ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରା କଲେ ଆତ୍ମହତ୍ୟା ।

କନ୍ଧମାଳ :ଘୁ.ଉଦୟଗିରି, ଶାନ୍ତ ଓ ସରଳ ସ୍ବାଭାବର ଅଧୀକାରୀ ତଥା ସ୍ଥାନୀୟ ଆଦର୍ଶ ଥାନା ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରା ଆଜି ପୂର୍ବାହ୍ନରେ ଆତ୍ମହତ୍ୟା କରିଦେଇଛନ୍ତି। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ପରିସର ସରକାରୀ ବାସଭବନରେ ସେ ଆଜି ସକାଳେ ଆତ୍ମହତ୍ୟା କରିବା ପୂର୍ବରୁ ନିଜର ସହକର୍ମୀଙ୍କ ସହିତ କଥା ହୋଇଥିଲେ। ସରକାରୀ ବାସଭବନରେ ନିଜ ବେକରେ ଲୁଗା ଲଗେଇ ଆତ୍ମହତ୍ୟା କରିଥିଲେ। ସ୍ବାଗତିକା ଆଜି ସକାଳ ୭ଟାରେ ନିଜ ସହକର୍ମୀ ଅଫିସରଙ୍କ ସହ ଫୋନରେ କଥା ହୋଇଥିଲେ। କିଛି ସମୟ ପରେ ଥାନାର ଜଣେ ଇନ୍ସପେକ୍ଟର ସ୍ୱାଗତିକାଙ୍କୁ ଫୋନ କରିଥିଲେ ବାରମ୍ବାର ଫୋନ କଲେ ମଧ୍ୟ ସେ କିଛି ଉତ୍ତର ଦେଇନଥିଲେ। ଏହାପରେ ଜଣେ ଗୃହରକ୍ଷୀଙ୍କୁ ସ୍ୱାଗତିକା ରହୁଥିବା ସରକାରୀ ବାସଗୃହକୁ ପଠେଇଥିଲେ। ସେ ଯାଇ କବାଟ ବାଡେଇଥିଲେ କିଛି ସମୟ ଅପେକ୍ଷା କରି ଫେରିଥିଲେ। ଏହାପରେ ଅନ୍ୟ ଜଣେ ମହିଳା କର୍ମଚାରୀ ଯାଇ କବାଟ ବାଡେଇ ବା ସହ ଝରକା ପଟେ ଦେଖିଥିଲେ ଏବଂ ସଙ୍ଗେ ସଙ୍ଗେ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ସମସ୍ତ ଥାନା ଅଧିକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। କନ୍ଧମାଳ ଜିଲ୍ଲା ଇତିହାସରେ ଏହିଭଳି ଜଣେ ମହିଳା ଏସଆଇ ଆତ୍ମହତ୍ୟା କରିବା ପ୍ରଥମ ଘଟଣା।

ସ୍ବାଗତିକାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର, ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୁଲିସ୍ କର୍ମଚାରୀ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ମହିଳା ଏସ୍ଆଇଙ୍କ ଶବ ଉଦ୍ଧାର କରିବା ସହ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଛେଦ ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ। ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନିତ୍ ଅଗ୍ରୱାଲ ପହଞ୍ଚି ଏସ ଡିପିଓ ଓ ଆଇଆଇସି ଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଖବର ପାଇ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନଥିବାବେଳେ କେଉଁ କାରଣରୁ ମହିଳା ପୁଲିସ୍ ଏସ୍ଆଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ସନ୍ଦେହ ଘେରରେ ରହିଛି ।

ଅନ୍ୟପଟେ ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସଆଇ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ବୋଲି ସୂଚନା ରହିଛି ପରିବାର ଲୋକେ ଘୁ. ଉଦୟଗିରି ପହଞ୍ଚିଲେ ଶବ ବ୍ୟବଚ୍ଛେଦ ହେବ ଏବଂ ଦୁର୍ଘଟଣାର କାରଣ ପଦାକୁ ଆସିବ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି।କନ୍ଧମାଳ ଏସପି କହିଛନ୍ତି ମହିଳା ଏସଆଇଙ୍କ ଆତ୍ମହତ୍ୟାର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରାଯିବ। ଆମେ ପ୍ରଶ୍ନ କରିଥିଲୁ କେଉଁ କାରଣ ଯୋଗୁଁ ଜଣେ ମହିଳା ପୁଲିସ ଅଫିସର ଏହିଭଳି ପଦକ୍ଷେପ ନେଲେ। ଅତ୍ୟଧିକ କାର୍ଯ୍ୟଭାର ନା ଉପରିସ୍ଥ ଅଧିକାରୀଙ୍କ ଚାପ ଥିଲା ନା କେଉଁ ଉପରିସ୍ଥ ଅଧିକାରୀଙ୍କ ମାନସିକ ନିର୍ଯାତନା ଯୋଗୁଁ ସ୍ୱାଗତିକାଙ୍କ ଭଳି ଶାନ୍ତ ସରଳ ପୁଲିସ ଅଫିସର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ଏସପି ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ଆମେ ତଦନ୍ତ କରିବୁ ଯାହା ନିଷ୍କର୍ଷ ବାହାରିବ ଯିଏ ଦୋଷୀ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଶ୍ନ ଉଠୁଛି ଜଣେ ଅବିବାହିତ ମହିଳା ଏସଆଇ କାହିଁକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ? କଣ ସମସ୍ୟା ଥିଲା ସ୍ୱାଗତିକାଙ୍କର। ସେ ଗତକାଲି ଏକ କେଶରେ ଫୁଲବାଣୀ ଯାଇ ସନ୍ଧ୍ୟାରେ ଫେରିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଥାନାରେ କାର୍ଯ୍ୟ କରିଛନ୍ତି।

Comments are closed.