ଜୟପୁର: ପତ୍ନୀଙ୍କ ଅନୁସୂଚିତ ଜାତି ପ୍ରମାଣପତ୍ରର ଯାଞ୍ଚ ରିପୋର୍ଟ ପ୍ରଦାନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ତହସିଲ ଅନ୍ତର୍ଗତ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜ ବାଲା ମଙ୍ଗଳବାର ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ସରକାରୀ ନିୟମ ଅନୁସାରେ ଫି’ ପୈଠ କରି ଅନଲାଇନ୍ ଆବେଦନ କରିଥିଲେ। ମାତ୍ର ଆରଆଇ ଶ୍ରୀ ବାଲା କାମରେ ବିଳମ୍ବ କରାଇ ସମ୍ପୃକ୍ତ କାର୍ଯ୍ୟ ପାଇଁ ମୋଟ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କାମ ପୂର୍ବରୁ ଆଗୁଆ ୮,୦୦୦ ଟଙ୍କା ଏବଂ କାର୍ଯ୍ୟ ଶେଷ ପରେ ବାକି ୨,୦୦୦ ଟଙ୍କା ଦେବାକୁ ଦୁହିଁଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା।
ଏ ନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ପୂର୍ବପ୍ରସ୍ତୁତି ଅନୁଯାୟୀ ଚଢ଼ାଉ କରିଥିଲା। ଆରଆଇ ନିଜ ଅଫିସ୍ ଚାମ୍ବରରେ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହ ସମ୍ପୂର୍ଣ୍ଣ ଅର୍ଥ ଜବତ କରିଛନ୍ତି।
ଗିରଫଦାରୀ ପରେ ଶ୍ରୀ ବାଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରିବା ପାଇଁ ତାଙ୍କ ସହ ଜଡ଼ିତ ଦୁଇଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ ଜାରି ରହିଛି। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।
ସୂଚନାନୁଯାୟୀ, ସୂରଜ ବାଲା ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଏକ ଇସି କେସ୍ ନୋଟିସ୍ ପ୍ରଦାନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ଯାହା କୋର୍ଟରେ ବିଚାରାଧୀନ ରହିଛି।
Sign in
Sign in
Recover your password.
A password will be e-mailed to you.