ସତ୍ୟଭାମାଙ୍କ ଗର୍ବ ଗଞ୍ଜନ

ଅର୍ଜୁନୀ ଚରଣ ବେହେରା

ଦ୍ୱାପରଯୁଗର କଥା l ଦିନେ ଦେବର୍ଷି ନାରଦ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ ଅଭିଳାଷରେ ଦ୍ୱାରିକା ପୁରୀରେ ପହଞ୍ଚିଲେ l ପ୍ରଭୁ ଦ୍ୱାରକାଧିଶଙ୍କ ଅଷ୍ଟ ପାଟବଂଶୀ ମାନଙ୍କ ଭିତରେ ଅନ୍ୟତମା ଶ୍ରୀମତୀ ସତ୍ୟଭାମା ନିଜ ପିତାଙ୍କର ଧନଗର୍ବରେ କିଛିଟା ଅହଙ୍କାରିଣୀ ହୋଇ ଉଠିଥାଆନ୍ତି l ସତ୍ୟଭାମା ଦେବୀଙ୍କ ପିତା ଶକ୍ରାଜିତଙ୍କ ନିକଟରେ “ସ୍ୟମନ୍ତକ ମଣି” ଥିଲା l ସେଥିରୁ ପ୍ରତି ଦିନ ଯେତେ ଇଚ୍ଛା ସେତେ ସୁବର୍ଣ୍ଣ ମିଳୁଥିଲା l ତେଣୁ ପିତାଙ୍କ ନିକଟରୁ ନିଜର ଇଚ୍ଛା ଅନୁସାରେ ସେ ଧନ ଆଣି ପାରୁଥିଲେ l ତା’ ଛଡ଼ା ସେ ନିଜକୁ ଅଧିକ ସୁନ୍ଦରୀ ଓ କୃଷ୍ଣଙ୍କର ସବୁଠାରୁ ପ୍ରିୟତମା ପତ୍ନୀ ବୋଲି ମନେ କରୁଥିଲେ l ଏହା ଅନ୍ୟ ପାଟବଂଶୀ ମାନଙ୍କର ଅସନ୍ତୋଷର ହେତୁ ପାଲଟି ଯାଇଥାଏ ଏବଂ ବାସୁଦେବ ତାହା ଲକ୍ଷ୍ୟ ମଧ୍ୟ କରୁଥାନ୍ତି l ଦେବର୍ଷି ନାରଦଙ୍କ “ନାରାୟଣ ! ନାରାୟଣ !” ଉଚ୍ଚାରଣ ଏବଂ ବୀଣାଧ୍ୱନି ଶୁଣିବା କ୍ଷଣୀ ସତ୍ୟଭାମା ବାହାରି ତାଙ୍କୁ ସାଦର ସ୍ୱାଗତ କଲେ ଏବଂ ପ୍ରଣାମ କରି, ତାଙ୍କ ଭବନକୁ ନେଇ ଆସନରେ ଉପବିଷ୍ଟ କରାଇଲେ l ସତ୍ୟଭାମାଙ୍କୁ ଦେବର୍ଷି ଦ୍ୱାରକା,ଶ୍ରୀକୃଷ୍ଣ ତଥା ଅନ୍ୟ ପାଟବଂଶୀ ମାନଙ୍କ କୁଶଳ ଜିଜ୍ଞାସାକଲେ l ସତ୍ୟଭାମା ‘ସର୍ବ କୁଶଳ’ ବୋଲି ଦେବର୍ଷିଙ୍କୁ କହିଲେ l ତାଙ୍କ ସହ ଆଲୋଚନା ମଧ୍ୟରେ ଶ୍ୟାମଙ୍କ ପ୍ରୀତି ପ୍ରସଙ୍ଗ ମଧ୍ୟ ପଡିଲା l ନାରଦଙ୍କୁ ସତ୍ୟଭାମା ପଚାରିଲେ,ଆଛା କୁହନ୍ତୁ ତ ଦେବର୍ଷି