ଭୁବନେଶ୍ବର : ପିଏମ୍ ମୋଦିଙ୍କ ସାପ୍ତାହିକୀ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ’ରେ ପୁଣି ଓଡ଼ିଆଙ୍କ ଗାଥା। ସମ୍ବଲପୁର ମୋଦିପଡ଼ାର ମହିଳା ସଫଳ ମାଛ ଚାଷୀ ସୁଜା ଭୂୟାଁ ଏବଂ ମହିଳାଙ୍କୁ ସଶକ୍ତ କ୍ଷେତ୍ରରେ ନିବନ୍ଧ ପ୍ରସ୍ତୁତ କରିଥିବା କେନ୍ଦ୍ରାପଡ଼ା ଚାନ୍ଦୋଳର ଛାତ୍ର ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କରିଛନ୍ତି ପିଏମ୍ ମୋଦି। ଆଉ ରେଡ଼ିଓ ମାଧ୍ୟମରେ ମୋଦିଙ୍କ ପ୍ରଶଂସା ଶୁଣି ବେଶ୍ ଉତ୍ସାହିତ ଉଭୟେ।ଦେଖନ୍ତୁ ଏକ ରିପୋର୍ଟ।


ବୁଲୁ ବୁଲୁ ବେପାର। ହୀରାକୁଦକୁ ବୁଲିବାକୁ ଆସିଥିଲେ, ହଠାତ୍ ମୁଣ୍ଡକୁ ବୁଦ୍ଧି ପଶିଲା । ଏବେ ବେପାର କରି ଲକ୍ଷପତି। ଆଉ ଏହି ଝିଅକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇଛନ୍ତି ସମ୍ବଲପୁରର ସୁଜାତା ଭୂୟାଁ। ଜଣେ ଗୃହିଣୀ ହୋଇ ମଧ୍ୟ ମାଛ ଚାଷ କରି କିପରି ସ୍ବାବଲମ୍ବୀ ହୋଇପାରିଛନ୍ତି ତାଙ୍କ କଥା କହିଛନ୍ତି ମୋଦି। ଦିନେ ହୀରାକୁଦ ଡ୍ୟାମ ବୁଲିବାକୁ ଆସିଥିଲେ। ଆଉ ମାଛ ଚାଷ ଦେଖି ନିଜେ କିଛି କରିବାକୁ ଯୋଜନା କରିଥିଲେ। ଏବେ ହୀରାକୁଦ ଡ୍ୟାମରେ ଇଏ ହେଉଛି ସୁଜାତାଙ୍କ ହାତର ମାଛ ଚାଷ। କେଜ କଲଚରରେ ମାଛ ଚାଷ କରି ବର୍ଷକୁ ୨୫ରୁ ୩୦ ଟନ ମାଛ ଉତ୍ପାଦନ କରୁଛନ୍ତି। ଆଉ ଏଠାରୁ ଆସୁଥିବା ମାଛ ରାୟପୁର, କୋଲକାତା, ବିଜୟୱାଡା ଯାଉଛି । ସବୁ ପରେ ବର୍ଷକୁ ୬ରୁ ୭ ଲକ୍ଷ ଟଙ୍କା ଲାଭ କରୁଛନ୍ତି ସୁଜାତା। ବଡ କଥା ହେଉଛି ସୁଜାତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ। କେବଳ ଉତ୍ସାହ ଆଉ ମନୋବଳ ତାଙ୍କୁ ଏଠାରେ ପହଞ୍ଚାଇଛି। ଆଗକୁ ଚିଙ୍ଗୁଡି ଚାଷ ସହ ଏହାକୁ ଆହୁରି ବଡ ଆକାରରେ କରିବାକୁ ଯୋଜନା କରିଛନ୍ତି।
ସେହିପରି ମନ୍ କି ବାତ୍ ରେ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓମ୍ ପ୍ରକାଶଙ୍କ ନିବନ୍ଧକୁ ପ୍ରଶଂସା । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓମ୍ ପ୍ରକାଶ ଗୁରୁତ୍ବପୂର୍ଣ୍ଣ ମତାମତ ଦେଇଥିବାରୁ ତାଙ୍କର ବିଚାରଧାରାକୁ ସ୍ବାଗତ କରିଛନ୍ତି ମୋଦୀ। ନିପଟ ମଫସଲର ସଫଳ ମଣିଷଙ୍କ ପାଖରେ ପହଞ୍ଚି ସେମାନଙ୍କୁ ପ୍ରଶଂସା କରିବା ଦ୍ବାରା ଅନ୍ୟମାନଙ୍କୁ ବି ଏହା ବେଶ ପ୍ରେରଣା ଦେବ।
Comments are closed.