ନନ୍ଦନକାନନ: ୪ଦିନ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଚାଳନା ମୂଲ୍ୟାୟନ କରି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶୁକ୍ରବାର ଫେରି ଯାଇଛନ୍ତି। ସେମାନେ ପରିଚାଳନାକୁ ପ୍ରଶଂସା କରିବା ସହ ଖୁବ୍ଶୀଘ୍ର ମୂଲ୍ୟାୟନ ଫଳାଫଳ ପ୍ରେରଣ କରାଯିବ ବୋଲି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ତଥା ବନ୍ୟପ୍ରାଣୀ ଚିକିତ୍ସକ ଡା. ଜାକପ୍ ଆଲେକଜାଣ୍ଡାର ଓ ଅବସରପ୍ରାପ୍ତ ଆଇଏଫଏସ୍ କୁଣ୍ଡଲ ରାଏ ଗତ ମଙ୍ଗଳବାର ଏଠାରେ ପହଞ୍ଚି ପ୍ରାଣୀ ଉଦ୍ୟାନର କାର୍ଯ୍ୟଧାରା ଯାଞ୍ଚ ଆରମ୍ଭ କରିଥିଲେ।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଏକ ବୈଠକରେ ବିଭିନ୍ନ କାର୍ଯ୍ୟଧାରା ଓ ଉନ୍ନୟନ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବୈଠକରେ ନନ୍ଦନକାନନ ନିର୍ଦେଶକ ସନଥ କୁମାର ନାରାୟଣ, ଉପ ନିର୍ଦେଶକ ଅଭୟ କୁମାର ଦଳେଇ, ଜୀବ ବିଜ୍ଞାନୀ ଡ. ରାଜେଶ କୁମାର ମହାପାତ୍ର, ଶିକ୍ଷା ଅଧିକାରୀ ମିଲନ ପଣ୍ଡା, ଜନ୍ତୁ ପରିଚାଳନା ବିଭାଗ ସହକାରୀ ବନ ସଂରକ୍ଷକ ନୂତନ କୁମାର ହେମ୍ବ୍ରମଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ବିଭାଗ ସହକାରୀ ବନସଂରକ୍ଷକ ମନସ୍ମିତା ମହାରଣା, ରାଜ୍ୟ ଉଦ୍ଭିଦ ଉଦ୍ୟାନ ସହକାରୀ ବନ ସଂରକ୍ଷକ କ୍ଷୀରାବ୍ଧି ପ୍ରଧାନ, ବନାଞ୍ଚଳ (ରେଞ୍ଜର) ଖେଳପ୍ରିୟ ସାହୁ, ମିନାକ୍ଷୀ ବିଶ୍ବାଳ, ରଞ୍ଜିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।