ଆମ ଅଷ୍ଟ ପାଟବଂଶୀ ମାନଙ୍କ ମଧ୍ୟରୁ କାହାକୁ ଶ୍ୟାମଘନ ସବୁଠାରୁ ଅଧିକ ଭଲ ପାଆନ୍ତି ? ନାରଦ ଚମକି ପଡିଲେ l ଜିଭ କାମୁଡ଼ି କାନ ଛୁଇଁ କହିଲେ,”ନାରାୟଣ ! ନାରାୟଣ”! ଏ କି ପ୍ରକାର ପ୍ରଶ୍ନ ଦେବୀ ? ଏ ବିଷମ ପ୍ରଶ୍ନ ଉତ୍ତର ଆପଣ ପ୍ରଭୁଙ୍କୁ ନ ପଚାରି ଏ ସଂସାର ବୈରାଗୀ ମୁନୀଟାକୁ ପଚାରି କାହିଁକି ଏତେବଡ଼ ଅଡ଼ୁଆରେ ପକାଉଛନ୍ତି l ଓଃ ! ଏ ପ୍ରଶ୍ନଟା ଶୁଣି ମୁଣ୍ଡଟା ଘୁରି ଯାଉଛି ମୋର l” ସତ୍ୟଭାମା କହିଲେ,’ ଆପଣ କଅଣ ପ୍ରଭୁଙ୍କୁ ଜାଣି ନାହାନ୍ତି ଦେବର୍ଷି ? ପ୍ରଭୁଙ୍କ ଶ୍ରୀମୁଖରୁ ସତ୍ୟ ବାହାର କରିବା କେତେ କଷ୍ଟ ! ଆପଣ ତ ତାଙ୍କ ଅନ୍ତର କଥା ଜାଣନ୍ତି ଆପଣ ହିଁ ଏହାର ସଠିକ ଉତ୍ତର ଦେଇ ପାରିବେl’ ନାରଦ କହିଲେ,”ନାରାୟଣ ! ନାରାୟଣ ! ମୋର ଯାହା ମନେ ପଡୁଛି, ମାୟାଧର ଆପଣଙ୍କୁ ଅଧିକ ଭଲ ପାଆନ୍ତିବୋଲି ମୋତେ କହିଥିଲେ l”ସତ୍ୟଭାମା ଟିକିଏ ଲାଜେଇ ଗଲେ l ପୁଣି ନାରଦ କହିଲେ, ‘ପ୍ରଭୁଙ୍କ ନାମ ସହ ସବୁବେଳେ ମାଆ ରୁକ୍ମିଣୀଙ୍କ ନାଆଁକୁ ଯୋଡି ଲୋକେ ଶ୍ରୀପତି,ଶ୍ରୀଧର, ଲକ୍ଷ୍ମୀ କାନ୍ତ ଓ ଲକ୍ଷ୍ମୀ ନାରାୟଣ ଆଦି ଯେମିତି ଭଜନ କରୁଛନ୍ତି,ସେଥିରୁ ମୋତେ ଲାଗୁ ନାହିଁ ଯେ ପ୍ରଭୁ ମୋତେ ସତ୍ୟ କହିଛନ୍ତି ବୋଲି l”ସତ୍ୟଭାମାଙ୍କ ମୁହଁ ଶୁଖି କଳାକାଠ ହୋଇଗଲା l ସେ ନାରଦଙ୍କୁ କହିଲେ,”ତାହେଲେ ଆପଣ କିଛି ଉପାୟ କୁହନ୍ତୁ ଯେମିତି ସେ ମୋତେ ହିଁ ସବୁ ଠାରୁ ବେଶୀ ଭଲ ପାଇବେ l ନାରଦ କହିଲେ, ଉପାୟ ତ ଅନେକ ଅଛି l ଗୋଟିଏ ସରଳ ଉପାୟ ଅଛି,କିଛି ମହତ୍ ଦାନ ଦ୍ୱାରା ଆପଣଙ୍କର ଏହି ଉଦ୍ଦେଶ୍ୟ ସଫଳ ହୋଇପାରେ l ସତ୍ୟଭାମାଙ୍କର ତ ଧନର ଅଭାବ ନ ଥିଲା l ଏଣୁ ସେ ଦାନ ଦେବାକୁ ପ୍ରସ୍ତୁତ ହୋଇ ପଚାରିଲେ,କାହାକୁ ଦାନ ଦେଲେ ହେବ? ନାରଦ କହିଲେ, କାହିଁକି? ମୋ ପରି ଜଣେ ଦରିଦ୍ର ତୁମ ପାଖରେ ଥାଉଁଥାଉଁ ଆଉ କାହାକୁ ଖୋଜିବାପାଇଁ ଯିବେ ଆପଣ ? ମୋ ଠାରୁ କଣ କେହି ଉପଯୁକ୍ତ ପାତ୍ର ଅଛନ୍ତି ଆଉ?ସତ୍ୟଭାମା କହିଲେ, କୁହନ୍ତୁ ଦେବର୍ଷି ଆପଣଙ୍କର କି ଦାନ ଲୋଡ଼ା ?” ନାରଦ କହିଲେ,”ଆପଣ ପ୍ରଥମେ ସତ୍ୟ କରନ୍ତୁ ମୁଁ ଯାହା ମାଗିବି ତାହା ଆପଣ ଦେବେ ବୋଲି l ”
ଦେବୀ ସତ୍ୟଭାମା ଶଙ୍ଖରେ ପାଣି ଟେକି ତ୍ରିବାର ସତ୍ୟ କଲେ ଏବଂ ନାରଦ ଯାହା ମାଗିବେ ତାହା ଦେବେ ବୋଲି, ପ୍ରତିଜ୍ଞାବଦ୍ଧ ହେଲେ l ଆଉ କାଳ ବିଳମ୍ବ ନ କରି ନାରଦ କହି ପକାଇଲେ,”ତୁମର ଅତିପ୍ରୀୟ ପତିଙ୍କୁ ମୋତେ ଦାନକର l କିଛି ଆଗ ପଛ ନ ବିଚାରି ସତ୍ୟଭାମା ତୁରନ୍ତ ସ୍ଵୀକୃତି ଦେଇ ଦେଲେ lକିନ୍ତୁ ଭଗବାନଙ୍କୁ ନିଜର ପ୍ରେମ ପାଶରେ ଆବଦ୍ଧ କରିବାକୁ ଯାଇ ସେ ଯେ ଏକ ମସ୍ତ ବଡ଼ ଭୁଲ କରି ବସିଛନ୍ତି ଏହା ବୁଝିବାକୁ ତାଙ୍କୁ ବେଶୀ ସମୟ ଲାଗିଲା ନାହିଁ l ନାରଦ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବାରୁ ପ୍ରଭୁ ଆସି ଉପସ୍ଥିତ ହୋଇ ଦେବର୍ଷିଙ୍କୁ କୁଶଳ ଜିଜ୍ଞାସା କଲେ l ନାରଦ ଆଉ ଆଗ ପରି ତାଙ୍କୁ ଭକ୍ତିପୂତ ପ୍ରଣିପାତ କଲେନାହିଁ l ଆଦେଶ ଦେଲେ,”ଆପଣ ମୋ ପଛେପଛେ ଆସନ୍ତୁ”l ନଟ ନାଗର ପ୍ରଭୁ ଆଶ୍ଚର୍ଯ୍ୟ ଭରା ନୟନରେ ଓ ପ୍ରଶ୍ନିଳ ଭଙ୍ଗୀରେ ଥରେ ନାରଦ ଓ ଥରେ ସତ୍ୟଭାମାଙ୍କ ଆଡ଼େ ଚାହୁଁଥାନ୍ତି l ନାରଦ କହିଲେ,ପ୍ରଭୁ!