ଏମ୍ଏମ୍ଡ଼ିଆର୍ ସଂଶୋଧନ ଆଇନ-୨୦୨୬ : ବିକଶିତ ଭାରତ -ବିକଶିତ ଓଡ଼ିଶା ପାଇଁ ଏକ ମାଇଲ ଖୁଂଟ
ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ
ଓଡ଼ିଶାକୁ ପ୍ରକୃତିର ଏକ ଅମୂଲ୍ୟ ଉପହାର ଏହାର ଖଣିଜ ସମ୍ପଦ । ଅନେକ ରାଜ୍ୟରେ ଖଣିଜ ସମ୍ପଦ ନଥିବାବେଳେ ଓଡ଼ିଶାରେ ଉଭୟ ଗୁରୁ ଓ ଲଘୁ ଖଣିଜ ସମ୍ପଦର ଭଣ୍ଡାର ଅଛି । ସାରା ଦେଶ ପରି ଓଡ଼ିଶାର ଗୁରୁ ଖଣିଜ ସମ୍ପଦ, କେନ୍ଦ୍ର ସରକାରଙ୍କର ଅଧୀନରେ ଥିବାବେଳେ ଲଘୁ ଖଣିଜ ସମ୍ପଦ, ରାଜ୍ୟ ସରକାରଙ୍କର ଅଧୀନରେ ଅଛି । ଗୁରୁ ଖଣିଜ ସମ୍ପଦ, ଲୁହାପଥର, କ୍ରୋମାଇଟ୍, ବକ୍ସାଇଟ୍, ମାଙ୍ଗାନିଜ୍, କୋଇଲା ଆଦି ଖଣିଜ ସମ୍ପଦ ରାଜ୍ୟକୁ ଦେଶର ଖଣିଜ ମାନଚିତ୍ରରେ ଏକ ବିଶିଷ୍ଟ ସ୍ଥାନ ଦେଇଛି । ଏହି ସମ୍ପଦକୁ ନେଇ ଇସ୍ପାତ, ଆଲୁମିନିୟମ୍, ବିଦ୍ୟୁତ, ନିର୍ମାଣ ଓ ଅନେକ ଶିଳ୍ପ ରାଜ୍ୟରେ ଗଢ଼ିଉଠିଛି । ଏହା ସହିତ ରାଷ୍ଟ୍ର ନିର୍ମାଣରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛି ।
କିନ୍ତୁ ଏତେ ସବୁ ଥାଇ ବି ବିକାଶରେ ବାଧକର କାରଣ ହେଲା, ପୂର୍ବର କେନ୍ଦ୍ର ଓ ରାଜ୍ୟର କଂଗ୍ରେସ ତଥା ବିଜେଡି ସରକାର, ଖଣିଜ ସମ୍ପଦର ଉତ୍ପାଦନ ଓ ଏହାର ସୁରକ୍ଷା ଠିକ ଢଙ୍ଗରେ କରିପାରିନଥିଲେ । ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ଓ ରାଜ୍ୟରେ ବିଜେଡି ସରକାର ଥିବାବେଳେ ଓଡ଼ିଶାରେ ପ୍ରଚୁର ଗୁରୁ ଖଣିଜ ସମ୍ପଦ ଚୋରି ହୋଇଥିଲା ଯାହାକୁ ଜଷ୍ଟିସ ଶାହା କମିଶନ ଆନୁମାନିକ ୬୦,୦୦୦ କୋଟି ବୋଲି ଆକଳନ କରିଥିଲେ । ଏହା ସେ କେବଳ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ନେଇ କେତେକ ଜିଲ୍ଲାରେ ଅନୁଧ୍ୟାନ କରି ଆକଳନ କରିଥିଲେ । ଯଦି ସେ ସମସ୍ତ ଖଣିଜ ସମ୍ପଦ ଚୋରିର ଯାଂଚ କରିଥାନ୍ତେ ଓ ସବୁ ଜିଲ୍ଲା ବୁଲିଥାନ୍ତେ ତେବେ ଚୋରି ମୂଲ୍ୟ ୧ ଲକ୍ଷ କୋଟି ଛୁଇଁଥାନ୍ତା । କିନ୍ତୁ କଂଗ୍ରେସ ସରକାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିନଥିଲେ । ଏହା ସହିତ ତତ୍କାଳୀନ ରାଜ୍ୟ ସରକାର ଯଦି ଲଘୁ ଖଣିଜ ସମ୍ପଦର ଭିଜିଲାନ୍ସ ଯାଂଚ କରିଥାନ୍ତେ ତେବେ ସେଥିରୁ ଚୋରି ଯୋଗୁ ଆଉ ୫୦,୦୦୦ କୋଟି ରାଜ୍ୟ ରାଜକୋଷରୁ କ୍ଷତି ହୋଇଥିବା ଜଣାପଡିଥାନ୍ତା ।
ଏହା ବ୍ୟତୀତ ଏମ୍ଏମ୍ଡ଼ିଆର୍ ଆକ୍ଟ (ମାଇନ୍ସ ମିନେରାଲ ଡେଭଲେପମେଂଟ ଆଣ୍ଡ ରେଗେୁଲସନ ଆକ୍ଟ ବା ଖଣି ଏବଂ ଖଣିଜ ପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ ଆଇନ), ୧୯୫୭କୁ ତତ୍କାଳୀନ କଂଗ୍ରେସ ସରକାର ଏପରି ବ୍ୟବହାର କରିଥିଲେ ଯେ ଖଣି ଲିଜ୍ରେ କୌଣସି ସ୍ୱଚ୍ଛତା ନଥିଲା ଓ ଯିଏ ଆଗରୁ ଆବେଦନ କଲା ସିଏ ଶାଗ ମାଛ ଦରରେ ଖଣି ଲିଜ୍ ନେଇ ଯାଉଥିଲା ।
୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଆସିବା ପରେ ଏମ୍ଏମ୍ଡ଼ିଆର୍ ଆକ୍ଟର ୨୦୧୫ ରେ ସଂଶୋଧନ ଅଣାଯାଇ ଏହାକୁ ଅଧିକ ସ୍ୱଚ୍ଛ କରାଗଲା ଓ ଖଣିଜ ସମ୍ପଦ ଥିବା ରାଜ୍ୟମାନେ କିପରି ଅଧିକ ରାଜସ୍ୱ ପାଇବେ ସେଥିପାଇଁ ବ୍ୟବସ୍ଥା କରାଗଲା । ଏହା ସହିତ ଦେଶର ମାଇନିଂ ସେକ୍ଟର ବିଶ୍ୱ ମାଇନିଂ ବଜାରରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୁଖି ହୋଇପାରିଲା ଓ କଂଚାମାଲର ଦରଦାମ୍, କେନ୍ଦ୍ର ସରକାର ସ୍ଥିର ରଖି ଦେଶରେ ଖଣିଜଭିତିକ ଶିଳ୍ପର ବିକାଶକୁ ବଳ ଦେଲେ । ଏଥିଯୋଗୁ ଷ୍ଟିଲ, ସିମେଂଟ୍, ବିଦ୍ୟୁତ ଆଦି ଉତ୍ପାଦନର ବଜାର ଦର ନିୟନ୍ତ୍ରଣରେ ରହିବା ସହିତ ଦେଶ ବିଦେଶରେ ଅନେକ କମ୍ପାନୀ ଭାରତରେ ଖଣିଜଭିତିକ ଶିଳ୍ପରେ ଭାଗନେବାକୁ ଅଗ୍ରସର ହେଲେ । ଏବେ ଦେଶରେ ଖଣି ଶିଳ୍ପର ନିରନ୍ତର ବିକାଶ ଓ ଏହାର ଭାଲ୍ୟୁ-ଆଡିସନକୁ ବିଶ୍ୱ ବଜାରରେ ପ୍ରତିଯୋଗୀ କରିବା ପାଇଁ ଓ ବିକଶିତ ଭାରତ-୨୦୪୭ ଭିଜନରେ ଖଣିଜ ଶିଳ୍ପ ଭାଗୀଦାରୀକୁ ବଢାଇବା ପାଇଁ କେନ୍ଦ୍ର ସରକାର ଏମ୍ଏମ୍ଡ଼ିଆର୍ ଆକ୍ଟ -୧୯୫୭ରେ ସଂଶୋଧନ ଆଣିଛନ୍ତି