ରାମଭକ୍ତ ବିଭୀଷଣଙ୍କ ପତ୍ନୀ ସରମା
ରାମଭକ୍ତ ବିଭୀଷଣଙ୍କ ପତ୍ନୀ ସରମା
===================
ସେତୁବନ୍ଧ ପାରକରି ରାମ ଲକ୍ଷ୍ମଣ ବିପୁଳ ବାନର ସେନାଙ୍କ ସହ ଯାଇ ଲଙ୍କାରେ ପହଞ୍ଚିଲେ l ସମୁଦ୍ର କୁଳରେ ବିପୁଳ ରାମ ସେନାଙ୍କ ସମାବେଶ ଦେଖି ରାକ୍ଷସମାନେ ଯାଇ ରାବଣକୁ ସମାଚାର ଦେଲେ l ରାବଣ ମନ୍ତ୍ରୀ ମାନଙ୍କ ସହ ପରାମର୍ଶ କରି ରାମଙ୍କ ବଳ କଳିବା ପାଇଁ, ଶୁକ, ସାରଣ ଓ ଶାର୍ଦ୍ଦୁଳ ତିନି ଜଣ ଗୁପ୍ତଚରଙ୍କୁ ପଠାଇଲା l ସେମାନେ ଛଦ୍ମରୂପ ଧରି, ବାନର ସେନାଙ୍କ ମଧ୍ୟରେ ବୁଲୁଥିଲା ବେଳେ ବିଭୀଷଣଙ୍କ ହସ୍ତରେ ଧରାପଡ଼ିଗଲେ l ଶ୍ରୀରାମଙ୍କ ହସ୍ତକ୍ଷେପ ଯୋଗୁ ସେମାନେ କୌଣସିମତେ ପ୍ରାଣ ବଞ୍ଚାଇ, ରାବଣ ପାଖରେ ପହଞ୍ଚି କହିଲେ, ଦୂର୍ଦ୍ଦର୍ଷ ବାନରସେନା ଲଙ୍କା ଆକ୍ରମଣ ପାଇଁ ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ l ସେମାନଙ୍କ ବଳ କଳିବା ଅସମ୍ଭବ l ମରୁ ମରୁ ଆମେ ରାମଙ୍କ ଦୟାରୁ ବଞ୍ଚିପଳାଇ ଆସିଲୁ l ଏବେ ଆପଣଙ୍କ ଆଗରେ ଦୁଇଟି ପନ୍ଥା l ସୀତାଙ୍କୁ ଫେରାଇ ଦିଅନ୍ତୁ କିମ୍ୱା ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତୁ l ତାଙ୍କ କଥା ଶୁଣି ରାବଣ ଉଦବିଗ୍ନ ହୋଇ ପଡ଼ିଲା କିନ୍ତୁ ଉପରେଉପରେ କପଟ ଅଟ୍ଟହାସ୍ୟରେ ତାଙ୍କ କଥାକୁ ହସି ଉଡ଼ାଇ ଦେଲା l
ରାବଣ ମନରେ ଏକ ଉପାୟ ଚିନ୍ତାକରି ମାୟାବୀ ରାକ୍ଷସ, ସୂର୍ପଣଖାର ସ୍ବାମୀ, ବିଦ୍ୟୁଜିହ୍ୱକୁ ଡକାଇ କହିଲା, ତୁ ରାମର ଗୋଟିଏ ମାୟାମୁଣ୍ଡ ଓ ମାୟା ଧନୁ ତିଆରି କର l ଆଜ୍ଞା ପାଇ, ବିଦ୍ୟୁଜିହ୍ୱ ସଙ୍ଗେ ସଙ୍ଗେ ରାମଙ୍କର ଏକ ମୁଣ୍ଡ ଓ ଧନୁ, ତିଆରି କରି ଆଣିଲା l ସେହି ମୁଣ୍ଡ ଓ ଧନୁ ଧରି, ରାବଣ ଯାଇ ଅଶୋକ ବନରେ ସୀତାଙ୍କ ନିକଟରେ ପହଞ୍ଚିଲା l ସେ ସୀତାଙ୍କୁ କହିଲା, ଏବେ ଦେଖ l ତୁ ଯାହାଙ୍କ ପାଇଁ ମୋତେ ବରଣ କରୁ ନଥିଲୁ, ସେ ବର୍ତ୍ତମାନ ନିହତ l ବିଶ୍ୱାସ ହେଉ ନାହିଁ ତ, ଏଇ ଦେଖ ତାର କଟା ମୁଣ୍ଡ ଓ ଧନୁ l ତୋର ଏବେ ମୋତେ ବରଣ କରିବା ଛଡ଼ା ଅନ୍ୟଗତି ନାହିଁ l
ସୀତା ରାମଙ୍କ ଛିନ୍ନ ଶିର ଓ ଧନୁକୁ ଦେଖି ବିଳାପ କରିବାକୁ ଲାଗିଲେ l ସେ କର୍ତ୍ତିତ ରମ୍ଭା ବୃକ୍ଷ ପରି ଭୂମିରେ ଲୋଟି ପଡ଼ି ରାମଙ୍କ କଟା ମୁଣ୍ଡକୁ ଜାବୁଡି ଧରି କହିଲେ,ମୋର ବର୍ତ୍ତମାନ ସବୁ ଶେଷ ହୋଇ ଗଲା l ମୋତେ ଛାଡ଼ି ତୁମେ କୁଆଡ଼େ ଚାଲିଗଲ l ରାବଣକୁ ଚାହିଁ ଜାନକୀ କହିଲେ, ହେ ଲଙ୍କପତି ! ତୁମେ ମୋର ଶିରଛେଦନ କରି ମୋତେ ସ୍ବାମୀଙ୍କ ଅନୁଗାମିନୀ ହେବାକୁ ଦିଅ l ଏହି ସମୟରେ ଦୂତ ଆସି ସମ୍ବାଦ ଦେଲା, ସେନାପତି ପ୍ରହସ୍ତ ଓ ଅନ୍ୟ ମାନେ ଜରୁରୀ ପରାମର୍ଶପାଇଁ ଆପଣଙ୍କୁ ଅପେକ୍ଷା କରୁଛନ୍ତି l ଏହାଶୁଣି ରାବଣ ଖୁବ୍ ତରବର ହୋଇ ସେଠାରୁ ପଳାଇଗଲା ଓ ତା ଯିବା ସଙ୍ଗେ ସଙ୍ଗେ ସେହି କଟାମୁଣ୍ଡ ଓ ଧନୁ ଅନ୍ତର୍ହିତ ହୋଇଗଲା l
ରାବଣ ଚାଲିଗଲାପରେ ରୋରୁଦ୍ୟମାନା ସୀତାଙ୍କ ନିକଟରେ ରାକ୍ଷସୀ ସରମା ପହଞ୍ଚି ସାନ୍ତ୍ଵନା ଦେଇ କହିଲା, ସୀତେ ! ତୁମେ ଆଉ କାନ୍ଦନାହିଁ l ରାବଣ ଭୟରେ ମୁଁ ଆକାଶରେ ଲୁଚିକରି ରହିଥିଲି l ତୁମେ ଏସବୁ ଯାହା ଦେଖିଲ ସବୁଥିଲା ରାବଣର ମାୟା l ରାମଙ୍କୁ କିଏ ବା ମାରିପାରିବ l ରାମ ସମୁଦ୍ର ପାର ହୋଇ ବାନରମାନଙ୍କ ସହ ଆସି ଲଙ୍କାରେ ଶିବିର ସ୍ଥାପନ କଲେଣି l ସେଥି ପାଇଁ ପରା ସେ ତରବର ହୋଇ ମନ୍ତ୍ରୀମାନଙ୍କ ସହ ମନ୍ତ୍ରଣା କରିବାକୁ ଧାଇଁ ପଳେଇ ଗଲା l ତୁମେ ଶୋକ କର ନାହିଁ l ତୁମର ଦୁଃଖର ଦିନ ଶେଷ ହୋଇ ଆସୁଛି l ଶୀଘ୍ର ତୁମେ ଏଠାରୁ ଉଦ୍ଧାର ହେବ l