ଦେବୀ ସତ୍ୟଭାମା ଆପଣଙ୍କୁ ମୋତେ ଦାନ କରିଛନ୍ତି l ତେଣୁ ଆପଣ ମୋ ଆଦେଶ ମାନି ମୋ ସାଥିରେ ଆସନ୍ତୁ l ମାୟାଧର ସତ୍ୟଭାମାଙ୍କୁ କପଟ କ୍ରୋଧ ପ୍ରକଟ ସ୍ୱରୂପ ଭର୍ତ୍ସନା କରି କହିଲେ, ଏ କଅଣ କଲ ତୁମେ ସତ୍ୟା ? ଯେଉଁ କଳହପ୍ରୀୟ ମୁନିଙ୍କୁ ଦେବତା ମାନେ ମଧ୍ୟ ବିଶ୍ଵାସ କରନ୍ତିନାହିଁ,ତୁମେ ତାଙ୍କୁ ଏତେ ସହଜରେ ବିଶ୍ୱାସ କରିଗଲ ? ମୋ ଅବସ୍ଥା ଏବେ କଅଣ ହେବ କୁହ ତ ? ଅହର୍ନିଶ ମହତୀବୀଣା ବଜାଇ ସେ ବ୍ରହ୍ମାଣ୍ଡ ଯାକର ଖବର ସଂଗ୍ରହ କରନ୍ତି l ତାଙ୍କ ବୀଣାଟିକୁ ବୋହି ବ୍ରହ୍ମାଣ୍ଡ ସାରା ଘୂରିବା ମୋ ଭାଗ୍ୟରେ ଲେଖା ଅଛି l ସେ ଯାହା କହିବେ ମୋତେ ତାହା କରିବାକୁ ପଡ଼ିବ l ନାରଦଙ୍କୁ ଚାହିଁ କହିଲେ,’ଦେବର୍ଷି! ମୋର ଆହୁରି ଅନେକ ପତ୍ନୀ ଅଛନ୍ତି l ସେମାନଙ୍କଠାରୁ ମୋତେ ବିଦାୟ ନେବାକୁ କିଛି ସମୟ ଦିଅନ୍ତୁ l ଇଆଡ଼େ ଦେବୀ ସତ୍ୟଭାମା କାନ୍ଦି କାନ୍ଦି ଅଥୟ l ମୁନିଙ୍କ ପାଦ ଧରି କ୍ଷମା ମାଗି ପ୍ରଭୁଙ୍କୁ ଫେରାଇ ଦେବାକୁ ଅନୁରୋଧ କଲେ l ଦେବର୍ଷି କିନ୍ତୁ ନଛୋଡ଼ ବନ୍ଧା, ସେ କିଛି ଶୁଣୁ ନଥାନ୍ତି l ସମ୍ବାଦ ଯାଇ ଦ୍ୱାରିକାର ଅନ୍ତପୁରରେ ପହଁଞ୍ଚିଲା l ଶ୍ରୀକୃଷ୍ଣଙ୍କ ସମସ୍ତ ଅନ୍ୟ ପାଟବଂଶୀ ମାନେ ଆସି ଉପସ୍ଥିତ ହେଲେ l ସେମାନେ ଦେବର୍ଷିଙ୍କୁ ଏହା ଅନ୍ୟାୟ ବୋଲି ଯୁକ୍ତି କରି କହିଲେ,’ ଆପଣ କୁହନ୍ତୁ ଦେବର୍ଷି ଶ୍ରୀକୃଷ୍ଣ କଅଣ ଏକା ସତ୍ୟଭାମାଙ୍କର? ‘ନାରଦ କହିଲେ, ସେ ସବୁ କିଛି ମୋର ବୁଝିବା ଆବଶ୍ୟକ ନାହିଁ l ଆପଣମାନେ ବୁଝାବୁଝି ହେଉଥାନ୍ତୁ l ମୁଁ ଚାଲିଲି ନଟ ନାଗରଙ୍କୁ ନେଇ l ରୁକ୍ମିଣୀ ଆଗେଇ ଆସି କହିଲେ,’ଆମେ ତାଙ୍କୁ ଛାଡି ମୁହୂର୍ତ୍ତେ ବଞ୍ଚିପାରିବୁ ନାହିଁ l ତାଙ୍କ ବଦଳରେ ଅନ୍ୟ କିଛି ଦାନ ନେଇ ସନ୍ତୁଷ୍ଟ ହୁଅନ୍ତୁ ଆପଣ ଦେବର୍ଷି ! ଆପଣ ଏତିକି ଦୟା କରନ୍ତୁ l’
