ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ସ୍କୁଲ ଗଲା ବାଟରେ ନିଖୋଜ ହୋଇଯାଇଥିବା ଏହି ଛାତ୍ରୀ ଗୁରୁବାର ଅପରାହ୍ନରେ ଗାଁ ପାଖ ଜଙ୍ଗଲରେ ମୁମୂର୍ଷୁ ଅବସ୍ଥାରେ ମିଳିଥିଲେ। ବିଳମ୍ବିତ ରାତିରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ସ୍କୁଲକୁ ଯିବା ବାଟରେ ଝିଅକୁ ଅପହରଣ କରି ବଳାତ୍କାର କଲାପରେ ତାକୁ ବିଷ ପିଆଇ ହତ୍ୟା ଉଦ୍ୟମ କରାଯାଇଥିଲା। ମୁମୂର୍ଷୁ ଝିଅକୁ ଧରି ପାଞ୍ଚଟି ଡାକ୍ତରଖାନାକୁ ଯାଇ ନେହୁରା ହେଲାପରେ ମଧ୍ୟ ଚିକିତ୍ସା ନ ମିଳିବାରୁ ତାଙ୍କ ଝିଅ ମରିଗଲା ବୋଲି ତା ବାପା ଓ ବଡ଼ମାଁ ଗୁରୁତର ଅଭିଯୋଗ କରିଛନ୍ତି।
ଛାତ୍ରୀ ଯେଉଁ ସ୍କୁଲରେ ପଢ଼ୁଥିଲେ ତା ବାପା ସେହି ସ୍କୁଲରେ ଖେଳ ଶିକ୍ଷକ ଅଛନ୍ତି। ବାପା କହିଛନ୍ତି ଯେ, କାଲି ସେ ବ୍ୟକ୍ତିଗତ କାମ ଥିବାରୁ ସ୍କୁଲକୁ ଯାଇନଥିଲେ। କିନ୍ତୁ ଝିଅ ସକାଳ ସାଢ଼େ ୯ରେ ଘରୁ ସାଇକଲ ଯୋଗେ ସ୍କୁଲକୁ ବାହାରିଥିଲା। ସେହି ସ୍କୁଲର ସହକର୍ମୀ ଶିକ୍ଷକଙ୍କ ଦ୍ବାରା ସେ ଔଷଧ ମଗାଇଥିବାରୁ ଝିଅ ହାତରେ ଔଷଧ ପଠାଇ ଦେବାକୁ ସେ ସେହି ସହକର୍ମୀଙ୍କୁ
ଅପରାହ୍ନ ସାଢ଼େ ୩ରେ େଫାନ କରିଥିଲେ। କିନ୍ତୁ ତାଙ୍କ ଝିଅ ଆଜି ସ୍କୁଲକୁ ଆସିନାହିଁ ବୋଲି ସହକର୍ମୀ କହିବାରୁ ସେ ବ୍ୟସ୍ତ ହୋଇପଡ଼ିଥିଲେ। ଝିଅକୁ ଅାଖପାଖ ଅଞ୍ଚଳରେ ଖୋଜାଖୋଜି କରି ସମ୍ପର୍କୀୟମାନଙ୍କୁ ପଚରାଉଚରା କରାଯାଇଥିଲା। କିନ୍ତୁ ଝିଅର ଖୋଜଖବର ନ ମିଳିବାରୁ ସନ୍ଧ୍ୟାରେ ବିଶ୍ରା ଥାନାରେ ଅଭିଯୋଗ କରିଥିଲେ। ସେମାନେ ଥାନାରେ ଥିବାବେଳେ ଘରୁ ୨ କିଲୋମିଟର ଦୂର ଖଇରଟୋଲା ଜଙ୍ଗଲରେ ପ୍ରଥମେ ଝିଅର ସାଇକଲ ମିଳିଥିଲା। େସହି ପାଖାପାଖି ଖୋଜାଖୋଜି କରିବାରୁ ରାତି ପ୍ରାୟ ସାଢ଼େ ୮ ସମୟରେ ଝିଅ ଏକ ଗଛମୂଳେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ପାଖରେ ସ୍କୁଲ ବ୍ୟାଗ ଓ କିଛି ଦୂରରେ ବିଷ ଶିଶି ପଡ଼ିଥିଲା।
