ଧର୍ମ ପରାୟଣା ମହିଳା ଗୁନୁ ଦାସଙ୍କ ପରଲୋକ ଗମନ

0

ନୟାଗଡ଼ (୨୭/୩) : ଓଡ଼ଗାଁ ଅଞ୍ଚଳରେ ପୁଣିଥରେ ଶୋକର ଛାୟା ଖେଳି ଯାଇଛି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପରଲୋକର ମାତ୍ର ଏକ ମାସ ପରେ, ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଗୁନୁ ଦାସ ମଧ୍ୟ ଏହି ନଶ୍ୱର ଜଗତକୁ ଚିରବିଦାୟ ଜଣାଇଛନ୍ତି। ସେ ଗତ ବୁଧବାର, ମାର୍ଚ୍ଚ ୨୫, ୨୦୨୬ ସନ୍ଧ୍ୟା ୭ଟା ୧୫ମିନିଟ ସମୟରେ ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଶ୍ରୀମତୀ ଗୁନୁ ଦାସ ଏକ ସରଳ, ସହନଶୀଳତା ଓ ଧାର୍ମିକ ପ୍ରବୃତ୍ତିର ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ। ସେ ସଦା ସର୍ବଦା ପରିବାରର ଏକତା ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ୱାଧୀନତା ସଂଗ୍ରାମରେ ଯେପରି ସେ ନିରବ ସହଯୋଗ ଓ ଆତ୍ମବଳ ଯୋଗାଇଥିଲେ, ତାହା ତାଙ୍କର ଜୀବନର ଏକ ଅଲୋଚନୀୟ ଅଂଶ। ତାଙ୍କର ପରଲୋକ ସମୟରେ ପରିବାରର ସଦସ୍ୟମାନେ ତାଙ୍କ ପାଖରେ ଉପସ୍ଥିତ ଥିଲେ। ସେ ତାଙ୍କ ପଛରେ ପୁଅ-ଝିଅ, ନାତି-ନାତୁଣି ଓ ଅନେକ ସ୍ନେହୀ ପରିଜନଙ୍କୁ ଛାଡ଼ି ଯାଇଛନ୍ତି।
ଗ୍ରାମବାସୀ ଓ ଅଞ୍ଚଳର ବିଭିନ୍ନ ମହଲର ଲୋକମାନେ ତାଙ୍କର ମୃତ୍ୟୁ ସମ୍ବାଦ ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ମାସ ମଧ୍ୟରେ ଦମ୍ପତିଙ୍କ ପରଲୋକ ଗ୍ରାମ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମନେ କରୁଛନ୍ତି।
ସ୍ଥାନୀୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଦମ୍ପତିଙ୍କ ଜୀବନ ଓ ତ୍ୟାଗ ଆଗାମୀ ପିଢ଼ୀ ପାଇଁ ଏକ ପ୍ରେରଣା ସୃଷ୍ଟି କରିବ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି। ରିପୋର୍ଟ- ସନାତନ ମହାକୁଡ଼

Leave A Reply

Your email address will not be published.