ମୋ ନାମ ଉତ୍କଳଘଣ୍ଟ
===============
ଗଡ଼ଜାତ ରାଜ୍ୟ ନୟାଗଡ଼ l ସେହି ରାଜ୍ୟର ରାଜା ଥାଆନ୍ତି କାବ୍ୟ, କବିତା ଓ କଳାପ୍ରିୟ ଶ୍ରୀବିନାୟକ ସିଂହ ମାନଧାତା l ଥରେ ସେ ଗୋଟିଏ ବଣ ଭୋଜି ଆୟୋଜନ କରି ପଡ଼ୋଶୀ ରାଜା ମାନଙ୍କୁ ନିମନ୍ତ୍ରଣ କଲେ l ରଣପୁର,ଦଶପଲ୍ଲା, ଖଣ୍ଡପଡା ରାଜାମାନେ ନିମନ୍ତ୍ରିତ ହୋଇ ଆସି ନୟାଗଡ ଠାରେ ପହଞ୍ଚିଲେ l ନୟାଗଡର ରାଜା, କବି ଯଦୁମଣିଙ୍କୁ ସାଙ୍ଗରେ ଧରି ବଣଭୋଜିସ୍ଥଳରେ ପହଁଚିଲେ l ସେଠାରେ ତିନିଦିନ ଧରି ଭଞ୍ଜସାହିତ୍ୟ ଆଲୋଚନା ହେଲା l ଶେଷ ଦିନ ପରସ୍ପର ମଧ୍ୟରେ ଖୁସିବାସିହେବା ଅବସରରେ କବି ଯଦୁମଣିଙ୍କୁ ନୟାଗଡର ରାଜା କହିଲେ, ଆଜ୍ଞା କବି ମହାଶୟ,ପଡୋଶୀ ରାଜାମାନଙ୍କୁ ଲକ୍ଷ୍ୟକରି ପଦେ କବିତା ରଚନାହେଉ l କାଲଠାର କାଲ ମା’ ଜାଣେ ନ୍ୟାୟରେ କବି ଯଦୁମଣି ବୁଝିଗଲେ ରାଜାଙ୍କ ପ୍ରକୃତ ଉଦ୍ଧେଶ୍ୟ କ’ଣ ବୋଲି l ସେ ମଧ୍ୟ ଉପହାର ପାଇବା ଆଶାରେ ଏହିଭଳି ଗୋଟେ ସୁଯୋଗ ଖୋଜୁଥିଲେ l ସେ ପ୍ରଥମେ ତାଙ୍କ ମାମୁଁ ଘର ରାଜା ରଣପୁର ଦଳ ଭିତରେ ପଶି, ତାଙ୍କୁ ସୁହାଇଲା ପରି, କବିତାଟିଏ ଗାନ କଲେ :-
ପଲା ଦଶ ଖଣ୍ଡ ଖଣ୍ଡକ ପଡ଼ା l
ସରିସମ କାହୁଁ ନୂତନ ଗଢ଼ା ll
ମଣିନାଗ ଦୁର୍ଗା ପାଦୁକ ଚଢ଼ା l
ନରେନ୍ଦ୍ର ଇନ୍ଦ୍ରରୁ ହୁଅନ୍ତି ବଢ଼ା ll ଅର୍ଥାତ,ଦଶପଲ୍ଲା ତ ଦଶଖଣ୍ଡ ଛୋଟଗାଆଁକୁ ନେଇ ଗଠିତ l ଖଣ୍ଡପଡା ସାମାନ୍ୟ ଖଣ୍ଡ ପଡା ଗାଁ l ନୂଆ ଗଡର ନାଁରୁ ଜଣା ପଡୁଛି, ନୂଆ ଗଢା l କିନ୍ତୁ ମାଆ ମଣିନାଗ ଦୁର୍ଗାଙ୍କ ସେବକ ନରେନ୍ଦ୍ର ପଦବୀ ଧାରୀ ଯେଉଁ ରାଜା, ସିଏତ ସାମାନ୍ୟ ରାଜା ନୁହଁନ୍ତି l ସେ ଏମାନଙ୍କ ସହିତ ସମାନ ହେବେ କୁଆଡୁ l ସିଏ ତ ଇନ୍ଦ୍ରଙ୍କଠାରୁ ମଧ୍ୟ ବଡ଼ l
ରଣପୁର ରାଜା ଅତି ଆନନ୍ଦ ହୋଇ ନିଜ ରୂପାପାନ ବଟାଟିକୁ ତୁରନ୍ତ କବି ଯଦୁମଣିଙ୍କୁ ଉପହାର ରୂପେ ପ୍ରଦାନ କଲେ l
