ରାଘବ ଯାଦବୀୟମ୍

ଅର୍ଜୁନୀ ଚରଣ ବେହେରା

0

ରାଘବ ଯାଦବୀୟମ୍ ଶୀର୍ଷକରୁ ମନେହୁଏ ସଂସ୍କୃତ ସାହିତ୍ୟରେ ଏହା ରଘୁକୂଳ ଓ ଯଦୁକୂଳ ସମ୍ବନ୍ଧୀୟ କୌଣସି ଏକ ରଚନା l ତାହାହିଁ ସତ୍ୟ, ଏହି କାବ୍ୟ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଦକ୍ଷିଣ ଭାରତୀୟ କବି ଶ୍ରୀଭେଙ୍କଟଧ୍ୱାରୀଙ୍କ ରଚନାରେ ଏକ ଅନନ୍ୟ ଗ୍ରନ୍ଥ l ମାତ୍ର ତିରିଶି ଗୋଟି, ଶ୍ଳୋକରେ ରଚିତ ଏହି ପୁସ୍ତକ ବାସ୍ତବରେ ସାହିତ୍ୟ ଜଗତରେ ଏକ ବିସ୍ମୟ l ଛୋଟ ଏହି ପୁସ୍ତକରେ ଏକା ସଙ୍ଗେ ଅନୁଲୋମ ପ୍ରତିଲୋମ ପଦ୍ଧତିରେ ରଘୁକୂଳ ତିଳକ ଶ୍ରୀରାମ ଓ ଯଦୁ ଶ୍ରେଷ୍ଠ ଭଗବାନ୍ ଶ୍ରୀକୃଷ୍ଣଙ୍କ କଥା ବର୍ଣ୍ଣିତହୋଇଛି l ଶ୍ଳୋକ ଗୁଡ଼ିକର ବିଶେଷତା ଏହି, ଗୋଟିଏ ଶ୍ଳୋକକୁ ସିଧା ପଢ଼ିଲେ, ତାହା ପ୍ରଭୁ ଶ୍ରୀରାମଙ୍କୁ ବୁଝାଇବ ଓ ସେହି ଶ୍ଳୋକକୁ ପୁଣି ଲେଉଟାଇ ପଢ଼ିଲେ ତାହା ଭଗବାନ୍ ଶ୍ରୀକୃଷ୍ଣଙ୍କୁ ବୁଝାଇବ l
ଏହି ବିଖ୍ୟାତ ଗ୍ରନ୍ଥର ରଚୟିତା ଶ୍ରୀଭେଙ୍କଟଧ୍ୱରୀଙ୍କ ଜନ୍ମ, ତାମିଲନାଡୁର କାଞ୍ଚି ପୁରମ୍ ନିକଟବର୍ତ୍ତୀ ଏକ ଅଖ୍ୟାତ ପଲ୍ଲୀ ଅରସନ ପଲ୍ଲୀ ଠାରେ ହୋଇଥଲା l ତାଙ୍କ ଦ୍ଵାରା ରଚିତ ୧୪ ଟି ଗ୍ରନ୍ଥ ମଧ୍ୟରେ ଶ୍ରୀରାଘବ ଯାଦବୀୟମ୍ ଓ ଶ୍ରୀଲକ୍ଷ୍ମୀସହସ୍ତ୍ରମ୍ ସର୍ଵଶ୍ରେଷ୍ଠ ଭାବେ ବିବେଚିତ ହୁଏ l କବି ଭେଙ୍କଟାଧ୍ୱରୀଙ୍କ ଗୁରୁ ଥିଲେ ବେଦାନ୍ତ ଦର୍ଶନର ପ୍ରଖ୍ୟାତ ପଣ୍ଡିତ, ରାମାନୁଜପନ୍ଥୀ ଶ୍ରୀବେଦାନ୍ତ ଦେଶିକ l କୁହାଯାଏ ଶ୍ରୀଭେଙ୍କଟଧ୍ୱାରୀ ଜନ୍ମରୁ ଅନ୍ଧ, କିନ୍ତୁ ଅସାଧାରଣ ଧୀଶକ୍ତିର ଅଧିକାରୀ ଥିଲେ l ଗୁରୁଙ୍କ ସାନ୍ନିଧ୍ୟରୁ ସେ ଅସାଧାରଣ ପାଣ୍ଡିତ୍ୟ ଲାଭ କରିଥିଲେ l ତାଙ୍କ ଗୁରୁ ବେଦାନ୍ତ ଦେଶିକଙ୍କ ସାହିତ୍ୟଜଗତକୁ ମହାନଦାନ ଚିତ୍ରକାବ୍ୟ ‘ପାଦୁକା ସହସ୍ରମ୍’ l କୁହାଯାଏ, କବି ଭେଙ୍କଟ, ମହାନ୍ ଗ୍ରନ୍ଥ “ଲକ୍ଷ୍ମୀ ସହସ୍ରମ୍” ରଚନା କଲା ପରେ, ତାଙ୍କ ଦୃଷ୍ଟି ଶକ୍ତି ଫେରି ପାଇଥିଲେ l
