ବାଲେଶ୍ୱର : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହଯୋଗରେ ବାଲେଶ୍ୱର ସହରର ଇନଷ୍ଟିଚ୍ୟୁଟ ଅଫ ନେଚର କେୟାର ଏଣ୍ଡ ଯୋଗିକ ସାଇନ୍ସ ପରିଚାଳିତ ‘ହେଲଦି ଲାଇଫ୍’ ଯୋଗ ମହାବିଦ୍ୟାଳୟ ଆନୁକୁଲ୍ୟରେ ମାର୍ଚ୍ଚ ୧୪ ତାରିଖରୁ ୩ ଦିନ ବ୍ୟାପୀ ଚାଲିଥିବା ବିଶ୍ୱବିଦ୍ୟାଳୟସ୍ତରୀୟ ଜାତୀୟ ସେବା ଯୋଜନା (ଏସଏସଏସ) ସ୍ୱେଚ୍ଛାସେବୀଙ୍କ ପାଇଁ ଆବାସିକ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ମୟୁରଭଞ୍ଜର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଭୂବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ, କେଉଁଝର ଧରଣୀଧର ବିଶ୍ୱବିଦ୍ୟାଳୟ, ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟ, କଟକ ରେଭେନସା ବିଶ୍ୱବିଦ୍ୟାଳୟ ପ୍ରଭୃତିକୁ ମିଶାଇ ମୋଟ ୧୦ଟି ବିଶ୍ୱବିଦ୍ୟାଳୟର ୨ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଏହି ଶବିରରେ ଅଂଶଗ୍ରହଣ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ବାଲେଶ୍ୱର ଟାଉନଥାନା ଅଧିକାରୀ ବିଜୟ କୁମାର ଦାସ, ବିଶିଷ୍ଟ ସାହିତ୍ୟିକ କବି ପ୍ରଶାନ୍ତ ଦାସ, ଦୈନିକ ଖବର କାଗଜ ଧ୍ୱନୀ ପ୍ରତିଧ୍ୱନୀର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡା, ଜାତୀୟ ସେବା ଯୋଜନାର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ରାଖାଲ ଚନ୍ଦ୍ର ଘଡାଇ, ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଗୌରାଙ୍ଗ ପଣ୍ଡା ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ସୁସ୍ଥ ଓ ନିରାୟମ ଜୀବନ ଯାପନରେ ଯୋଗ ଓ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଏ ଦିଗରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦ୍ୱାରା ନିରୋଗ ସମାଜ ଗଠନରେ ସହାୟକ ହୋଇପାରିବେ । ତେବେ ଯୋଗ ଓ ପ୍ରାକୃତିକ ଚିକିତ୍ସାର ପ୍ରଚାର ପ୍ରସାର ଦିଗରେ ହେଲଦି ଲାଇଫ ମହାବିଦ୍ୟାଳୟର ଅଗ୍ରଣୀ ଭୂମିକା ବାସ୍ତବିକ ପ୍ରଶଂସନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଓ ଶିବିରାର୍ଥୀ ଶିବିରରେ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ସମ୍ପର୍କରେ ମତ ରଖିଥିଲେ । ହେଲଦି ଲାଇଫର ପ୍ରତିଷ୍ଠାତା ତଥା ଏନଏସଏସ ପ୍ରୋଗ୍ରାମ ଅଫିସର ଡାକ୍ତର ଚିତରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ରୋଗର ପ୍ରତିକାର ପାଇଁ ପ୍ରାକୃତିକ ଚିକିତ୍ସା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଥିଲେ । ହେଲଦୀ ଲାଇଫ ଯୋଗ ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଏଥିରେ ପୌରହିତ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଯୋଗ ଓ ପ୍ରାକୃତିକ ଚକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏହି ଶିବିର ମାଧ୍ୟମରେ ନିଶ୍ଚିତ ସଫଳ ହୋଇଥିବ ବୋଲି ଶ୍ରୀମତୀ ଦାସ ଆଶା ପ୍ରକାଶ କରିଥିଲେ । ଏହି ତିନି ଦିନିଆ ଶିବିରରେ ଆନ୍ତର୍ଜାତିକ ନେଚରପାଥି ଅର୍ଗାନାଇଜେସନର ଓଡିଶା ସଭାପତି ଡାକ୍ତର ସୁଭାଷ ଚନ୍ଦ୍ର ଷଡଙ୍ଗୀ, କୋଲକତାରୁ କବି ତଥା ବରିଷ୍ଠ ଯୋଗ ପ୍ରଶିକ୍ଷକ ସନାତନ ମହାକୁଡ, ବିଶିଷ୍ଟ ଯୋଗ ଓ ଆୟୁର୍ବେଦ ଚିକିତ୍ସକ ଡାକ୍ତର ଭଗବାନ ଭୁୟାଁ ପ୍ରମୁଖ ରିସୋର୍ସପର୍ସନ ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଯୋଗାସନ ଓ ସାଂସ୍କୃତିକ ପ୍ରତିଯୋଗିତା ସହିତ ଏକ ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଡକ୍ଟର ରିତୁଲତା ବିଶ୍ୱାଳ, ବିଶ୍ୱଜିତ ନାୟକ, କିରଣ କୁମାର ସାହୁ, ଶିଶିର ସାହୁ, ହରିଶଙ୍କର ପାଣିଗ୍ରାହୀ, ଅମ୍ବୁଜାଲୋଚନ ଦାସ, ପ୍ରତାପ କିଶୋର ବେହେରା, କିରଣବାଳା ସେଠୀ, ଅଜୟ କୁମାର ଦାସ, ଡକ୍ଟର ଲକ୍ଷ୍ମୀକାନ୍ତ ରଥ, ହିମାଂଶୁ ସାହୁ, ସ୍ମିତା ବାରିକ, ମାନସ ପଣ୍ଡା, ପ୍ରଦୀପ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ଅଧିକାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଅଧ୍ୟାପିକା ଅନୀତା ମିଶ୍ର ଓ କାନ୍ତିକ୍ରିଷ୍ଣା ଦାଶଙ୍କ ସହ ହେଲଦି ଲାଇଫର ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ । ଅଧ୍ୟାପକ ଅଭିଷେକ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ-ସନାତନ ମହାକୁଡ଼।

Comments are closed.