ଯାହା ଦେଶର ଖଣିଜ ଶିଳ୍ପକୁ ଆଗକୁ ବଢାଇବା ସହିତ ରାଜ୍ୟମାନଙ୍କର ଆର୍ôଥକ ଲାଭକୁ ସୁରକ୍ଷିତ ରଖିବ । କିନ୍ତୁ ବିଜେଡି ଓ କଂଗ୍ରେସ ଏହି ସଂଶୋଧନକୁ ଲୋକଙ୍କ ପାଖରେ ଭୁଲ ଭାବେ ଉପସ୍ଥାପନ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଅଗଷ୍ଟ ୨୦୨୬ରେ ସଂସଦର ଉଭୟ ସଦନରେ ପାରିତ ହୋଇଥିବା ଏମ୍ଏମ୍ଡ଼ିଆର୍ ସଂଶୋଧିତ ଆଇନର ମୂଳ ଲକ୍ଷ୍ୟ ହେଉଛି ଗୁରୁ ଖଣିଜ କ୍ଷେତ୍ରରେ ଦୀର୍ଘମିଆଦୀ ସ୍ଥିରତା ଓ ନୀତିଗତ ନିଶ୍ଚିତତା ବ୍ୟବସ୍ଥା ସୃଷ୍ଟି କରି ନିବେଶ ଓ ଉତ୍ପାଦନକୁ ଗତି ଦେବା । ଏମ୍ଏମ୍ଡ଼ିଆର୍ ଆଇନର ସଂଶୋଧନ କାହିଁକି ହେଲା ତାହା ଲୋକେ ଜାଣିବା ଦରକାର । ବିରୋଧୀ ଦଳମାନେ ଏହା ଜାଣିଥିଲେ ବି ରଣନୀତି ଓ ଦଳୀୟ ସ୍ୱାର୍ଥ ପାଇଁ ଲୋକଙ୍କୁ ଭୁଲ୍ ତଥ୍ୟ ଦେବା ଦେଖାଯାଉଛି ।
ଆଇନର ସଂଶୋଧନ କାହିଁକି ହେଉଛି ତାହା ବିଲ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆଜି ବିଶ୍ୱ, ପୁଞ୍ଜି କିମ୍ବା ପ୍ରଯୁକ୍ତିବିଦ୍ୟା ପରି ଖଣିଜ ପଦାର୍ଥ ପାଇଁ ପ୍ରତିଯୋଗିତା କରୁଛି । ଇସ୍ପାତ, ସିମେଂଟ୍, ବିଦ୍ୟୁତ୍, ଇଲେକ୍ଟ୍ରୋନିକ୍ସ, ପରିବହନ ଏବଂ ପ୍ରତିରକ୍ଷା ସବୁକିଛି ଖଣିଜ ସମ୍ପଦରୁ ଆରମ୍ଭ ହୁଏ । ତେଣୁ ଏହି ସମ୍ପଦର ଏକ ସ୍ଥିର ଏବଂ ସୁସଙ୍ଗତ ବଂଟନ, ଜାତୀୟ ସୁରକ୍ଷା ଏବଂ ଦୈନନ୍ଦିନ ଜୀବିକା ଉଭୟକୁ ଆକାର ଦିଏ । ଭାରତରେ ଖଣି ଏବଂ ଖଣିଜ ପଦାର୍ଥ ଏମ୍ଏମ୍ଡ଼ିଆର୍ ଆଇନ, ୧୯୫୭ ଅଧୀନରେ ନିୟନ୍ତ୍ରିତ । ସଂଶୋଧନ ଆଇନ, ୨୦୨୬, ଏହି କ୍ଷେତ୍ର ପାଇଁ ଏକ ସମାନ ଏବଂ ସନ୍ତୁଳିତ ଆର୍ôଥକ ଢାଂଚା ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖୁଛି । ଖଣିଜ ସମ୍ପଦ କିଛି ରାଜ୍ୟରେ ରହିଛି କିନ୍ତୁ ଏହା ସମଗ୍ର ଜାତୀୟ ଅର୍ଥନୀତିକୁ ସାହାଯ୍ୟ କରେ, ଯାହା ଏହାର ‘କର’କୁ ଜାତୀୟ ଗୁରୁତ୍ୱ ଦେଇଥାଏ । ଅନିୟନ୍ତ୍ରିତ ବ୍ୟବସ୍ଥା ଏବଂ ଭିନ୍ନ ରାଜ୍ୟର ଟିକସ ଢାଂଚା, ଖଣିର କାର୍ଯ୍ୟ କ୍ଷମତାକୁ କ୍ରମାଗତ ଭାବରେ ନଷ୍ଟ କରେ ଓ ଶିଳ୍ପ ଏବଂ ପରିବାରରେ ଉତ୍ପାଦିତ ଦ୍ରବ୍ୟର ଖର୍ଚ୍ଚ ବୃଦ୍ଧି କରେ । କିନ୍ତୁ ସଂଶୋଧିତ ଆଇନ, ୨୦୨୬ ଖଣିଜ ଦ୍ରବ୍ୟର ‘କର’ ରେ ସମାନତା ଏବଂ ଯୁକ୍ତିଯୁକ୍ତତା ଆଣିବାକୁ ଚେଷ୍ଟା କରୁଛି । ରାଜ୍ୟଗୁଡ଼ିକ ବର୍ତମାନ ଖଣି ଉପରେ ପ୍ରାୟ ୧୪ ପ୍ରକାର କର, ଶୁଳ୍କ ଆଦି ଲାଗୁ କରନ୍ତି । ଏଥିରେ ରୟାଲ୍ଟି, ନିଲାମ ପ୍ରିମିୟମ୍, ଡ଼ିଏମ୍ଏଫ୍ ଦେୟ, ଜିଏସ୍ଟି ଏବଂ ପରିବହନ ଶୁଳ୍କ ଆଦି ଅନ୍ତର୍ଭୁକ୍ତ । କିଛି ରାଜ୍ୟ ଖଣିଜ ପଦାର୍ଥ ଥିବା ଜମି ଉପରେ ଅତିରିକ୍ତ ଭାବରେ କର ଲଗାଇବା ଆରମ୍ଭ କରିଛନ୍ତି, ଯାହା ୨୦ ପ୍ରତିଶତ ପରି ଉଚ୍ଚ ହାରକୁ ଛୁଇଁଛି । ଏହା ଏକ କ୍ରମାଗତ ଏବଂ ଖୋଲା ଓ ଅନିଶ୍ଚିତ ଟିକସ ବୋଝ ସୃଷ୍ଟି କରେ । ଗ୍ରାଫାଇଟ୍ ପରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ୟୁରାନିୟମ୍ ପରି ପରମାଣୁ ଖଣିଜ ପଦାର୍ଥ ଉପରେ ମଧ୍ୟ ଏହି କର ବୋଝ ସୃଷ୍ଟି କରେ ଯାହା ଏହି ରଣନୈତିକ ଖଣିଜ ପଦାର୍ଥର ନିଷ୍କାସନକୁ ଅବ୍ୟବସ୍ଥିତ କରେ । ରାଜ୍ୟ ରାଜ୍ୟ ମଧ୍ୟରେ ଭିନ୍ନ ‘କର’ ହାର ଉତ୍ପାଦନରେ ଅସମାନତା ସୃଷ୍ଟି କରେ । ରଣନୈତିକ ଖଣିଜ ପ୍ରକଳ୍ପଗୁଡ଼ିକୁ ବାଣିଜ୍ୟିକ ଭାବରେ କାର୍ଯ୍ୟକ୍ଷମ ରଖିବା ପାଇଁ ଟିକସର ଯୁକ୍ତିଯୁକ୍ତକରଣ ଆବଶ୍ୟକ । ଯେତେବେଳେ ଅଧିକ ଟିକସ ବୋଝ ହୁଏ , ସେତେବେଳେ ଭାରତୀୟ ଖଣିଜ ପଦାର୍ଥ ଅପେକ୍ଷା ବିଦେଶରୁ କଂଚାମାଲ ଆମଦାନୀ କରିବା ଅଧିକ ଲାଭବାନ ହୁଏ । ଏଥିଯୋଗୁ ଦେଶର ଖଣି ଶିଳ୍ପ କ୍ଷତିଗ୍ରସ୍ତ ହୁଏ ଓ କମ୍ପାନୀମାନେ ବିଦେଶରୁ କଂଚାମାଲ ଆମଦାନୀ କରନ୍ତି । ଏଥିଯୋଗୁ ଆମର ଖଣିଜ ସମ୍ପଦ ଥାଇବି ୨୦୨୫ -୨୬ ଆର୍ôଥକ ବର୍ଷରେ ୧୦,୧୨,୫୨୯ କୋଟି ଟଙ୍କାର ଖଣିଜ ପଦାର୍ଥ ବିଦେଶରୁ ଆମଦାନୀ ହୋଇଥିଲା । ଖଣିଜ କ୍ଷେତ୍ରରେ “ଆତ୍ମନିର୍ଭରତା” ଲକ୍ଷ୍ୟ ପାଇଁ ଏହି ଖର୍ଚ୍ଚ ବୃଦ୍ଧିକୁ ରୋକିବା ଅତ୍ୟନ୍ତ ଜରୁରି ।
