ସାହିତ୍ୟ ଆଲୋଚନା ଚକ୍ରରେ ଉନ୍ମୋଚନ ହେଲା ପତ୍ରିକା ‘ଅନ୍ନପୂର୍ଣ୍ଣା’ ଓ ‘ତଥାପି ସରି ନାହିଁ’ ପୁସ୍ତକ।

କଲକାତା(୨/୨): କଲକାତା ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦ ଦ୍ୱାରା ଏକ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ରରେ ପୁସ୍ତକ ଲୋକର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଅଛି । ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦର ଉପଦେଷ୍ଟା ଡକ୍ଟର କୃଷ୍ଣଚନ୍ଦ୍ର ଭୂୟାଁ ଓ ରେଣୁକା ରଥଙ୍କ ଯୁଗ୍ମ ପୌରହିତ୍ୟରେ ଆଲୋଚନା ଚକ୍ରଟି ଅନୁଷ୍ଠିତ ହୋଇଛି । ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦିପ ପ୍ରଜ୍ୱଳ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ଲେଖିକା ତଥା ସମ୍ପାଦିକା ମୁଖ୍ଯ ସଂପାଦିକା ଶୈବାଳିନୀ ସାହୁ ଅନ୍ନପୂର୍ଣ୍ଣାର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି କହିଥିଲେ ଯେ ପ୍ରବାସରେ ରହି ବି ଓଡ଼ିଆ ରଚନା, ପତ୍ରିକା ପ୍ରକାଶନ ଓ ଗଳ୍ପ ଲେଖନ ମାଧ୍ୟମରେ ନିଜ ଜନ୍ମମାଟି ସହିତ ଯୋଡ଼ି ହେବାର ପରିକଳ୍ପନାକୁ ବାସ୍ତୟବିତ କରିପାରିଛନ୍ତି । କିପରି ଋଚିପୂର୍ଣ୍ଣ ଲେଖା ଓ ସୃଷ୍ଟିଗୁଡ଼ିକୁ ପାଠକମାନଙ୍କ ନିକଟରେ ସହଜ ଓ ସରଳ ଭାବେ ପହଞ୍ଚାଇ ପାରିବେ ତେଣୁ ଏହି ପତ୍ରିକାର ପ୍ରକାଶନର ଅଭିପ୍ରାୟ ।
ଡକ୍ଟର କୃଷ୍ଣଚନ୍ଦ୍ର ଭୂୟାଁ ଅନ୍ନପୂର୍ଣ୍ଣାର ଜୟଯାତ୍ରା ପାଇଁ ସମ୍ପାଦିକା ଓ ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦକୁ ଧନ୍ୟବାଦ ଦେବା ସହ ଅତୀତରେ କଲକାତାରେ ପ୍ରକାଶିତ ବହୁ ପତ୍ରିକା ସମ୍ପର୍କରେ ସୂଚନା ଦେଇଥିଲେ । ସେଗୁଡ଼ିକ ସମ୍ମୁଖୀନ ହୋଇଥିବା ସମସ୍ୟାମାନ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହ ନୂତନ ପାଠକ ସୃଷ୍ଟି ପାଇଁ ପରାମର୍ଶ ଦେଇ ସମ୍ପାଦିକାକୁ ତାଙ୍କର ୧୦ମ ପୁସ୍ତକ ଚତୁର୍ଥ ଗଳ୍ପ ସଂକଳନ ‘ତଥାପି ସରିନି’ ଓ ପତ୍ରିକା ପ୍ରକାଶନ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ । ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦ ଆନୁକୁଲ୍ୟରେ ସୁଧାଂଶୁ ଶେଖର ଦ୍ୱିବେଦୀଙ୍କର ଅବିରାମ ସାହିତ୍ୟ ସୃଷ୍ଟିର ଅଂଶ ସ୍ୱରୂପ ‘ଏକ ଫୁଟିଆ’ ବୋଲି କହିଥିଲେ ।
