ବାଲେଶ୍ବର, ୧୦ା୪(କୃଷ୍ଣ କୁମାର ମହାନ୍ତି): ନିଜ ଭିତରେ ‘ମୁଁ’କୁ ଆବିଷ୍କାର କରିବା ହେଉଛି ଅସ୍ମିତା। ଉତ୍ତରପିଢ଼ି ସ୍ବାର୍ଥ, ପଦଲେହନ ନୀତି ତ୍ୟାଗ କରି ନିଜକୁ ଭଲ ପାଇଲେ ଜାତିର ବିକାଶ ଓ ସୁସ୍ଥ ସମାଜ ଗଠନ ହୋଇପାରିବ। କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଗୁରୁବାର ୫ମ ସମଲେଶ୍ବରୀ ବର୍ଦ୍ଧନ ସ୍ମାରକୀ ବକ୍ତୃତା-୨୬ ଓ ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଓ ବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ ଉପରୋକ୍ତ ବକ୍ତବ୍ୟ ରଖିଛନ୍ତି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜ ହତାରେ ଥିବା କୁନ୍ତଳା କୁମାରୀ ସାବତଙ୍କ ପ୍ରତିମୂର୍ତ୍ତି ଓ ସମଲେଶ୍ବରୀ ବର୍ଦ୍ଧନଙ୍କ ପୈତୃକ ଘରେ ତାଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ଅଧ୍ୟକ୍ଷା ଡକ୍ଟର ଝାନ୍ସୀ ଜେନା କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ। ବିଶିଷ୍ଟ ଶିକ୍ଷାବିତ ତଥା କେକେଏସ ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସମଲେଶ୍ବରୀ ବର୍ଦ୍ଧନଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପୈତୃକ ଜମି ଓ କୋଠା କଲେଜ ହଷ୍ଟେଲ ପାଇଁ ଦାନ କରିଥିବାରୁ ପରିବାରବର୍ଗଙ୍କୁ କୃତଜ୍ଞତା ଜଣାଇଥିଲେ। ଡକ୍ଟର ସଞ୍ଜୀବିତା ଦାସ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଡକ୍ଟର ସସ୍ମିତା ସେଠୀ ଓ ଛାତ୍ରୀମାନେ ବେଦମନ୍ତ୍ର ପାଠ କରିଥିଲେ। ଆଇକ୍ୟୁଏସି ସଂଯୋଜକ ଡକ୍ଟର ନାରାୟଣ ସୁରଜିତ ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ସାମଲ ‘ଓଡ଼ିଆ ଅସ୍ମିତା ଓ ଉତ୍ତରପିଢ଼ି’ର ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ନିଜକୁ ଚିହ୍ନି ‘ମୁଁ’କୁ ଆବିଷ୍କାର କରିବା ହେଉଛି ଅସ୍ମିତା। କବିବର ରାଧାନାଥ ରାୟ ‘ଚିଲିକା’ ଖଣ୍ଡକାବ୍ୟରେ ଅସ୍ମିତା ଶବ୍ଦର ବ୍ୟବହାର କରିଥିଲେ। ଓଡ଼ିଆ ଜାତି କ’ଣ ତାହା ଆଜି ଓଡ଼ିଆମାନେ ଜାଣୁ ନାହାନ୍ତି। ନିଜକୁ ଚିହ୍ନୁ ନଥିବା; ନିଜର ଗୌରବମୟ ଇତିହାସ ଜାଣିନଥିବା ଆଜିର ଓଡ଼ିଆଙ୍କ ମଧ୍ୟରେ ଅସ୍ମିତା ରକ୍ଷା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରୁଛି। ମଧୁବାବୁଙ୍କ ଉକ୍ତିକୁ ଉଦ୍ଧାର କରି ଉତ୍ତରପିଢ଼ି ସ୍ବାର୍ଥ ଓ ପଦଲେହନ ନୀତିକୁ ପରିତ୍ୟାଗ କରି ‘ମୁଁ’ ଭିତରେ ସମାଜ ଓ ଜାତିକୁ ଭଲ ପାଉଥିବା ‘ମୁଁ’କୁ ଆବିଷ୍କାର କରିବା ଆଜିର ଉତ୍ତରପିଢ଼ିର ଦାୟିତ୍ବ ହେଉ ବୋଲି ପ୍ରଫେସର ସାମଲ ପରାମର୍ଶ ଦେଇଥିଲେ।