ସରମା ସୀତାଙ୍କୁ ଏପରି କହୁଥିଲା ବେଳେ ଭୀଷଣ କୋଳାହଳ ଶୁଣାଗଲା l ଢୋଲ ଢ଼କ୍କା ସହ ଭେରୀ ତୂରୀର ଘୋରଗର୍ଜନ ଶୁଣାଗଲା l ସରମା କହିଲା, ଶୁଣି ପାରୁଛ ତ, ଏବେ ଲଙ୍କାରେ ଭୟଙ୍କର ସମର ସଜ୍ଜା ଚାଲିଛି l ରାମ ରାବଣ ତଥା ରାକ୍ଷସ ମାନଙ୍କ ମନରେ ମହା ଭୟ ସଞ୍ଚାର କରିଛନ୍ତି l ତୁମେ ଯଦି ଚାହଁ ମୁଁ ରାମଙ୍କ ପାଖକୁ ଯାଇ ତୁମ କୁଶଳ ବାର୍ତ୍ତା ପହଞ୍ଚାଇ ଦେବି ଓ ତୁମ ପାଇଁ ତାଙ୍କ କୁଶକ ବାର୍ତ୍ତା ଘେନିଆସିବି l ଏହାଶୁଣି ସୀତା କହିଲେ, ସରମା ! ତୁମେ ଯଦି ମୋର ପ୍ରିୟକାର୍ଯ୍ୟ କରିବା ପାଇଁ ଚାହଁ ମୋତେ ରାବଣର ସମ୍ବାଦ ଆଣି ଦିଅ l
ସରମା ଲୁକ୍କାୟିତ ଭାବେ ଯାଇ ରାବଣର ମନ୍ତ୍ରଣା କକ୍ଷରେ ପ୍ରବେଶ କରି ସମସ୍ତ ସମ୍ବାଦ ଧରି ଫେରି ଆସିଲା l ସେ ଆସି ଜାନକୀଙ୍କୁ କହିଲା, ମୁଁ ଦେଖି ଆସିଲି, ସମସ୍ତେ ରାବଣକୁ ଯୁଦ୍ଧ ନ କରିବା ପାଇଁ କହୁଛନ୍ତି ଓ ତୁମକୁ ଫେରାଇ ଦେବାକୁ କହୁଛନ୍ତି l ଏପରିକି ତାର ଅଜା ନୀତି ନିଷ୍ଠ ମାଲ୍ୟବାନ୍ ତାକୁ ସେହି କଥା କହି ବହୁତ ବୁଝାଇଲେ l ମାଲ୍ୟବାନ୍ ଶେଷକୁ ତାକୁ କହିଲେ, ରାମ ହେଉଚ୍ଛନ୍ତି ନରରୂପ ଧାରୀ ସାକ୍ଷାତ୍ ବିଷ୍ଣୁ l ତାଙ୍କ ସହିତ ଶତ୍ରୁତା ନକରି ସନ୍ଧି କର l ତୁମେ ବ୍ରହ୍ମାଙ୍କ ଠାରୁ ବରଲାଭ କରିଛ ଦେବ, ଦାନବ, ଯକ୍ଷ ତୁମକୁ ମାରି ପାରିବେନାହିଁ l କିନ୍ତୁ ଏବେ ଦେଖ, ନର ବାନର ଓ ଭଲ୍ଲୁକ ମାନେ ଆସି ତୋତେ ସଂହାର କରିବାକୁ ଲଙ୍କାରେ ପହଞ୍ଚି ଗଲେଣି l ନାନା ବିଲକ୍ଷଣ ଓ ଉତ୍ପାତ ମାନ ଦେଖା ଯାଉଛି l ମତେ ଲାଗୁଛି, ଅଧର୍ମରୁ ଆମର ବିନାଶ ସମୟ ଆସି ଉପସ୍ଥିତ l କିନ୍ତୁ ରାବଣ କହାରି କଥା ନ ଶୁଣି ସମସ୍ତଙ୍କୁ ପ୍ରତ୍ୟାଖ୍ୟାନ କଲା l ମାଲ୍ୟବାନ୍ ଶେଷକୁ ବୁଝିଗଲେ ରାବଣକୁ ହିତକଥା କହି କିଛି ଲାଭ ନାହିଁ l ଏଣୁ ତାକୁ ଆଶୀର୍ବାଦ କରି ସେଠାରୁ ସେ ପ୍ରସ୍ଥାନ କଲେ l