ବାଗ୍ମି ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଲକ୍ଷ୍ମୀନାରାୟଣ ମଲ୍ଲିକ କହିଥିଲେ ଯେ ଆଜିର ଏହି ମାଘ ପୂର୍ଣ୍ଣିମା ତିଥିରେ ଅନ୍ନପୂର୍ଣ୍ଣାର ଦ୍ୱିତୀୟ ସଂସ୍କରଣ ପାଠକାର୍ପଣ ବେଶ୍ ଗୁରୁତ୍ୱ ରଖେ । ଯେତେବେଳେ ଏହାର ପ୍ରଥମ ସଂଖ୍ୟାଟି ହେରାପଞ୍ଚମି ଦିନ ଲୋକାର୍ପଣ ହୋଇଥିଲା । ଏହା ଏକ ଦୃଷ୍ଟାନ୍ତ ଯେ ଆମର ପ୍ରିୟ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କଠାରେ ଏହାକୁ ଉତ୍ସର୍ଗିକୃତ କରି ପାଠକଙ୍କୁ ପ୍ରସାଦ ସ୍ୱରୂପ ସମର୍ପଣ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାଛଡ଼ା ସେ ଶୈବାଳିନୀ ସାହୁଙ୍କ ‘ତଥାପି ସରିନି’ ଓ ସୁଧାଂଶୁ ଶୋଖର ଦ୍ୱିବେଦୀଙ୍କ ‘ଏକ ଫୁଟିଆ’ ଗଳ୍ପ ପ୍ରକାଶନ ପାଇଁ ସେମାନଙ୍କର ସାହିତ୍ୟ ଯାତ୍ରାର ଅଭିବୃଦ୍ଧି କାମନା କରିଥିଲେ । ସେ କହିଥିଲେ ସାହିତ୍ୟ ଏପରି ଏକ ମାଧ୍ୟମ ଯାହାଦ୍ୱାରା ପରସ୍ପରର ମନର କଥାକୁ ବୁଝିବାରେ ସହଜ ହୋଇଥାଏ ।ରେଣୁକା ରଥ କଲକାତା ଅତୀତର ଓଡ଼ିଆ ସାହିତ୍ୟ ପରିବେଶ କଥାକୁ ସ୍ମରଣ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଦିର୍ଘ ଦିନର ବ୍ୟବଧାନ ପରେ ହେଉ ପଛେ ପୁଣି ଓଡ଼ିଆ ସାହିତ୍ୟପ୍ରତି ଅନୁରାଗୀ ଓ ରୁଚି ରଖୁଥିବା ବ୍ୟକ୍ତିମାନଙ୍କୁ ଏକାଠି କରିବାରେ ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦର ପ୍ରୟାସକୁ ପ୍ରଶଂସା କରିଥିଲେ । ଆଗକୁ ଏହି ଆଲୋଚନା କିପରି ଜାରି ରହିବ ସେଥିପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ।
ସାଫଲ୍ୟ କୁମାର ନନ୍ଦି ଓଡ଼ିଆ ସାହିତ୍ୟରେ ପାଠକମାନଙ୍କ ସଂଖ୍ୟା ହ୍ରାସ ଉପରେ ଚିନ୍ତାପ୍ରକଟ କରି କହିଥିଲେ ଯେ କିପରି ଆଗକୁ ନୂତନ ପାଠକ ସୃଷ୍ଟି ହେବ ସେଥିପାଇଁ ଲେଖକମାନଙ୍କୁ ଚେଷ୍ଟା କରିବାକୁ ହେବ । ଆଜିକାଲି ଲେଖକଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ପାଠକମାନଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଇ ଚାଲିଛି । ତେଣୁ ଆଶା କରାଯାଇପାରେ ଅନ୍ନପୂର୍ଣ୍ଣା ଏହି ଅଭିଳାଷା ପୂରଣରେ ସହଯୋଗୀ ହେବ ।
