ପୁରୀ : ଆଗେଇ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ର ପ୍ରସ୍ତୁତି । ଶୁକ୍ରବାର ଶ୍ରୀରାମ ନବମୀ ଅବସରରେ ରଥ କାଠ ଚିରଟ ଅନୁକୂଳ ହେବ । କଟକ ଖପୁରିଆସ୍ଥିତ କରତ କଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଶୁଭାରମ୍ଭ ହେବ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ ସକାଳୁ କଟକ ଯାତ୍ରା କରିବେ ବୋଲି ଭାରପ୍ରାପ୍ତ ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ଚିତ୍ତରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।
ରଥକୋଡ୍ ଅନୁସାରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ୨୦୨୫ ମସିହାରୁ ୪୭ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ଥିବାରେ ଆସନ୍ତା ରଥ ଯାତ୍ରା ପାଇଁ ଆଉ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି । ସେଥିରୁ ବଡ଼ଦାଣ୍ଡ ରଥଖଳାକୁ ୪୧୬ କାଠ ଓ ଚିରଟ ପାଇଁ କରତ କଳକୁ ୪୦୨ ଖଣ୍ଡ ପହଞ୍ଚାଇବାକୁ ବନ ବିଭାଗକୁ କୁହାଯାଇଛି । ଏଥିସହ ୧୦୦ ଖଣ୍ଡ କଞ୍ଚା କାଠ ଦରକାର । ଏଥିରେ ଅସନ, ଧଉରା, ଫାଶି ଓ ଶିମିଳି ଆଦି କାଠ ରହିଛି । ଦଫା ଦଫା ହୋଇ ରଥ କାଠ କରତକଳ ଓ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚୁଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ ହେବ ।