ସୁଆଣ୍ଡୋ ଗ୍ରାମକୁ ବିଭିନ୍ନ ଅଧିକାରୀଙ୍କ ଗସ୍ତ

ସୁଆଣ୍ଡୋ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ସୋମବାର ରାଜ୍ୟ ସଂସ୍କୃତି ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ବିଭିନ୍ନ ପଦାଧିକାରୀ ମାନେ ଐତିହ୍ୟ ଗ୍ରାମରେ ପହଞ୍ଚି ଚାଲିଥିବା ଉନ୍ନୟନ ମୂଳକକାର୍ଯ୍ୟର ସମୀକ୍ଷା କରିଥିଲେ । ଜାନୁୟାରୀ ୨୬ ତାରିଖରେ ଐତିହ୍ୟ ଗ୍ରାମ୍ୟ ଉଦଘାଟନ କରାଯିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସଚିବ କହିଥିଲେ ।

ଐତିହ୍ୟ ଗ୍ରାମର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସଂସ୍କୃତି ସଚିବ କହିଛନ୍ତି । ପ୍ରକଳ୍ପ ଶେଷ କରିବା ପାଇଁ ସଂସ୍କୃତି ବିଭାଗ ଅର୍ଥ ଯୋଗାଇ ଦେବ । ତୁରନ୍ତ ପାନୀୟ ଜଳ, ଭୂଳତ ବିଦ୍ୟୁତ୍‌ କାମ ୧୫ଦିନ ଓ ଗ୍ରାମ୍ୟ ରାସ୍ତା କାମ ଏକମାସ ମଧ୍ୟରେ ଶେଷ କରିବା ପାଇଁ ସଚିବ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେନାଲ ବନ୍ଧ ରାସ୍ତା, ଗାଡିରହଣି ସ୍ଥଳ କାମ ତୁରନ୍ତ ଶେଷ କରିବାକୁ ସେତୁ ନିର୍ମାଣ ନିଗମ ଅଧିକାରୀଙ୍କୁ କହିଥିଲେ  ।

ସଂଗ୍ରାହଳୟରେ କୋଠରି ବାହାର କାନ୍ଥରେ ଓଡିଆ ଓ ଇଂରାଜୀ ଭାଷାରେ  ଐତିହ୍ୟ ଗ୍ରାମ ସମ୍ପର୍କରେ ତଥ୍ୟ ରହିବା ସହ ଗୋପବନ୍ଧୁ ଦାସଙ୍କ କେତେକ ଫଟୋ ଚିତ୍ର, ପଞ୍ଚସଖାଙ୍କ ଆଲୋଚନା ସମୟର ଫଟୋ ଚିତ୍ର ଅଙ୍କାଯିବ  । ଷଠୀଘର ନଡାଛପର ଘରକୁ ରାଜ୍ୟ ସଂସ୍କୃତି ସଚିବ ନା ପସନ୍ଦ କରିଛନ୍ତି । ନଡା ଛପର ବଦଳରେ ଫାଇବର ନଡା ଛପର କରିବାର ଥିଲା ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ ଦାସ ଡିସେମ୍ବର ୩୧ ତାରିଖ ମଧ୍ୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସଂସ୍କୃତି ବିଭାଗକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି ।  ଅନ୍ୟ ମାନଙ୍କ ମଧ୍ୟରେ ଓବିସିସିର ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ଘନଘନ ସୁଆଣ୍ଡୋ ଗସ୍ତ କରୁଛନ୍ତି  । ନିର୍ବାହୀ ଯନ୍ତ୍ରୀ  ତଥା ପ୍ରକଳ୍ପର ଅଧିକାରୀ ସୁନ୍ଦର ମାଧବ ପାଢ଼ୀଙ୍କ ତତ୍ୱାବଧାନରେ ପ୍ରକଳ୍ପ କାମ ଆଗେଇ  ଚାଲିଛି  ।

ଡେପୁଟି ଡାଇରେକ୍ଟର ଡ, ବରାହି, ପ୍ରାକ୍ତନ ପ୍ରିନିସିପାଲ ଆର୍ଟ ଆଣ୍ଡ କ୍ରାଫ୍ଟର ଗଜେନ୍ଦ୍ର ପାଢ଼ୀ, ଓବିସିସି ର ସିଜିଏମ ଜୟନ୍ତ କୁମାର ଦାଶ, ଏକ୍ସପର୍ଟ ସଦସ୍ୟ ପ୍ରଫେସର ନିହାର ପଟ୍ଟନାୟକ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାରୀ ସଦସ୍ୟ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ବିଭିନ୍ନ ବିଭାଗ ଅଧିକାରୀ ଓ ଓବିସିସିର ଅଧିକାରୀ ମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।

Comments are closed.