ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି।

 ‘ଓଡ଼ିଶା ଜନତା କଂଗ୍ରେସ’ (OJC)

ଭୁବନେଶ୍ୱର  : ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର। କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋକିମଙ୍କ ଏହି ନୂଆ ଦଳର ନାମ ‘ଓଡ଼ିଶା ଜନତା କଂଗ୍ରେସ’ (OJC) ରଖାଯାଇଛି। ଆସନ୍ତା ମାର୍ଚ୍ଚ ମାସରେ ସେ ଏହି ନୂଆ ଦଳର ରୂପରେଖ ଓ ଲକ୍ଷ୍ୟ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।

ଗତ କିଛି ମାସ ଧରି ମହମ୍ମଦ ମୋକିମ ସାରା ଓଡ଼ିଶା ଗ୍ରସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଥିଲେ। ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶାଳ ଯୁବ ସମାବେଶ ତାଙ୍କ ଶକ୍ତି ପ୍ରଦର୍ଶନର ଏକ ଝଲକ ଥିଲା।

‘ଓଡ଼ିଶା ଜନତା କଂଗ୍ରେସ’ ମୁଖ୍ୟତଃ ରାଜ୍ୟର ଯୁବବର୍ଗ, ଚାଷୀ ଏବଂ ମହିଳାମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିବ ବୋଲି କୁହାଯାଉଛି।  ବିଜେଡି ଏବଂ ବିଜେପିର ବିକଳ୍ପ ଭାବେ ଏକ ଦୃଢ଼ ଆଞ୍ଚଳିକ ପ୍ଲାଟଫର୍ମ ଛିଡ଼ା କରିବା ମୋକିମଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଦଳର ନାମରେ ‘କଂଗ୍ରେସ’ ଶବ୍ଦ ରହିଥିବାରୁ ଏହା ପୁରୁଣା କଂଗ୍ରେସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ରଣନୀତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

କଟକରୁ ଆରମ୍ଭ ହୋଇଥିବା ଏହି ରାଜନୈତିକ ଯାତ୍ରା ଏବେ ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କଲାଣି। ବିଶେଷ କରି ଉପକୂଳ ଓଡ଼ିଶାରେ ମୋକିମଙ୍କର ଭଲ ପ୍ରଭାବ ରହିଥିବାରୁ, ଅନେକ ଅସନ୍ତୁଷ୍ଟ ନେତା ‘ଓଡ଼ିଶା ଜନତା କଂଗ୍ରେସ’ରେ ସାମିଲ ହେବା ପାଇଁ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ତାଙ୍କ ଝିଅ ତଥା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଭବିଷ୍ୟତ ରଣନୀତି ମଧ୍ୟ ଏହି ଦଳ ସହ ଜଡ଼ିତ ହୋଇପାରେ।

Comments are closed.