ନାରଦ କହିଲେ, ଠିକ ଅଛି, ସତ୍ୟଭାମା ଦେବୀ ମୋତେ ଦାନ ଦେଇଛନ୍ତି, ଯଦି କୃଷ୍ଣଙ୍କ ଓଜନର ସୁବର୍ଣ୍ଣ ସେ ମୋତେ ଦାନ କରନ୍ତି, ତେବେ ତୁମର ପତିଙ୍କୁ ମୁଁ ଫେରାଇ ଦେଇ ପାରେ l ସତ୍ୟଭାମା ଦେବୀ ଅତି ଭାବ ବିହ୍ଵଳ ହୋଇ ଏ ପ୍ରସ୍ତାବରେ ସମ୍ମତି ପ୍ରକାଶ କଲେ l ଦେବର୍ଷି ଆସନରେ ବସି ରହିଲେ l ତୁଳାଦଣ୍ଡ ଆସିଲା l ଗୋଟିଏ ପାର୍ଶ୍ଵରେ ବସିଲେ ଲୀଳାଧର ଓ ଅନ୍ୟ ପାର୍ଶ୍ଵରେ କୁଢ଼ କୁଢ଼ ସୁବର୍ଣ୍ଣ l ଦେବୀ ସତ୍ୟଭାମାଙ୍କର ସବୁ ଅଳଙ୍କାର ସରିଗଲା l କୃଷ୍ଣଚନ୍ଦ୍ରଙ୍କ ଅନ୍ୟ ରମଣୀମାନେ ମଧ୍ୟ ନିଜ ନିଜର ଅଳଙ୍କାରମାନ ଆଣି ସେ ତରାଜୁରେ ପକାଇଲେ l କିନ୍ତୁ କୃଷ୍ଣଙ୍କସଙ୍ଗେ ସମାନହେବା ତ ଦୂରର କଥା ତରାଜୁ ଟିକିଏ ମାତ୍ର ହଲୁ ନ ଥାଏ l ସେ ପରା ମହାମେରୁ l ତାଙ୍କ ଓଜନ କଣ କଳନା କରାଯାଇପାରେ l କଥାରେ ଅଛି :-
ମହା ମହା ଗିରିଠାରୁ ଅଟନ୍ତି ଯେ ଗରୁ।
ନାମ ବହି ଅଛନ୍ତି ଅଟଳ ମହାମେରୁ ll
ଶ୍ରୀ ଭାଗବତ କହିଲେ”ବ୍ରହ୍ମାଣ୍ଡ ମାଳମାଳ ହୋଇ, ଯା ଲୋମକୂପେ ବିରାଜଇ” l ଯାହାର ଦେହରେ ସମଗ୍ର ବିଶ୍ୱ ଅବସ୍ଥାନ କରୁଛି ତାଙ୍କୁ କ’ଣ ତୁଳା ଦଣ୍ଡରେ ତଉଲା ଯାଇପାରେ l