ସେହିପରି, ଖଣିଜ ଉପରେ ଟିକସ ସିଧାସଳଖ ଖଣିଜ ମୂଲ୍ୟରେ ଯୋଡାଯାଏ । ଏଥିଯୋଗୁ ଇସ୍ପାତ, ସିମେଂଟ୍, ବିଦ୍ୟୁତ୍ ଏବଂ ନିର୍ମାଣରେ ଦରଦାମ୍ ବଢେ । ସାଧାରଣ ପରିବାର, ଗୃହ, ବିଦ୍ୟୁତ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅଧିକ ଦେୟ ଦିଅନ୍ତି । ଯଦି ଖଣି ଶିଳ୍ପ କ୍ଷତିଗ୍ରସ୍ତ ହୁଏ ତେବେ ଖଣି ବନ୍ଦ ହୁଏ ଓ କୋଟି କୋଟି ଶ୍ରମିକ ନିଯୁକ୍ତି ହରାନ୍ତି । ଅନ୍ୟପଟେ ନିବେଶକମାନେ କେବଳ ସେହି ସ୍ଥାନରେ ଖଣି ପାଇଁ ପୁଞ୍ଜି ଲଗାନ୍ତି ଯେଉଁଠାରେ ‘ଟିକସ’ ସ୍ଥିର ଥାଏ । ହଠାତ୍ ଟିକସରେ ପରିବର୍ତନ ସାଧାରଣ ଜନତାଙ୍କୁ ନିରୁତ୍ସାହିତ କରେ ।
ଏହିସବୁ କାରଣରୁ ଆଇନରେ ସଂଶୋଧନ ହୋଇଛି । ରାଜ୍ୟମାନେ ପୂର୍ବଭଳି ରୟାଲିଟି, ଡ଼ିଏମ୍ଏଫ୍ ଅନୁଦାନ ଓ ଅନ୍ୟାୟ ଟିକସ ପାଇବାବେଳେ କେବଳ ଖଣିଜ ପଦାର୍ଥ ବା ଜମି ଉପରେ ବିନା କେନ୍ଦ୍ର ଅନୁମୋଦନରେ ନୂତନ କର ଆଦାୟ କରିପାରିବେ ନାହିଁ ଓ ପଛୁଆ ତାରିଖରୁ ଟିକସ ଆଦାୟ କରିପାରିବେ ନାହିଁ । କିନ୍ତୁ ଯାହା ଆଦାୟ କରାଯାଇଛି ତାକୁ ଆଉ ଫେରାଇବା ଆବଶ୍ୟକ ନାହିଁ ।
ଆଇନର ପ୍ରମୁଖ ବ୍ୟବସ୍ଥା ଏମ୍ଏମ୍ଡ଼ିଆର୍ ଆଇନ, ୧୯୫୭ରେ ନୂତନ ଧାରା ୯-ଡି ଯୋଡିହୋଇଛି । ଏହା ଅନୁସାରେ ରାଜ୍ୟ ସରକାରଙ୍କ ଦ୍ୱାରା ଖଣିଜ କିମ୍ବା ଖଣିଜ ପଦାର୍ଥ ଥିବା ଜମି ଉପରେ କୌଣସି ଟିକସ, ସେସ୍ କିମ୍ବା ଅନ୍ୟ କୌଣସି ଟିକସ ଲାଗୁ କରାଯିବ ନାହିଁ । ଏପରି ଟିକସ କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତାବଳୀ କିମ୍ବା ପ୍ରତିବନ୍ଧକ ଅନୁଯାୟୀ ଲାଗୁ କରାଯାଇପାରେ । ଦ୍ୱିତୀୟରେ ସଂଶୋଧନ ଲାଗୁହେବା ପୂର୍ବରୁ ରାଜ୍ୟଦ୍ୱାରା ସଂଗ୍ରହ କରାଯାଇନଥିବା ଯେକୌଣସି ଟିକସକୁ ଅବୈଧ ବୋଲି ବିବେଚନା କରାଯିବ କିନ୍ତୁ ପୂର୍ବରୁ ଜମା କିମ୍ବା ଆଦାୟ କରାଯାଇଥିବା ପରିମାଣ ଫେରସ୍ତ କରାଯିବ ନାହିଁ । ତୃତୀୟରେ କେନ୍ଦ୍ର ସରକାରଙ୍କୁ ନିୟମ ପ୍ରଣୟନ କରିବାକୁ କ୍ଷମତା ଦେବା ପାଇଁ ଏମ୍ଏମ୍ଡ଼ିଆର୍ ଆଇନର ଧାରା -୧୩ ସଂଶୋଧନ କରାଯାଇଛି ।
