ନନ୍ଦନକାନନ ଆସିଲା ଯାଜପୁରରୁ ଉଦ୍ଧାର ହିମ ଶାଗୁଣା

ବାରଙ୍ଗ: ଯାଜପୁରରୁ ଉଦ୍ଧାର ହୋଇଥିବା ବିରଳ ପ୍ରଜାତିର ହିମ ଶାଗୁଣାକୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟ‌ାନକୁ ଅଣାଯାଇଛି। ତାକୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ କ୍ବାରେଣ୍ଟାଇନ୍ କକ୍ଷରେ ରଖି ଚିକିତ୍ସା କରାଯାଉଛି। ଏହି ହିମ ଶାଗୁଣାଟି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିବା ଜଣାପଡ଼ିଛି। ଏଥିସହିତ ଦୀର୍ଘ ପଥ ଅତିକ୍ରାନ୍ତ କରି ଆସିଥିବାରୁ ସେ ଅତ୍ୟନ୍ତ ର୍ଦୁବଳ ହୋଇପଡ଼ିଛି। ମାଂସପେଶୀ ସଙ୍କୁଚିତ ହୋଇଯାଇଥିବାରୁ ତା’ଠାରେ ସାଲାଇନ୍‌ ଲଗାଇବା କାଠିକର ପାଠ ହୋଇଥିଲା। କିନ୍ତୁ ସନ୍ଧ୍ୟା ସୁଦ୍ଧା ତା’ଠାରେ ସାଲାଇନ୍‌ ଲଗାଯାଇଛି ଏବଂ ଅନ୍ୟାନ୍ୟ ପ୍ରତିଷେଧକ ଔଷଧ ଦିଆଯାଇଛି।

ସାଧାରଣତଃ ଏହି ପ୍ରଜାତିର ଶାଗୁଣା ଓଡ଼ିଶାରେ ଦେଖାଯାଆନ୍ତି ନାହିଁ। ଏହି ବୃହଦ୍‌କାୟ ଶାଗୁଣା ଭାରତର ସୀମାନ୍ତବର୍ତ୍ତୀ ପାକିସ୍ତାନ ସଂଲଗ୍ନ ହିମାଳୟ ପାର୍ବତ୍ୟମାଳା ଅଞ୍ଚଳରେ ଦେଖାଯାଆନ୍ତି। ଘନ କୁହୁଡ଼ି କାରଣରୁ ଏହା ଦିଗହରା ହୋଇ ଉଡ଼ିଉଡ଼ି ଓଡ଼ିଶାକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ୨୦୧୦ ମସିହାରୁ ଏମିତି ଉଦାହରଣ ଦେଖିବାକୁ ମିଳୁଛି। ଶୀତଋତୁରେ ଏହି ପ୍ରଜାତିର ଶାଗୁଣା ଓଡ଼ିଶାରେ ଦେଖାଯାଉଛନ୍ତି। ଖାଦ୍ୟ ଅନ୍ବେଷଣ କରୁକରୁ ଘନ କୁହୁଡ଼ିରେ ବାଟବଣା ହୋଇ ଏହି ପ୍ରଜାତିର ଶାଗୁଣାମାନେ ଓଡ଼ିଶାକୁ ଚାଲିଆସୁଛନ୍ତି। ବ୍ରହ୍ମଗିରି, ପୁରୀ ଓ ବାଲେଶ୍ବରରୁ ୮ଟି ହିମ ଶାଗୁଣାଙ୍କୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୬ଟି ଜୀବିତ ଅଛନ୍ତି। ତେଣୁ ଏବେ ଏହି ଶାଗୁଣା ସଂଖ୍ୟା ୭କୁ ବୃଦ୍ଧି ‌‌ପାଇଛି।

Comments are closed.