ଯଦୁମଣି ନିଜର ମାଉସୀ ଘର, ଖଣ୍ଡପଡା ରାଜାଙ୍କ ନିକଟରେ ପହଁଚି ଗାଇଲେ :-
ଖଣ୍ଡ ପତନ ଏ ଦୁର୍ଗ ମଣ୍ଡନ l
ମର୍ଦ୍ଦରାଜବର ରାଜା ଉତ୍ତମ ll
ରଣ ତ ବଣୁଆଁ ଯଶର ଯଶ l
ପୁରୁଣାକୁ ନୂଆ ମୋଡ଼ନ୍ତି ନିଶ ll
ଅର୍ଥାତ୍, ଏ ଖଣ୍ଡପଡ଼ା ଦୂର୍ଗର ମଣ୍ଡନ କାରୀ ରାଜା ମର୍ଦ୍ଦରାଜ ଅତିଉତ୍ତମ ରାଜା ଅଟନ୍ତି,ରଣପୁର ରାଜା ବଣୁଆ l ଦଶପଲ୍ଲା ରାଜାଙ୍କ ଓ ରାଜ୍ୟର ଯଶ ନାହିଁ ଏବଂ ଖଣ୍ଡପଡ଼ା ରାଜାଙ୍କ ନିଶ ଆଗରେ ନୟାଗଡ଼ ଅତି ତୁଚ୍ଛ l
ଏତକ ଶୁଣି ଖଣ୍ଡପଡ଼ା ରାଜା କବି ଯଦୁମଣିଙ୍କୁ ନିଜ ଉତ୍ତରୀୟ ପାଟ ଚଦରଟି କାଢ଼ି ଉପହାର ସ୍ୱରୂପେ ଦେଇ ଦେଲେ l
ଏହା ପରେ କବି ନିଜ ଶ୍ୱଶୁରଘର ରାଜା ଦଶପଲ୍ଲା ରାଜାଙ୍କ ନିକଟରେ ଗାଇଲେ :-
ଯଶ ପରାକ୍ରମ ଖଣ୍ଡକୁ ଚଣ୍ଡ l
ନୂଆକୁ ନୃସିଂହ ରଣଙ୍କୁ ଷଣ୍ଢ ll
ନୀଳଲୋହିତ ପାଶୁପତ କାଣ୍ଡ l
ନିହିତ ଶ୍ରୀକରେ ଅତି ପ୍ରଚଣ୍ଡ ll
ଅର୍ଥାତ୍, ଦଶପଲ୍ଲା ରାଜା, ପରାକ୍ରମରେ ଖଣ୍ଡ ପଡା ପ୍ରତି ଅତି ପ୍ରଚଣ୍ଡ, ସେ ନୂଆଗଡ଼ ପ୍ରତି ନୃସିଂହ ପରି ଭୟଙ୍କର l ରଣପୁର ପ୍ରତି, ବୃଷଭ ପରି ବଳଶାଳୀ ଆଉ ଦଶପଲ୍ଲା ରାଜା ସୂର୍ଯ୍ୟ ବଂଶୀ ହୋଇ ଥିବାରୁ ଓ ରଣପୁର ରାଜା ଜାତିରେ ଛୋଟ ହୋଇ ଥିବାରୁ ସେମାନେ ରଣପୁରଗଡ଼ରୁ କନ୍ୟା ଆଣିଥାନ୍ତି l ମାତ୍ର କନ୍ୟା ଦିଅନ୍ତିନାହିଁ l ଏଣୁ ଦଶପଲ୍ଲା ରାଜା ରଣପୁର ରାଜ୍ୟପ୍ରତି ବୃଷଭ ସଦୃଶ l ନୀଳକଣ୍ଠ ମହାଦେବଙ୍କ କରୁଣାରୁ ମହାଦେବଙ୍କ ଅସ୍ତ୍ର ପରି ପ୍ରଚଣ୍ଡ ଦଶପଲ୍ଲା ରାଜାଙ୍କ ପରି ଶକ୍ତିଶାଳୀରାଜା ଆଉ କେହିନାହାଁନ୍ତି l
ଏଥିରେ ଦଶପଲ୍ଲା ରାଜା ଅତି ଆନନ୍ଦିତ ହୋଇ କବି ଯଦୁମଣିଙ୍କୁ ସୁବର୍ଣ୍ଣ କଙ୍କଣଟିଏ ପ୍ରଦାନ କଲେ l
ଏହାପରେ କବି ଯଦୁମଣି ଅତି ପ୍ରଫୁଲ୍ଲ ହୋଇ ନିଜ ମାତୃଭୂମି ରାଜା ମାନ୍ଧାତାଙ୍କ ପାଖରେ ପହଞ୍ଚି ଗାନ କରିବାକୁ ଲାଗିଲେ :-
ଖଣ୍ଡା ଜଳ ଜଳ ଖଣ୍ଡପଡ଼ିଆ l
ହାଣଇ ମାରଇ ଦଶପଲ୍ଲିଆ ll
କଉଡ଼ି ଗଣନ୍ତି ରଣ ପୁରିଆ l
ସୁବର୍ଣ୍ଣ ଗିନାରେ ଚନ୍ଦନ ଲଗାନ୍ତି,
ବିଘେଇଲ ପାଚ୍ଛା ନୂଆ ଗଡ଼ିଆ l
ଅର୍ଥାତ୍ ଖଣ୍ଡପଡ଼ିଆ ମାନେ ବୀର ନୁହଁନ୍ତି, କେବଳ ଜକ ଜକ ଖଣ୍ଡା ଦେଖାଇ ଦୌଡ଼ନ୍ତି l ଯୁଦ୍ଧ ଜାଣନ୍ତି ନାହିଁ l ଦଶ ପଲ୍ଲୀଆ ମାନେ ହାଣନ୍ତି ମାରନ୍ତି ସିନା ଯୁଦ୍ଧ କୌଶଳ କଅଣ ଜାଣନ୍ତିନାହିଁ l ବିବେକହୀନ ନିଷ୍ଠୁର ମଧ୍ୟ l ରଣପୁରିଆମାନେ ତ ବହୁତ ଲୋଭୀ, ନିଜ ହାତରେ ଟଙ୍କା ଗଣି ରଖନ୍ତି l ମାତ୍ର ନୂଆଗଡ଼ ରାଜା ଅତି ବିଳାସୀ ଓ ମହାନ୍, ସେ ପୁଣି ବଘେଲ ବଂଶୀ ବାଦଶା’ ହେତୁ ସୁବର୍ଣ୍ଣ ଗିନାରେ ସୁବାସିତ ଚନ୍ଦନ ଲଗାଇ ଥାନ୍ତି l
ନୟାଗଡ଼ ରାଜାଙ୍କ ମୁହଁ ଶୁଖି ଯାଇଥିଲା, ସେ ଏହି କବିତାଟି ଶୁଣି, ବିଶେଷ ଆନନ୍ଦିତ ହୋଇ, ସାଙ୍ଗେ ସାଙ୍ଗେ ତାଙ୍କ ଗଳାରୁ ସୁବର୍ଣ୍ଣ ହାରଟି ବାହାର କରି କବି ଯଦୁମଣିଙ୍କ ବେକରେ ଲମ୍ବାଇ ଦେଲେ l
ଏହିପରି ବହୁ କାହାଣୀ କିମ୍ବଦନ୍ତୀ ଓ ଲୋକକଥାର
ଗନ୍ତାଘର ଥିଲେ, ଆମ ପ୍ରତ୍ୟୁତ୍ପନ୍ନ ମତି, ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର l ତାଙ୍କ କବିତାପଂକ୍ତି ସବୁ ପାଠକ ଓ ଶ୍ରୋତାଙ୍କ ମନରେ ଘଣ୍ଟଭଳି ଠଙ୍ଗ ଠଙ୍ଗ ପ୍ରତିଧ୍ବନିତ ହୋଇଥାଏ l ତାଙ୍କ ନିଜ ଭାଷାରେ :-
ହୟଗ୍ରୀବ ମହାପ୍ରଭୁ ପ୍ରତାପେ l
ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ ll
ଯୋଡ଼ା ହେବା ମୋ ପ୍ରୌଢ଼ୀ କବିତାକୁ l
ବଳି ବଳି ରସ ଦାନୀ କର୍ଣ୍ଣକୁ ll
ଭଲେ ଭଲ ଖଣ୍ଟେ ଖଣ୍ଟ,
ନବ ଦୁର୍ବାଦଳ ଶ୍ୟାମଳ କୃପାରୁ,
ମୋ ନାମ ଉତ୍କଳ ଘଣ୍ଟ ll
ଆମର ଏହି ପ୍ରଥିତ ଯଶା କବିଙ୍କ ଜନ୍ମ ହୋଇଥିଲା ନୟାଗଡ଼ ଜିଲ୍ଲାର ଇଟାମାଟିଠାରେ ୧୭୮୩ ମସିହା ଜାନୁଆରୀ ଆଠ ତାରିଖରେ l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.