ରାଉରକେଲା: ଡାଇରିଆରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ରାଉରକେଲା: ଡାଇରିଆରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କିଷାନଟୋଲାର ବିଜୟ କିଷାନ। ବେଦବ୍ୟାସର ଜୟପ୍ରକାଶ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ତେଣେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସେକ୍ଟର ୨୧ ନୟାବଜ଼ାରର ସରୋଜିନୀ ଖଣ୍ଡାୟତ (୪୯) l ଗତକାଲି ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସରୋଜିନୀ ଆଖି ବୁଜିବା ପରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଥିଲା

ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣ ସୁଦ୍ଧା ରାଉରକେଲାରେ ଡାଇରିଆରେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଥିଲା। ଆକ୍ରାନ୍ତ ହୋଇଥିବା ଆଉ ଦୁଇଜଣ ବ୍ୟକ୍ତିଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ମୃତକ ହେଲେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଅସଲମ ଓ ରାଉରକେଲା ଗାନ୍ଧୀରୋଡର ଅତୁଲ କିସାନ (୭୦)। ପୂର୍ବରୁ ଗତକାଲି ରାତିରେ ରାଉରକେଲା ରେଳ ଷ୍ଟେସନ୍ ନିକଟ ନୀଳାଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ବାଇଁ(୫୨) ଆଖି ବୁଜିଥିଲେ। ସେ ହାଇଟେକ୍ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଆଖି ବୁଜିଥିଲେ। ପ୍ରଣବଙ୍କୁ ମିଶାଇ ମୋଟ ୫ଜଣଙ୍କ ଜୀବନ ନେଇଥିଲା ଡାଇରିଆ। ଗତ ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ମୋଟ ୪ ଜଣ ଏଥିରେ ପ୍ରାଣ ହରାଇଥିଲେ। ସେମାନେ ହେଲେ ରାଉରକେଲା ପାନପୋଷର ଗ୍ଲାସନ୍‌ ସାମନ୍ତ (୩୮), ଉଦିତ ନଗରର ନାନ୍‌ସି ଦୁ‌ବେ (୭୫), ପାନପୋଷ ତରକେରାର ଫୁଲତୋଳି ଗୌଡ଼ (୨୩) ଓ ଉଦିତନଗର ଓରାମପଡ଼ାର ଅହଲ୍ୟା ନାୟକ (୭୦)।

ଗତକାଲି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ବିଜେପିର ବରିଷ୍ଠ ନେତା ନିହାର ରାୟ ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦୁହେଁ କହିଥିଲେ। ସେପରି ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଧ୍ୟ ଆରଜିଏଚରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

 

 

Comments are closed.