ଏହି ସଂଶୋଧନ ଫଳରେ ରାଜ୍ୟର ରାଜସ୍ୱ ଏବଂ ସ୍ୱାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଏକ ସ୍ୱଚ୍ଛ, ନିଲାମ-ଆଧାରିତ ବ୍ୟବସ୍ଥା ଅଧୀନରେ ୨୦୧୫ ପରଠାରୁ ରାଜ୍ୟଗୁଡ଼ିକୁ ସଂଗୃହୀତ ଖଣିଜ ରାଜସ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଇନର ସଂଶୋଧନ ଏହି ସ୍ଥିତିକୁ ପରିବର୍ତନ କରିବ ନାହିଁ । ଯାହାଫଳରେ ରାଜ୍ୟଗୁଡ଼ିକ ଖଣି ରାଜସ୍ୱର ଅତ୍ୟଧିକ ଅଂଶ ପାଇବା ଜାରି ରଖିବେ । ୨୦୧୪ ପୂର୍ବରୁ, ଏହି କ୍ଷେତ୍ରକୁ ଇଚ୍ଛାଧୀନ ଏବଂ ଅଣ-ସ୍ୱଚ୍ଛ ଅନୁଦାନ ଏବଂ ରିହାତିର ନବୀକରଣ ଦ୍ୱାରା ଚିହ୍ନିତ କରାଯାଇଥିଲା । ମାମଲା ବାରମ୍ବାର କୋର୍ଟକୁ ଯାଉଥିଲା, ଉତ୍ପାଦନ କମ୍ ଥିଲା ଏବଂ ରାଜ୍ୟର ରାଜସ୍ୱ କମ୍ ରହିଥିଲା । କିନ୍ତୁ ୨୦୧୫ର ସଂଶୋଧନ ପରେ, ଖଣିଜ ଉତ୍ପାଦନରୁ ରାଜ୍ୟଗୁଡ଼ିକୁ ୩୫୪ ପ୍ରତିଶତ ବୃଦ୍ଧି ପାଇଛି ଏବଂ କୋଇଲା ସମେତ ଅନ୍ୟ କ୍ଷେତ୍ରରୁ ରାଜ୍ୟମାନେ ୭ ଲକ୍ଷ କୋଟିରୁ ଅଧିକ ରାଜସ୍ୱ ପାଇଛନ୍ତି ।
ଖଣି କ୍ଷେତ୍ର ରାଜସ୍ୱର ପ୍ରାୟ ୯୦ ପ୍ରତିଶତ ବର୍ତମାନ ରାଜ୍ୟଗୁଡ଼ିକୁ ଯାଉଛି । ମୋଟ ଖଣିଜ ରାଜସ୍ୱ, କୋଇଲା ଏବଂ ଅଣ-କୋଇଲାରେ ସେମାନଙ୍କର ଅଂଶ ଏକ ଦଶନ୍ଧିରେ ପ୍ରାୟ ୨୮ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୨୫-୨୬ରେ ପ୍ରାୟ ୧,୧୪,୫୪୯.୨୮କୋଟିରେ ପହଁଚିଛି । କୋଇଲା କ୍ଷେତ୍ର ଏହି ପରିବର୍ତନକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ରାଜ୍ୟଗୁଡ଼ିକ ୨୦୧୪-୧୫ରେ ୧୧,୯୪୭.୯୭ କୋଟି ପାଇଥିଲେ, ଯାହା ୨୦୨୫-୨୬ରେ ବୃଦ୍ଧି ପାଇ ୩୨,୧୮୩.୦୯ କୋଟିରେ ପହଁଚିଛି । କେନ୍ଦ୍ରର ଅଂଶ ସେହି ସମୟ ମଧ୍ୟରେ ୯,୫୩୪.୨୪ କୋଟିରୁ ହ୍ରାସ ପାଇ ୩,୭୭୧.୮୨ କୋଟିକୁ ପହଁଚିଛି ଅର୍ଥାତ୍ ୨୨.୯୭ ପ୍ରତିଶତରୁ ୧୦.୫ ପ୍ରତିଶତକୁ କମିଛି । ଏହା ଦର୍ଶାଉଛି ଯେ କେନ୍ଦ୍ର କମ୍ ଅର୍ଥ ନେବା ବେଳେ ରାଜ୍ୟମାନେ ଟିକସର ଅଗ୍ରଭାଗ ନେଉଛନ୍ତି ।
