ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷାରେ ପାଇଲେ ଅଭୂତପୂର୍ବ ସଫଳତା

ବାଲେଶ୍ୱର, ୨୩/୫(କୃଷ୍ଣ କୁମାର ମହାନ୍ତି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷାରେ ଶୋଭାରାମପୁରସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟ ତିନୋଟି ବିଭାଗରେ ବିଦ୍ୟାଳୟର ଫଳାଫଳ ଉଲ୍ଲେଖନୀୟ ରହିଛି।
କଳା ବିଭାଗରେ ମୋଟ ୧୦୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭ ଜଣ ପ୍ରଥମ ଶ୍ରେଣୀ, ୨୯ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୩୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ୧୭ ଜଣ ପ୍ରଥମ ଶ୍ରେଣୀ ଓ ୧୧ ଜଣ ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇ ଶତ ପ୍ରତିଶତ ପାସ୍ ହାର ବଜାୟ ରଖିଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ମଧ୍ୟ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି।
ବ୍ୟକ୍ତିଗତ ସଫଳତାରେ କଳା ବିଭାଗରେ ସମର କୁମାର ସାହୁ ୬୦୦ ମଧ୍ୟରୁ ୫୦୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ବିଜ୍ଞାନରେ ପଙ୍କଜ କୁମାର ରାଉତ ୫୨୫ ନମ୍ବର ସହ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ବାଣିଜ୍ୟରେ ଫାରହିନ କୌଶର ୩୩୯ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
ଏହି ଅଭୂତପୂର୍ବ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ମହାପାତ୍ର ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଓ ଶିକ୍ଷକଙ୍କ ନିଷ୍ଠାପର ମାର୍ଗଦର୍ଶନ ଯୋଗୁଁ ଏହି ଫଳାଫଳ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.