ସୌନ୍ଦର୍ଯ୍ୟ ନୁହେଁ, ସେବା ହେଲା ପରିଚୟ: ଜୋହେରିଙ୍କୁ ମିଳିଲା ବିଶ୍ୱ ସୁନ୍ଦରୀ ମୁକୁଟ

0

ନୂଆଦିଲ୍ଲୀ: ମଞ୍ଚରେ ଥିଲା ଦୁନିଆର ନଜର। ହାତରେ ଥିଲା ଆତ୍ମବିଶ୍ୱାସ ଓ ମନରେ ଥିଲା ସମାଜ ପାଇଁ କିଛି କରିବାର ସ୍ୱପ୍ନ। ଶେଷ ପର୍ଯ୍ୟାୟରେ ନିଜ ଚିନ୍ତାଧାରା ଓ ଉତ୍ତରରେ ବିଚାରକଙ୍କ ମନ ଜିତି ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲ୍ ଡୋମିଙ୍ଗୁଏଜ୍ ନିଜ ମୁଣ୍ଡରେ ପିନ୍ଧିଛନ୍ତି ମିସ୍ ୱାର୍ଲ୍ଡ ୨୦୨୬ର ମୁକୁଟ।

ଭିଏତନାମରେ ଆୟୋଜିତ ୭୩ତମ ମିସ୍ ୱାର୍ଲ୍ଡ ଫାଇନାଲରେ ଜୋହେରି ନିଜର ଆକର୍ଷଣୀୟ ପ୍ରଦର୍ଶନ ସହ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଟାଇଟଲ୍ ହାତେଇଛନ୍ତି। ସ୍ପେନର ଏଲିଜାବେଥ ରେନ୍ସ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ମାଲେସିଆର ତାନୁସିଆ ଚେଟି ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି।

ମିସ୍ ୱାର୍ଲ୍ଡ ୨୦୨୬ର ବିଜୟ ପରେ ଜୋହେରିଙ୍କୁ ପୂର୍ବତନ ବିଜେତା ଓପାଲ ସୁଚାତା ଚୁଆଙ୍ଗସ୍ରି ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧାଇଥିଲେ। ଓପାଲ ଗତବର୍ଷ ଥାଇଲ୍ୟାଣ୍ଡ ପାଇଁ ପ୍ରଥମ ଥର ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ।

ଜୋହେରିଙ୍କ ବିଜୟରେ ତାଙ୍କର ଶେଷ ପର୍ଯ୍ୟାୟର ଉତ୍ତରକୁ ମଧ୍ୟ ବେଶ୍ ଗୁରୁତ୍ୱ ଦିଆଯାଉଛି। ଫାଇନାଲ୍ ରାଉଣ୍ଡରେ ତାଙ୍କୁ ‘ବ୍ୟୁଟି ୱିଥ୍ ଏ ପର୍ପସ୍’ ପଦକ୍ଷେପ ସମ୍ପର୍କରେ ପଚରାଯାଇଥିଲା।

ନିଜ ଦେଶରେ ସେ କେଉଁ ସାମାଜିକ କାର୍ଯ୍ୟ କରୁଛନ୍ତି ଏବଂ ମିସ୍ ୱାର୍ଲ୍ଡ ହେବା ପରେ ଏହାକୁ କିପରି ଆଗକୁ ନେବେ ବୋଲି ପଚରାଯାଇଥିଲା। ଏହାର ଉତ୍ତରରେ ଜୋହେରି କହିଥିଲେ ଯେ ସେ ଅବହେଳିତ ସମ୍ପ୍ରଦାୟର ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବା ପାଇଁ କାମ କରୁଛନ୍ତି।

ତାଙ୍କ ମତରେ, ଇଂରାଜୀ ଶିକ୍ଷା ପିଲାମାନଙ୍କ ସାମ୍ନାରେ ନୂଆ ସୁଯୋଗର ଦ୍ୱାର ଖୋଲିପାରେ। ଭାଷା କେବଳ ଶିକ୍ଷାର ଏକ ମାଧ୍ୟମ ନୁହେଁ, ବରଂ ନିଜ ଚିନ୍ତାଧାରା ଓ ଭାବନାକୁ ସ୍ୱାଧୀନ ଭାବେ ପ୍ରକାଶ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସେ ମତ ରଖିଥିଲେ।

ଜୋହେରି ମୋଲ୍ ଡୋମିଙ୍ଗୁଏଜ୍‌ଙ୍କ ପରିଚୟ କେବଳ ଜଣେ ସୁନ୍ଦରୀ ଭାବେ ସୀମିତ ନୁହେଁ। ସେ ୟୁନିଭର୍ସିଡାଡ୍ ଆଇବେରୋଆମେରିକାନାରେ ବ୍ୟବସାୟ ପରିଚାଳନା ଓ ପ୍ରଶାସନ ଅଧ୍ୟୟନ କରିଛନ୍ତି।

ସେ ‘ଭଏସ୍ ଅଫ୍ ଟୁମୋରୋ’ର ପ୍ରତିଷ୍ଠାତା ଓ ସଭାପତି। ଏହି ପଦକ୍ଷେପ ଜରିଆରେ ସେ ଅବହେଳିତ ପିଲା ଓ ଯୁବକମାନଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ କରୁଛନ୍ତି। ଏହା ସହ ଇଂରାଜୀ ସାହିତ୍ୟ ଓ ସାମାଜିକ ଅଧ୍ୟୟନ ମଧ୍ୟ ପଢ଼ାଉଛନ୍ତି।

ଶିକ୍ଷା କ୍ଷେତ୍ରରେ କାମ କରିବା ସହ ଜୋହେରି ଜଣେ ଟିଭି ରିପୋର୍ଟର ଓ ପେସାଦାର ମଡେଲ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଏହି ବିଶ୍ୱସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ନିକିତା ପୋରୱାଲ୍। ଟପ୍ ମଡେଲ୍ ଚ୍ୟାଲେଞ୍ଜରେ ନିକିତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା ଏବଂ ସେ ଟପ୍ ୪୦ରେ ସ୍ଥାନ ହାସଲ କରିଥିଲେ।

ତେବେ ଫାଇନାଲ୍ ପର୍ଯ୍ୟାୟରେ ସେ ଟପ୍ ୨୦ରେ ସ୍ଥାନ ପାଇପାରିନଥିଲେ। ଫଳରେ ମିସ୍ ୱାର୍ଲ୍ଡ ମୁକୁଟ ଦୌଡ଼ରୁ ଭାରତ ବାଦ ପଡ଼ିଥିଲା।

ଜୋହେରିଙ୍କ ବିଜୟ ସହ ଡୋମିନିକାନ୍ ରିପବ୍ଲିକ୍ ପାଇଁ ଏହି ଟାଇଟଲ୍ ଆହୁରି ଗୌରବର ବିଷୟ ପାଲଟିଛି। ସୌନ୍ଦର୍ଯ୍ୟ, ବୁଦ୍ଧିମତା ଓ ସାମାଜିକ ଦାୟିତ୍ୱକୁ ଏକାଠି କରି ଜୋହେରି ଏଥର ବିଶ୍ୱ ସୁନ୍ଦରୀ ମଞ୍ଚରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

Leave A Reply

Your email address will not be published.