ପ୍ରମୁଖ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ୨୦୧୩-୧୪ ଆର୍ôଥକ ବର୍ଷରେ ୧୩,୫୮୬.୧୬ କୋଟି ପାଇଥିଲେ, ଯାହା ୨୦୨୫-୨୬ ଆର୍ôଥକ ବର୍ଷରେ ବୃଦ୍ଧି ପାଇ ୮୨,୩୬୬.୧୯ କୋଟିରେ ପହଁଚିଛି । ଏହା ବାରବର୍ଷ ମଧ୍ୟରେ ୧୬.୨୦ ପ୍ରତିଶତର ଏକ ଚକ୍ରବୃଦ୍ଧି ହାର । ୨୦୧୫-୧୬ ଏବଂ ୨୦୨୫-୨୬ ଆର୍ôଥକ ବର୍ଷ ମଧ୍ୟରେ, ରାଜ୍ୟଗୁଡ଼ିକୁ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ପାଇଛନ୍ତି କିନ୍ତୁ କେନ୍ଦ୍ର କେବଳ ପ୍ରାୟ ୮୨,୦୦୦ କୋଟି ଟଙ୍କା ପାଇଛି । ଓଡ଼ିଶା ୨୦୧୫ ପୂର୍ବରୁ ୫୦୦୦ କୋଟି ଟଙ୍କା ପାଉଥିବା ବେଳେ ୨୦୧୫ ପରେ ୫୫୦୦୦ କୋଟି ଟଙ୍କା ପାଇଛି । ସଂଶୋଧିତ ଆଇନ ଏହି ସ୍ଥିତିକୁ ଅପରିବର୍ତିତ ରଖିଛି ।
୨୦୧୫ରେ ପ୍ରଚଳିତ ନୂଆ ନିଲାମ ବ୍ୟବସ୍ଥା, ରାଜ୍ୟଗୁଡ଼ିକୁ ଏକ ସମ୍ପୂର୍ଣ୍ଣ ନୂତନ ନିଲାମ ‘ପ୍ରିମିୟମ’ ଦେଉଛି । ୨୦୧୫ ପରଠାରୁ, ରାଜ୍ୟଗୁଡ଼ିକ ୧୨୦୦ କାର୍ଯ୍ୟକ୍ଷମ ଖଣିରୁ ରୟାଲଟି ଭାବରେ ୨.୩୨ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । କେବଳ ୧୦୦ ନିଲାମ ହୋଇଥିବା ଖଣିରୁ, ସେମାନେ ନିଲାମ ପ୍ରିମିୟମ ଭାବରେ ୯୬,୦୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଓଡ଼ିଶା, ଏହାର ୭୯ ନିଲାମ ହୋଇଥିବା ବ୍ଲକ୍ ମଧ୍ୟରୁ ୩୫ଟିକୁ କାର୍ଯ୍ୟକ୍ଷମ କରି, ୨୦୨୦-୨୧ ଏବଂ ୨୦୨୫-୨୬ ମଧ୍ୟରେ ପ୍ରାୟ ୮୭,୦୦୦ କୋଟି ଟଙ୍କା ପ୍ରିମିୟମ ଆୟ କରିଛି ।
ସେହିଭଳି ବାଲି, ପଥର, ମାଟି, ସିଲିକା, ଗ୍ରାନାଇଟ୍, ମାର୍ବଲ୍, ଜିପ୍ସମ୍, ଲାଟେରାଇଟ୍ ସମେତ ପ୍ରାୟ ୫୦ ଟି କ୍ଷୁଦ୍ର ଖଣିଜ ପଦାର୍ଥ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ । ସଂଶୋଧିତ ଆଇନର ଏଗୁଡ଼ିକ ଉପରେ କୌଣସି ପ୍ରଭାବ ନାହିଁ । ଏହା ଉପରେ ରାଜ୍ୟ କର୍ତୁତ୍ୱ ପୂର୍ବପରି ଜାରି ରହିଛି ।