କବିଙ୍କ ରଚିତ ଏହି କାବ୍ୟକୁ ଅନୁଲୋମ-ବିଲୋମ କାବ୍ୟ ମଧ୍ୟ କୁହାଯାଏ l ନିଶ୍ୱାସ ଗ୍ରହଣ କରିବା ଓ ପ୍ରସ୍ୱାସ ଛାଡ଼ିବାକୁ,ଅନୁଲୋମ ଓ ବିଲୋମ ପ୍ରକ୍ରିୟା କୁହାଯାଏ l ଏହି ଦୁଇଟି ପ୍ରକ୍ରିୟା ଯେପରି ପରସ୍ପର ବିପରୀତ ସେହିପରି ଭାବେ ସମ୍ପୂର୍ଣ୍ଣ ଗ୍ରନ୍ଥଟି ରଚିତ l
ସମ୍ପୂର୍ଣ୍ଣ ଗ୍ରନ୍ଥରେ ତିରିଶିଟି ଶ୍ଳୋକ ଥିଲେହେଁ ଓଲଟା କ୍ରମରେ ଏହା ଆଉ ତିରିଶିଟି ଶ୍ଳୋକ ହେବ l ଏଣୁ ଏହାକୁ ଷାଠିଏ ଗୋଟି ଶ୍ଲୋକର ସମାହାର ବୋଲି କୁହାଯାଇପାରେ l ଏଥିରେ ପ୍ରଥମ ତିନି ଶ୍ଳୋକରେ ସମ୍ପୂର୍ଣ୍ଣ ରାମାୟଣ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ ବର୍ଣ୍ଣିତ l
ଆସନ୍ତୁ ଉଦାହରଣ ସ୍ୱରୂପ ଏହି ଚମତ୍କାରୀ ଗ୍ରନ୍ଥର ଗୋଟିଏ ଶ୍ଲୋକକୁ ଦେଖିବା l
ପ୍ରଥମ ଶ୍ଳୋକ:-
ବନ୍ଦେହଂ ଦେବଂ ତଂ ଶ୍ରୀତଂ
ରନ୍ତାରଂ କାଲଂ ଭାସା ୟଃ l
ରାମୋ ରାମାଧୀରାପ୍ୟାଗୋ
ଲୀଲାମାରାୟୋଧ୍ୟେ ବାସେ ll
ଅର୍ଥାତ୍, ମୁଁ ସେହି ଭଗଵାନ ଶ୍ରୀରାମଙ୍କ ଚରଣରେ ପ୍ରଣାମ କରୁଛି ଯାହାଙ୍କ ହୃଦୟମଧ୍ୟରେ ସଦା ସୀତା ବାସ କରନ୍ତି ଏବଂ ଯିଏ ତାଙ୍କ ପତ୍ନୀ ସୀତାଙ୍କ ପାଇଁ ସହ୍ୟାଦ୍ରୀ ପର୍ବତ ମାଳାକୁ ଅତିକ୍ରମ ପୂର୍ବକ ଲଙ୍କାକୁ ଯାଇ ରାବଣ ନିଧନକଲେ ଏବଂ ବନବାସ ସମାପ୍ତ କରି ଅଯୋଧ୍ୟା ଫେରି ଆସିଲେ l
ବିଲୋମରେ ସେହି ଶ୍ଲୋକଟି:-
ସେବାଧ୍ୟେୟୋ ରାମାଲାଲୀ
ଗୋପ୍ୟାରାଧି ଭାରାମୋରା l
ଯସ୍ୟାଭାଲଂକାରଂ ତାରଂ ତଂ
ଶ୍ରୀତଂ ବନ୍ଦେହଂ ଦେବମ୍ ll
ଅର୍ଥାତ୍, ମୁଁ ରୁକ୍ମିଣୀ ଓ ଗୋପୀମାନଙ୍କ ଦ୍ଵାରା ପୂଜ୍ୟ ଭଗବାନ୍ ଶ୍ରୀକୃଷ୍ଣଙ୍କ ଚରଣ ବନ୍ଦନା କରୁଛି ସର୍ବଦା ଯିଏ ମାଆ ଲକ୍ଷ୍ମୀଙ୍କ ସହିତ ବିରାଜମାନ କରନ୍ତି ଓ ଯାହାଙ୍କ ଶୋଭା ଜଗତର ସମସ୍ତ ଶୋଭାକୁ ହରଣ କରି ନେଇଥାଏ l
ବାସ୍ତବରେ ଏହି ଚମତ୍କାର କୃତି ସାହିତ୍ୟ ଜଗତରେ
ଏକ ବିସ୍ମୟ l ଧନ୍ୟ ଆମର ଦେବ ଭାଷା ସଂସ୍କୃତ l ଧନ୍ୟ ସେହି ମହାନ୍ କବି ଶ୍ରୀଭେଙ୍କଟଧ୍ୱାରୀ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Leave A Reply

Your email address will not be published.