ନୂଆଦିଲ୍ଲୀ : SIR କୁ ନେଇ ସାରା ଦେଶରେ ଜାରି ରହିଛି ହଙ୍ଗାମା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ SIR ପ୍ରସଙ୍ଗରେ ବର୍ଷିଛନ୍ତି । ସେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି କି, ସମାଜବାଦୀ ପାର୍ଟି ଯେଉଁଠାରେ ଜିତିଥିଲା ସେଠାରେ ଟାର୍ଗେଟ କରାଯାଉଛି । ଆମର ବୁଥରେ ଅଧିକ ଭୋଟ ଥିଲା ସେଠାରେ ଟାର୍ଗେଣ କରାଯାଉଛି । ଏହାସହ ସେ ଅଭିଯୋଗ କରିଛନ୍ତି କି, ଉପନିର୍ବାଚନ ସମୟରେ ଘଟିଥିବା କାର୍ଯ୍ୟକଳାପ ନିର୍ବାଚନ କମିଶନର ନିରପେକ୍ଷତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ଏପରିକି ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ନିର୍ବାଚନ କମିଶନକୁ ବିଜେପି ପତାକା ସହିତ ଚିହ୍ନଟ କରାଯିବା ଉଚିତ।
ଅଖିଳେଶ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ଉତ୍ତରପ୍ରଦେଶରେ ଭୋଟର ତାଲିକା ଯାଞ୍ଚ ନାଁରେ ଅନିୟମିତତା କରାଯାଉଛି । ସମାଜବାଦୀ ପାର୍ଟି ଜିତିଥିବା ମତଦାନ କେନ୍ଦ୍ର (ବୁଥ୍) ଚୟନ କରିବା ପାଇଁ ସରକାର କମ୍ପ୍ୟୁଟର ତଥ୍ୟ ବ୍ୟବହାର କରିବା ପାଇଁ ବୃତ୍ତିଗତ ଏଜେନ୍ସିଗୁଡ଼ିକୁ ନିଯୁକ୍ତି ଦେଇଛନ୍ତି । ଏହି ବୁଥଗୁଡ଼ିକରେ ବହୁ ସଂଖ୍ୟକ ଫର୍ମ-୭ ପୂରଣ କରାଯାଉଛି । ଭୋଟର ତାଲିକାରୁ ବ୍ୟକ୍ତିଙ୍କ ନାମ ବାଦ ଦେବା କିମ୍ବା ଆପତ୍ତି ପଞ୍ଜିକରଣ କରିବା ପାଇଁ ଫର୍ମ-୭ ବ୍ୟବହାର କରାଯାଏ । ଏହା ଯୋଜନାବଦ୍ଧ ଭାବରେ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଅନେକ ସ୍ଥାନରେ ଲୋକମାନେ ବିରୋଧ କରିଛନ୍ତି ଏବଂ ଏହା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଛି । ବିହାରରେ ଏଭଳି କରି ନିର୍ବାଚନ ଜିତିଥିବାବେଳେ ଏବେ ଉତ୍ତରପ୍ରଦେଶରେ ଏଭଳି ନୀତି ଆପଣାଇବାକୁ ଯାଉଥିବା ସେ କହିଛନ୍ତି ।
ଅଖିଳେଶ ଯାଦବ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ଗରିବ ପରିବାର ବିବାହ ମଧ୍ୟ କରିପାରୁନାହାଁନ୍ତି । ସୁନା ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଯାଇଛି । ସେ ଅଭିଯୋଗ କରିଛନ୍ତି ଯେ ସରକାର ଗରିବ, ଚାଷୀ କିମ୍ବା ରୋଗୀଙ୍କ ବିଷୟରେ ଚିନ୍ତିତ ନୁହଁନ୍ତି । ଜେଲରୁ ଅପରାଧୀମାନେ ଖସିଯିବା ନିଶାଦ୍ରବ୍ୟର ଖୋଲା ବ୍ୟବସାୟ ସରକାରୀ ପୃଷ୍ଠପୋଷକତା ଏବଂ ମିତ୍ରତାର ପରିଣାମ ।
Comments are closed.