ତେଣୁ ମୁଖ୍ୟ କଥା ହେଲା , ଆଗକୁ ରାଜ୍ୟର ଖଣିଜ ସ୍ୱାର୍ଥରେ କ୍ଷତି ହେବ ନାହିଁ ବରଂ ଲାଭ ହେବ । ରାଜ୍ୟରେ ଅନେକ ଖଣିଜଭିତିକ ଶିଳ୍ପ ପ୍ରତିଷ୍ଠା ହେବ ଓ ଏହା ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ରାଜ୍ୟ ଅଧିକ ଖଣିଜ ରାଜସ୍ୱ ପାଇବ । ଏହା ସ୍ପଷ୍ଟ ଯେ ରାଷ୍ଟ୍ରର ବିକାଶ ହେଲେହିଁ ରାଜ୍ୟର ବିକାଶ ହେବ ଏବଂ ରାଷ୍ଟ୍ରର ବିକାଶକୁ ଛାଡି ରାଜ୍ୟର ବିକାଶ ହୋଇପାରିବ ନାହିଁ । ବିକଶିତ ଓଡ଼ିଶା -୨୦୩୬ ଓ ବିକଶିତ ଭାରତ -୨୦୪୭ ସ୍ୱପ୍ନ ସାକାର ହେବା ଦିଗରେ ଏହି ସଂଶୋଧନ ସହାୟକ ହେବ ।
ଆଜି ଯେଉଁମାନେ ବିଲ୍ର ସଂଶୋଧନକୁ ସମାଲୋଚନା କରୁଛନ୍ତି ସେମାନେ ଓଡ଼ିଶାକୁ ୨୦୧୫ ପରେ ମିଳିଥିବା ଅଧିକ ଖଣିଜ ଆୟକୁ କିପରି ବେପରୁଆ ଓ ଦୁର୍ନୀତିଖୋର ଭାବେ ଖର୍ଚ୍ଚ କରୁଥିଲେ ତାହା ଉପରେ ସମୀକ୍ଷା କରିବା କଥା । ଅଧିକ ରାଜସ୍ୱ ଆସିବାପରେ ଏହାର କିପରି ସଦ୍ବିନିଯୋଗ ହୋଇ ଲୋକଙ୍କ ବିକାଶ ହେବ ତାହା ଉପରେ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ । କେବଳ ରାଜନୈତିକ ଉଦ୍ଦେଶ୍ୟରେ ଲୋକଙ୍କୁ ଭୁଲ୍ ତଥ୍ୟ ଦେଇ ବିଭ୍ରାନ୍ତ କଲେ ଲୋକେ କ୍ଷମା କରିବେ ନାହିଁ ।
ଭାରତର ସଂସଦ, ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ହୋଇଥିବାରୁ ଏହା ନିଜର ସାମ୍ବିଧାନିକ ତଥା ଆଇନଗତ ପରିଧି ଭିତରେ ଏମ୍ଏମ୍ଡିର ଆଇନର ସଂଶୋଧନ ଜନସାଧାରଣଙ୍କ ହିତରେ କରିଛି । ଖଣିଜ ସମ୍ପଦର ସୁରକ୍ଷା, ସ୍ୱଚ୍ଛ ଶାସନ, ନିବେଶର ବିସ୍ତାର, ଉତ୍ପାଦନ ବୃଦ୍ଧି ଓ ରାଜ୍ୟମାନଙ୍କର ରାଜସ୍ୱ ସୁରକ୍ଷା କହଇ ସମନ୍ୱିତ ଦୃଷ୍ଟିକୋଣ ହିଁ ବିକଶିତ ଭାରତର ମଜଭୁତ ଭିତିଭୂମି ହେବ ।
ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ
(ରାଜ୍ୟ ସାଧାରଣ ସମ୍ପାଦକ)
ଭାରତୀୟ ଜନତା ପାର୍ଟି, ଓଡିଶା
ଫୋନ୍ ନଂ – ୯୪୩୭୦୮୮୨୦୯