ବାଲେଶ୍ୱର, ୩୦/୫(କୃଷ୍ଣ କୁମାର ମହାନ୍ତି): ଭାରତୀୟ ନିର୍ବାଚନ କମିଶନ(ଇସିଆର୍) ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଠାରୁ ଅର୍ଥାତ୍ ୩୦ ମେ ୨୦୨୬ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେଉଛି। ଏହା ଆସନ୍ତା ୬ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଉପଲକ୍ଷେ ଗତକାଲି ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବୁଢ଼ାନ ହେମ୍ବ୍ରମ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ସମୀକ୍ଷା ବେହୁରା ଅଧିକାରିଣୀ – ଡିଷ୍ଟ୍ରିକ୍ଟ ଇଲେକ୍ସନ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।
ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରି ଜିଲ୍ଲାପାଳ କହିଲେ ଯେ, ଏସଆଇଆରର ମୁଖ୍ୟ ଲକ୍ଷ୍ୟ ହେଉଛି ଭୋଟର୍ ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିର୍ଭୁଲ ଓ ଅପଡେଟ୍ କରିବା। ୩୦ ମେରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ପରିଗଣନା ଫର୍ମ ପ୍ରଦାନ କରି ଏହାକୁ ସଂଗ୍ରହ କରିବେ। ସମସ୍ତ ପ୍ରକାର ସଂଶୋଧନ ପରେ ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଶେଷରେ ଜିଲ୍ଲାପାଳ ଏହି ଜାତୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରିଥିଲେ