ଭୁବନେଶ୍ବର : ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆକଳନର ପ୍ରସ୍ତାବ ଦେଉଛି । ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍ ଆକଳନରେ କାର୍ଯ୍ୟକ୍ରମ ବଜେଟର ପରିମାଣକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ମୁଁ ପ୍ରସ୍ତାବ ଦେଉଛି, ଯାହା ମୋଟ ବଜେଟ୍ ଆକଳନର ପ୍ରାୟ ୫୮ ପ୍ରତିଶତ ଅଟେ ।
ଚଳିତ ବଜେଟରେ ୭୨ ହଜାର ୧ ଶହ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଆକଳନ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ (GSDP)ର ୬.୫ ପ୍ରତିଶତ ଏବଂ ରାଜ୍ୟ ବଜେଟ ଆକଳନର ୨୩.୩ ପ୍ରତିଶତ ଅଟେ, ଯାହା ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ପ୍ରଶାସନିକ ବ୍ୟୟ ବବାଦକୁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି । ବିପର୍ଯ୍ୟୟ ବିପରି ପରିଚାଳନା ପାଣ୍ଠି ପାଇଁ ୫ ହଜାର ୩ ଶହ ୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟରୁ ହସ୍ତାନ୍ତର ପାଇଁ ୧୦ ହଜାର ୬ ଶହ ୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଷୋଡଶ କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ୩ ହଜାର ୫୬ କୋଟି ଟଙ୍କା ଏବଂ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ପ୍ରାୟ ୭ ହଜାର ୪ ଶହ ୫୦ କୋଟି ଟଙ୍କା ମିଳିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାଙ୍କୁ ହସ୍ତାନ୍ତର କରିବାକୁ ଆମେ ପ୍ରସ୍ତାବ ଦେଉଛୁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୬ ଏପ୍ରିଲ ପହିଲାଠାରୁ ପେଶା ବା ବୃଦ୍ଧି ଉପରେ ଟିକସ (Professional Tax) ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଉଛି। ଏହା ଫଳରେ ରାଜ୍ୟ ବାର୍ଷିକ ପ୍ରାୟ ୩୨୦ କୋଟି ଟଙ୍କାର ରାଜସ୍ବ ହରାଇବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଆସନ୍ତୁ, ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା ବୋଲି ସେ କହିଛନ୍ତି ।