ ଦେଇଥିଲେ । ଏହାପରେ ତାଙ୍କୁ ଘରୁ ବାହାରିଯିବାକୁ ପଡ଼ିଥିଲା ।
Comments are closed.