ବାଲେଶ୍ୱର, ୧୦/୬ (କୃଷ୍ଣ କୁମାର ମହାନ୍ତି): ରାସ୍ତା ମରାମତି ପାଇଁ ବାରମ୍ବାର ନିବେଦନ କଲେ। ପ୍ରଶାସନକୁ ମଧ୍ୟ ଦାବିପତ୍ର ଦେଲେ। ହେଲେ ବାରମ୍ବାର ନିବେଦନ କରି ନିରାଶ ହେବା ପରେ ଏବେ ଲୋକେ ନିଜେ ରାସ୍ତା ମରାମତି କରିଛନ୍ତି। ଯାହା ଲୋକଙ୍କ ଏକତାକୁ ପ୍ରକାଶ କରୁଥିବା ବେଳେ ପ୍ରଶାସନିକ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି।
ବାଲେଶ୍ୱର ସହରକୁ ଲାଗି ଫକୀରମୋହନ ନଗରରେ ଏହି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ବର୍ଷାକୁ ଦୃଷ୍ଟିରେ ରଖି ଶେଷରେ ନିଜ ରାସ୍ତା ଅଞ୍ଚଳବାସୀ ନିଜେ ମରାମତି କରିଛନ୍ତି।
ସରକାର ଓ ପ୍ରଶାସନ ଦୃଷ୍ଟିର ଆଢୁଆଳରେ ରହିଯାଇଛି ବାଲେଶ୍ୱର ସହର ସହ ଲାଗିକି ରହିଥିବା ରେମୁଣା ବ୍ଲକ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର ଏହି ଫକୀରମୋହନ ନଗର। ୧୦୦୦ରୁ ଅଧିକ ପରିବାର ରହୁଥିବା ଏହି ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକର ଅବସ୍ଥା ଅନେକ ବର୍ଷରୁ ଶୋଚନୀୟ ଅବସ୍ଥାରେ ରହିଛି। ସବୁଦିନ ଏହି ରାସ୍ତାରେ ହଜାର ହଜାର ଲୋକ ଯାତାୟତ କରୁଛନ୍ତି। କିନ୍ତୁ ଫକୀରମୋହନ ନଗରର ବିଭିନ୍ନ କଲୋନି ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ଅବସ୍ଥାରେ ରହିଛି। କେବଳ କଲୋନିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଖରାପ ନାହିଁ, ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ଯାତାୟାତ ଯୋଗ୍ୟ ହୋଇ ରହି ନାହିଁ।

ଫକୀରମୋହନ ନଗରବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାସ୍ତା ମରାମତି କରାଗଲା ନାହିଁ। ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଅଞ୍ଚଳବାସୀ ମିଶି ନିଜେ ରାସ୍ତା ମରାମତି କରିଛନ୍ତି। ତେବେ ତୁରନ୍ତ ସମ୍ପୂର୍ଣ୍ଣ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଉକ୍ତ ଅଞ୍ଚଳର ବରିଷ୍ଠ ନାଗରିକ ସୁନୀତା ଜେନା ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି କହନ୍ତି, “ବୟସ ହେଲାଣି। ହସ୍ପିଟାଲ ଯିବାକୁ ହେଲେ ଘର ଯାଏଁ ଗାଡି ଆସେନି। ଷ୍ଟ୍ରେଚରରେ ବୋହି ନେବାକୁ ପଡେ। ମୁଁ ଭାବିଥିଲି ମରିବା ଆଗରୁ ଭଲ ରାସ୍ତାଟିଏ ଦେଖିବି।”
ରାସ୍ତାର ଦୂରବସ୍ଥା ବିଷୟରେ ସ୍ଥାନୀୟ ବିଧାୟକ ଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାନଯିବାର ଅସନ୍ତୋଷ ବ୍ୟକ୍ତ କରନ୍ତି ଜନୈକ ବ୍ୟବସାୟୀ ରମେଶ ଚନ୍ଦ୍ର ସାହୁ, “ପଞ୍ଚାୟତରୁ ବ୍ଲକ, ବ୍ଲକରୁ ବିଧାୟକ – ସମସ୍ତଙ୍କୁ କହିଲୁ। କେବଳ ପ୍ରତିଶ୍ରୁତି ମିଳେ, କାମ ହୁଏନି। ବର୍ଷା ଦିନେ ପିଲାଙ୍କୁ ସ୍କୁଲ ପଠାଇବା କଷ୍ଟ। ଆମ୍ବୁଲାନ୍ସ ଆସିପାରେନି। ବାଧ୍ୟ ହୋଇ ଆମେ ନିଜେ ମାଟି ପକାଉଛୁ।”
Comments are closed.