ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଜାନୁଆରି ୨୨ରେ ହେବାକୁ ଥିବା ବେଳେ ଏନେଇ ସାରା ଭାରତବାସୀ ଉତ୍ସାହିତ ଅଛନ୍ତି। ପ୍ରାଣ ପ୍ରତିଷ୍ଠାକୁ ଆଖି ଆଗରେ ରଖି କର୍ଣ୍ଣାଟକର କଂଗ୍ରେସ ସରକାର ମନ୍ଦିରରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ନେଇ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ, ଯାହା ହେଲେ ବି ଆମେ ହିନ୍ଦୁ।
ରାମଚନ୍ଦ୍ରନ ଫାଉଣ୍ଡେସନ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ପାଇଁ କେରଳର ଥିରୁବନନ୍ତପୁରମରେ ପହଞ୍ଚିଥିବା ଶିବକୁମାର କହିଛନ୍ତି ଯେ, “ରାମ ମନ୍ଦିର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏହା ସର୍ବସାଧାରଣଙ୍କ ସମ୍ପତ୍ତି। କୌଣସି ଧର୍ମ କିମ୍ବା ପ୍ରତୀକ କୌଣସି ବ୍ୟକ୍ତିଙ୍କର ନୁହେଁ। ଆମେ ସମସ୍ତ ଲୋକଙ୍କ ଭାବନାକୁ ସମ୍ମାନ ଦେଉଛୁ। ଆମ ସରକାରରେ ସଂଖ୍ୟାଲଘୁ, ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ହିନ୍ଦୁ ଧର୍ମ ପାଇଁ ବିଭାଗ ରହିଛି।”
ତେବେ ପୂର୍ବରୁ ଅନେକ କଂଗ୍ରେସ ନେତା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରି ବିଜେପି ନିଜର ପ୍ରଚାର କରୁଥିବା କହିସାରିଛି କଂଗ୍ରେସ।
କିଛି ଦିନ ତଳେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ଅଧ୍ୟକ୍ଷ ବଦରୁଦ୍ଦିନ ଅଜମଲଙ୍କ ବୟାନ ପାଇଁ ବିବାଦ ଆରମ୍ଭ ହୋଇଥିଲା। ଏକ ରାଲିକୁ ସମ୍ବୋଧିତ କରି ଅଜମଲ କହିଥିଲେ ଯେ, “ଜାନୁଆରି ୨୦ରୁ ୨୬ମଧ୍ୟରେ ମୁସଲମାନମାନେ ଘରେ ରହିବା ଉଚିତ ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଟ୍ରେନରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ।”
Comments are closed.