ସଂଗୀତ ପ୍ରଯୋଜକ ସୁଶାନ୍ତ କୁମାର ବେହେରା ଓଡ଼ିଆ ସାହିତ୍ୟରେ ଆଜିକାଲି ଲେଖାଯାଉଥିବା କବିତା ଗୁଡ଼ିକୁ କିପରି ସଂଗୀତ ରୂପେ ସ୍ରୋତାଙ୍କ ନିକଟରେ ପହଞ୍ଚାଇ ହେବ ତାହା ବହୁଳଭାବରେ ଚେଷ୍ଟା ହେବା ଉଚିତ୍ । ଯାହା ଆଜିକାଲି ଧୀରେ ଧୀରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତାହା ଏକ ଶୁଭ ସଂକେତ କହିଲେ ଅତୁ୍ୟକ୍ତି ହେବ ନାହିଁ ।
ଅନ୍ନପୂର୍ଣ୍ଣାର ସଭାପତି ସମୀକ୍ଷକ,ଅନୁବାଦକ ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ ଦୂରସଂଚାରି ମାଧ୍ୟମରେ ନିଜର ବକ୍ତବ୍ୟ ଉପସ୍ଥାପନ କରି କହିଥିଲେ ଯେ ପ୍ରବାସ ଓ ସବାସ ଦୁଇଟିର ମିଳନ ହେଉଛି ଅନ୍ନପୂର୍ଣ୍ଣାର ଲକ୍ଷ୍ୟ । ସାହିତ୍ୟିକ ପ୍ରଶାନ୍ତ କୁମାର ନାଥ ଉଭୟ ସୃଷ୍ଟି ଓ ସ୍ରଷ୍ଟାମାନଙ୍କର ଏହି ମିଳନ ଉତ୍ସବର ପ୍ରୟାସ ପାଇଁ ଅନ୍ନପୂର୍ଣ୍ଣା ପରିବାରକୁ ଅଭିନନ୍ଦନ ପ୍ରାଦନ ସହ ଏହାର ପ୍ରକାଶନ ଓ ପରିଚାଳନାଗତ ପରାମର୍ଶ ସ୍ୱରୂପ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ‘ତଥାପି ସରିନି’କୁ ସେ ଲେଖିକାଙ୍କର ସ୍ୱୀକୃତି ସ୍ୱରୂପ ବୋଲି କହିଥିଲେ । ସେ କହିଥିଲେ ଲେଖିକା ଏହି ବହିଟିର ନାମକରଣ ଅନୁଯାୟୀ ସ୍ୱୀକାର କରିଛନ୍ତି ଯେ ତାଙ୍କର ସାହିତ୍ୟ ଜୀବନଯାତ୍ରା ଏହିଠାରେ ଅଟକି ନଯାଇ ଆଗକୁ ଅଗ୍ରସର ହେବା ନିତ୍ୟାନ୍ତ ଆବଶ୍ୟକ ।
ସୁଧାଂଶୁ ଶେଖର ଦ୍ୱିବେଦୀଙ୍କ ‘ଏକ ଫୁଟିଆ’ ଗଳ୍ପ ସଂକଳନ ବିଶେଷ କରି କୁନିକୁନି ପିଲାମାନଙ୍କ ମନରେ ସାହିତ୍ୟ ପ୍ରତି ଅନୁରକ୍ତ ହେବାର ଇଚ୍ଛାକୁ ଉଦ୍ରେକ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୂପେଶ ମିଶ୍ର, କୃତ୍ତିବାସ ମହାପାତ୍ର, ମନୋରଞ୍ଜର ସାହୁ, ହିମାଂଶୁ ବିଡ, ପ୍ରଶାନ୍ତ ବାରିକ, ଗାୟତ୍ରୀ ବାରିକ, ରମାକାନ୍ତ ସାହୁ, ନିଳୀମା ଭୂୟାଁ, ଭାରତୀ ନନ୍ଦି, ଶୁଭସ୍ମିତା ସାମଲ ଓ ୟସିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ ।ରିପୋର୍ଟ-ସନାତନ ମହାକୁଡ଼।

Comments are closed.