ଏହି ଥିଲେ ସରମା ରାମଭକ୍ତ ବିଭୀଷଣଙ୍କ ପତ୍ନୀ l ତାଙ୍କୁ ଥରେ ସୀତା ଖୁସିହୋଇ କହିଥିଲେ ମୋତେ ଲୋକେ କହନ୍ତି ରମା, ତୁମେ ମୋର ହିତ କାରିଣୀ ସରମା l ସରମା ଏବଂ ବିଭୀଷଣଙ୍କ କନ୍ୟା ଥିଲେ ତ୍ରିଜଟା l ଅଶୋକ କାନନରେ ସୀତାଙ୍କୁ ବନ୍ଦି କରି ରାବଣ, ରାକ୍ଷସୀ ମାନଙ୍କୁ ଜଗାଇ ଥିଲା l ସମସ୍ତେ ସୀତାଙ୍କ ମନରେ ଭୟସଞ୍ଚାର କରୁଥିଲେ l ତ୍ରିଜଟା ଓ ସରମା କିନ୍ତୁ ଥିଲେ ଏଥିରେ ବ୍ୟତିକ୍ରମ l ଦୁହେଁ ସର୍ବଦା ସମସ୍ତଙ୍କ ଆଢ଼ୁଆଳରେ ଜାନକୀଙ୍କ ପାଖେ ପାଖେରହି ତାଙ୍କୁ ବାରମ୍ବାର ସାନ୍ତ୍ଵନା ଦେଉଥିଲେ l
ସରମା ଥିଲେ, ଗନ୍ଧର୍ବ ଶୈଳୁଷଙ୍କ କନ୍ୟା l ରାବଣ ନିଜେ ବିଭୀଷଣଙ୍କ ଵିଵାହ ନିମନ୍ତେ ଗନ୍ଧର୍ବ କନ୍ୟା ସରମାଙ୍କୁ ଚୟନ କରି ଆଣିଥିଲା l ସରମାଙ୍କ ଜନ୍ମ ହୋଇଥିଲା ମାନସରୋବର କୂଳରେ l ଜନ୍ମ ପରେ ସେ ମାନ ସରୋବରର ବର୍ଦ୍ଧିଷ୍ଣୁ ଜଳ ରାଶିକୁ ଦେଖି କାନ୍ଦିବାକୁ ଲାଗିଲେ l ପିଲାଟିର କାନ୍ଦ ଦେଖି ତାଙ୍କ ମାଆ ହ୍ରଦକୁ ଆଦେଶ ଦେଲେ,’ସରୋ ମା ବର୍ଦ୍ଧ’ l ଅର୍ଥାତ୍, ହେ ସରୋବର ! ତୁମେ ଆଉ ବଢ଼ନାହିଁ l ଏଥିରୁ ତାଙ୍କର ନାମ ହେଲା, ” ସରମା” l ଆନନ୍ଦ ରାମାୟଣର ବର୍ଣ୍ଣନା ଅନୁଯାୟୀ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମୟରେ ତ୍ରିଜଟା ଓ ସରମା ପୁଷ୍ପକ ବିମାନରେ ଅଯୋଧ୍ୟା ଯାତ୍ରା କରିଥିଲେ l
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Comments are closed.