ଏକ ଘରୋଇ ହସ୍ପିଟାଲରେ ଆଇସିୟୁ ଶଯ୍ୟା ଖାଲିନାହିଁ। ଝିଅକୁ ପ୍ରଥମେ ବିଶ୍ରା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଝିଅର ଚିକିତ୍ସା ନକରି ତାକୁ ରାଉରକେଲା ଜେନେରାଲ ହସପିଟାଲ(ଆରଜିଏଚ)କୁ ନେବାକୁ କୁହାଯାଇଥିଲା। ଆରଜିଏଚକୁ ନେବାରୁ ଡାକ୍ତର ଛୁଟିରେ ଅଛନ୍ତି, ଆଇସିୟୁ ଖାଲିନାହିଁ ବୋଲି କହି ଝିଅକୁ ଆଉ ଏକ ଘରୋଇ ହସପିଟାଲକୁ ନେଇଯିବାକୁ ପରାମର୍ଶ ଦିଆଗଲା। ସେଠାରେ ଝିଅର ପ୍ରାଥମିକ ଚିକିତ୍ସା କଲା ପରେ ଅଧିକ ଚିକିତ୍ସା ସୁବିଧା ନଥିବାରୁ ଅନ୍ୟ ଏକ ଘରୋଇ ହସପିଟାଲକୁ ନେଇଯିବାକୁ କୁହାଯାଇଥିଲା। କିନ୍ତୁ ଆଇସିୟୁ ଖାଲିନାହିଁ ବୋଲି କହି ଝିଅକୁ ଫେରାଇ ଦିଆଯିବାରୁ ସେମାନେ ତାକୁ ନେଇ ଇସ୍ପାତ ଜେନେରାଲ ହସପିଟାଲକୁ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ସେ ସନ୍ଧ୍ୟା ସାଢ଼େ ୮ରୁ ରାତି ୨ ଯାଏ ମୁମୂର୍ଷୁ ଝିଅକୁ ଧରି ପାଞ୍ଚଟି ଡାକ୍ତରଖାନା ବୁଲିଲା ପରେ ମଧ୍ୟ କୌଣସି ଜାଗାରେ ଚିକିତ୍ସା ନ ମିଳିବାରୁ ତାଙ୍କ ଝିଅ ମରିଗଲା ବୋଲି ବାପା ବାଷ୍ପରୁଦ୍ଧ କଣ୍ଠରେ ଅଭିଯୋଗ କରିଛନ୍ତି। ଛାତ୍ରୀର ବଡ଼ମାଁ କହିଛନ୍ତି ଯେ ମୁହଁରେ କ୍ଷତଚିହ୍ନ ଏବଂ ଛାତି ଓ ହାତରେ ନଖ ଆମ୍ପୁଡ଼ା ଚିହ୍ନ ଥିବାରୁ ଝିଅକୁ ବଳାତ୍କାର କରାଯାଇଥିବା ସନ୍ଦେହ ହେଉଛି। ଝିଅ ଯେଉଁଠି ପଡ଼ିଥିଲା ତା ପାଖରେ ବିଷ ଶିଶି ପଡ଼ିଥିବାରୁ ଅପରାଧ ଲୁଚାଇବାକୁ ତାକୁ ବିଷ ପିଆଇ ହତ୍ୟା କରାଯାଇଛି ବୋଲି ବଡ଼ମା ଅଭିଯୋଗ କରିଛନ୍ତି। ସେମାନେ ସନ୍ଧ୍ୟାରେ ବିଶ୍ରା ଥାନାରେ ଅଭିଯୋଗ କରୁଥିବା ବେଳେ ଝିଅର ସନ୍ଧାନ ମିଳିଥିଲା। ତେଣୁ ବିଶ୍ରା ପୁଲିସ ସାଙ୍ଗରେ ଆସି ଚିକିତ୍ସା ବ୍ୟବସ୍ଥା କରାଇଥିଲେ ଝିଅର ମୃତ୍ୟୁ ହୋଇନଥାନ୍ତା ବୋଲି ବଡ଼ମାଁ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ବିଶ୍ରା ପୁଲିସ କହିଛି ଯେ ଝିଅ ନିଖୋଜ ହୋଇଯାଇଛି ବୋଲି ଗତକାଲି ତା’ ପରିବାର ଲିଖିତ ଅଭିଯୋଗ କରିଥିଲେ। ବଳାତ୍କାର ଓ ହତ୍ୟା ସମ୍ପର୍କରେ ଆଜି ସେମାନେ କରୁଥିବା ମୌଖିକ ଅଭିଯୋଗ ଆଧାରରେ ତଦନ୍ତକୁ ତ୍ବରାନ୍ବିତ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.