ରୁକ୍ମିଣୀ ମୃଦୁ ମୃଦୁ ହସି ଏ ଲୀଳାକୁ ଦେଖୁଥାନ୍ତି l ନାରଦ ମଝିରେ ମଝିରେ ବୀଣାକୁ ଟଙ୍କାରି ଦେଇ ଛୋଟଛୋଟ ବେସୁରା ରାଗିଣୀ ଛାଡ଼ିଦେଉଥାନ୍ତି l ସତ୍ୟଭାମା,ଦେବୀ ରୁକ୍ମିଣୀଙ୍କ ଆଡ଼େ ଚାହିଁ ତାଙ୍କ ଅଳଙ୍କାର ସବୁ ଆଣିବାକୁ କହିବାରୁ ସେ କହିଲେ, ଭଉଣୀ ! ଏ ପର୍ଯ୍ୟନ୍ତ ତୁମର ଜ୍ଞାନୋଦୟ ହେଲା ନାହିଁ l ଏ ସମସ୍ତ ଅଳଙ୍କାର କାଢ଼ି ନିଅ l ତାଙ୍କଠୁଁ ଅଧିକ ଓଜନର ଆଭୂଷଣ ମୁଁ ଆଣୁଛି l
ରୁକ୍ମିଣୀ ଅନ୍ତପୁରକୁ ଚାଲିଗଲେ l ଫେରିଲେ ଏକ ତୁଳସୀ ପତ୍ରଟିଏ ଧରି ଯାହା ଉପରେ ଚନ୍ଦନରେ ଶ୍ରୀକୃଷ୍ଣଙ୍କ ନାମ ଅତିଯତ୍ନରେ ଅଙ୍କିତ ହୋଇଥିଲାl ସେ ତୁଳସୀପତ୍ରକୁ ତରାଜୁରେ ରଖିଦେବା ମାତ୍ରେ ପ୍ରଭୁଙ୍କ ପଟ ହାଲୁକାହୋଇ ଉପରକୁ ଉଠିଗଲା l ସତ୍ୟଭାମା ଲଜ୍ଜିତା ହେଲେ l ଏଥର ଦେବର୍ଷିଙ୍କ ମହତୀବୀଣା ଅପୂର୍ଵ ରାଗିଣୀରେ ଝଙ୍କୃତ ହେଲାl ତାଙ୍କ ମୁଖ ମଣ୍ଡଳରେ ଖେଳି ଗଲା ବିମଳ ମଧୁର ହାସ୍ୟରେଖା,ତୁଣ୍ଡରୁ ଉଚ୍ଚାରିତ ହେବାକୁ ଲାଗିଲା ସେହି ଅମୃତ ମନ୍ତ୍ର ”ନାରାୟଣ,ନାରାୟଣ” l ସେ ତୁଳସୀ ପତ୍ରଟି ଧରି ମୁଣ୍ଡରେ ମାରିଲେ ଓ ବୀଣା ବଜାଇ ବଜାଇ ଅନ୍ତରୀକ୍ଷରେ ସ୍ୱର୍ଲୋକ ଦିଗରେ ପ୍ରତ୍ୟାବର୍ତ୍ତନ କଲେ l ପ୍ରଭୁ ଦେବୀ ସତ୍ୟଭାମାଙ୍କୁ ଏକାନ୍ତରେ କହିଲେ,ମୋ କଥା ବିଶ୍ୱାସ ହେଉ ନ ଥିଲା, ସେ ବାବାଜୀ ଛନ୍ଦରେ ଛନ୍ଦି ହୋଇ ଗଲ l ଅଭିମାନ ଭରା ଏକ ତୀର୍ଯ୍ୟକ୍ ଚାହାଣିରେ ଠିଆ ହୋଇଥିଲେ ଦେବୀ ସତ୍ୟଭାମା l
ତୁଳସୀ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ l ଏଣୁ କୁହା ଯାଇଛି
ମାଆ ଗୋ ତୁଳସୀ ଦେବୀ,
ଅଟୁ ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭି ll

ଧନ୍ୟ ପ୍ରଭୁ ତୁମ୍ଭର ଲୀଳା !
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.