‘ଓଡ଼ିଶା ପର୍ବ-୨୦୨୬’ ଉଦଘାଟିତ

ପ୍ରଦର୍ଶନୀ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ : ଆମର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଯୁବକ ଯୁବତୀମାନେ , ଦେଶରେ ନିଜର ପରିଚୟକୁ ପ୍ରତିପାଦିତ କରନ୍ତୁ ଏବଂ ଓଡ଼ିଆ ଭାବେ ନିଜକୁ ପରିଚୟ ଦେବାର ଗର୍ବ ଓ ସାହସ ଦେଖାନ୍ତୁ। ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ‘ଓଡ଼ିଶା ପର୍ବ-୨୦୨୬’କୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଆ ପରିଚୟର ମୂଳଦୁଆ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ବିଶ୍ୱ ଦରବାରରେ ଓଡ଼ିଆମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଆୟୋଜିତ ଏହି ପର୍ବ ଆମ ଅସ୍ମିତାକୁ ପୁନଃସ୍ଥାପିତ କରିବାର ଏକ ମହାନ ଅବସର । ‘ଓଡ଼ିଶା ପର୍ବ’ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ଦକ୍ଷତାର ଅପୂର୍ବ ସମନ୍ୱୟ। ତେବେ ଚଳିତ ବର୍ଷର ଏହି ଉତ୍ସବ ଅଧିକ ଗୌରବମୟ, କାରଣ ଆମେ ଏବେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ, ଲୌହ ମାନବ ସର୍ଦ୍ଦାର ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ମା’ ରମାଦେବୀ ଓ ଶହୀଦ ବାଜି ରାଉତଙ୍କ ଭଳି ମହାନ୍ ଜନନାୟକଙ୍କ ସ୍ମୃତି ଚାରଣ ମଧ୍ୟ ଏହି ସମୟକୁ ଅଧିକ ପ୍ରାସଙ୍ଗିକ କରୁଛି।

ଓଡ଼ିଶା ପର୍ବର ଏହି ମଞ୍ଚ ଆଜି ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ଲାଭ କରିଛି। ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ବିଶିଷ୍ଟ ନେତୃବୃନ୍ଦ ଏଥିରେ ସାମିଲ ହୋଇ ଆମ ସଂସ୍କୃତିର ଗୌରବକୁ ବୃଦ୍ଧି କରିଛନ୍ତି । ଓଡ଼ିଶା ପର୍ବ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସଂକଳ୍ପକୁ ଦୃଢ଼ୀଭୂତ କରୁଛି। ଦିଲ୍ଲୀରେ ରହୁଥିବା ସମସ୍ତ ଜନସାଧାରଣ ବିଶେଷ ଭାବରେ ମୋର ପ୍ରବାସୀ ଓଡ଼ିଆ ଭାଇଭଉଣୀମାନଙ୍କୁ ଏହି ପର୍ବକୁ ଆସି ଓଡ଼ିଶାର କଳା, ସଂସ୍କୃତି ଓ ପ୍ରକୃତିର ଅପୂର୍ବ ସମନ୍ୱୟକୁ ଉପଭୋଗ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଆଗାମୀ ୧୦ ବର୍ଷ ଆମ ପାଇଁ ଏକ ସଂକଳ୍ପର ସମୟ । ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ ଆହ୍ୱାନକୁ ସାକାର କରିବା ପାଇଁ ସାଢେ ୪ କୋଟି ଓଡ଼ିଆଙ୍କୁ ଏକାଠି ହୋଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ଦାୟିତ୍ୱ ନେବାକୁ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ପର୍ବ ପରିସରରେ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ସହ ଶିଳ୍ପୀ ଓ କଳାକାରମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ ଏହି ଉତ୍ସବର ମୁଖ୍ୟ ବିଷୟବସ୍ତୁ “ସଂସ୍କୃତି ଓ ପ୍ରକୃତି” ରଖାଯିବା ତଥା ଏହି ସୁନ୍ଦର ଆୟୋଜନ ପାଇଁ ଧର୍ମେନ୍ଦ୍ର ‘ଓଡ଼ିଆ ସମାଜ’ ଏବଂ ତାହା ସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ତିନି ଦିନିଆ ଉତ୍ସବ (ମାର୍ଚ୍ଚ ୧୩ ରୁ ୧୫) ଓଡ଼ିଶାର କଳା, ଖାଦ୍ୟ ଏବଂ ପରମ୍ପରାକୁ ଦିଲ୍ଲୀବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସୁନ୍ଦର ମାଧ୍ୟମ ସାଜିବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆଶିଷ ସୁଦ୍ ଏବଂ ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଥିଲେ।

Leave A Reply

Your email address will not be published.