ଭୁବନେଶ୍ୱର : ଓଡ଼ିଶାର ଖଣି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ନୂତନ ଜ୍ଞାନକୌଶଳର ବିନିଯୋଗ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ଖଣି ନିଗମ ଏବଂ ଆଇଆଇଟି (IIT-ISM) ଧନବାଦର ‘ଟେକ୍ସମିନ୍’ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ସହଭାଗିତା ମୁଖ୍ୟତଃ ନିରାପଦ, ସ୍ଥାୟୀ ଏବଂ ଡିଜିଟାଲ୍ ଖଣି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବ ।
ବୁଝାମଣାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଏମସି କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ପ୍ରଶିକ୍ଷଣ ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି । ଖଣି କ୍ଷେତ୍ରରେ ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ଗବେଷଣା ପାଇଁ ମିଳିତ ସହଯୋଗ । ଖଣି କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର । ପରିବେଶ ସୁରକ୍ଷା ସହିତ ସୁରକ୍ଷିତ ଖଣି କାର୍ଯ୍ୟ ପ୍ରଣାଳୀକୁ ପ୍ରୋତ୍ସାହନ । ଓଏମସି ପକ୍ଷରୁ ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ପାଲ ଏବଂ ଆଇଆଇଟି ଧନବାଦର ଡେପୁଟି ଡିରେକ୍ଟର ତଥା ଟେକ୍ସମିନ୍ ଫାଉଣ୍ଡେସନର ପ୍ରୋଜେକ୍ଟ ଡିରେକ୍ଟର ପ୍ରଫେସର ଧୀରଜ କୁମାର ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓଏମସି କର୍ତ୍ତୃପକ୍ଷ କହିଛନ୍ତି, “ଏହି ସହଭାଗିତା ଓଏମସିର କାର୍ଯ୍ୟଦକ୍ଷତାକୁ ଆହୁରି ମଜବୁତ କରିବା ସହ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ଏକ ଦକ୍ଷ କର୍ମଚାରୀ ଗୋଷ୍ଠୀ ପ୍ରସ୍ତୁତ କରିବାରେ ସହାୟକ ହେବ ।” ଓଡ଼ିଶା ସରକାରଙ୍କ ଏକ ‘ଗୋଲ୍ଡ କ୍ୟାଟେଗୋରୀ’ ସଂସ୍ଥା ଭାବେ ଓଏମସି ରାଜ୍ୟର ଶିଳ୍ପ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବର୍ତ୍ତମାନ ଓଡ଼ିଶାରେ ଏହାର ୧୯ଟି ସକ୍ରିୟ ଖଣି ରହିଛି, ଯେଉଁଠାରେ ଲୁହାପଥର, କ୍ରୋମାଇଟ୍ ଏବଂ ବକ୍ସାଇଟ୍ ପରି ଖଣିଜ ଦ୍ରବ୍ୟର ଉତ୍ତୋଳନ କରାଯାଉଛି ।
Comments are closed.