ନବରଙ୍ଗପୁର( ୪/୩) : ଗଭୀର ଆତ୍ମବିଶ୍ବାସ,କଠିନ ପରିଶ୍ରମ ଓ ସ୍ଥିର ଲକ୍ଷ୍ଯ ନେଇ ନିଜସ୍ବ କ୍ଷେତ୍ରରେ ଶୀର୍ଷ ଛୁଇଁଥିବା ତଥା ସମାଜର ମହିଳାମାନଙ୍କପାଇଁ ପ୍ରେରଣା ତଥା ଉଦାହରଣ ସୃଷ୍ଟି କରିଥିବା ବହୁ ମହିଳାଙ୍କ ମଧ୍ଯରୁ ଅଧ୍ଯାପିକା ମଧୁସ୍ମିତା ମହାରଣା ଅନ୍ଯତମ । ବୃତ୍ତିରେ ଅଧ୍ଯାପନା ,କୃତିରେ କଳା ଓ ସଂସ୍କୃତି ସାଧନା । ମଞ୍ଚକଳାକୁ ପ୍ରଚାର ପ୍ରସାର କରିବାପାଇଁ ସଂକଳ୍ପ ନେଇଥିବା ମଧୁସ୍ମିତା ଚାଳିଶରୁ ଊର୍ଦ୍ଧ୍ବନାଟକର ନିର୍ଦ୍ଦେଶନା ଦେଇ ସାଉଁଟିଛନ୍ତି ଦର୍ଶକଙ୍କ ପ୍ରିୟ ନିର୍ଦ୍ଦେଶିକା ।ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ବାସ ବିଲୋପ ପାଇଁ ତାଙ୍କ କବିତାରେ ଶାଣିତ ସ୍ବର ରହିଛି ।ଚେଙ୍କ,କଞ୍ଚାଡାଆଣୀ,ପରମ୍ପରା ଆଦି ସଚେତନ ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତକରି ସମାଜକୁ ବାର୍ତ୍ତା ଦେଇଛନ୍ତି ।ଏକାଧାରରେ ଜଣେ ଶିକ୍ଷାବିତ୍ ,କବୟିତ୍ରୀ ଏବଂ ସଫଳ ମଞ୍ଚନାଟ୍ଯ ନିର୍ଦ୍ଦେଶିକା ଭାବେ ନିଜସ୍ବ ପରିଚୟରେ ପରିଚିତ ଶ୍ରୀମତୀ ମହାରଣା ଚଳିତ ବର୍ଷ “ଆକ୍ଚିଭର୍ସ ଆୱାର୍ଡ -୨୦୨୬” ବିଜୟିନୀ ହୋଇ ଜିଲ୍ଲାକୁ ଗୌରବାନ୍ବିତ କରିବା ସହିତ ମହିଳାମାନଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି । ପ୍ରମେୟ ଓ ନ୍ଯୁଜ-୭ ଦ୍ବାରା ଆୟୋଜିତ ଷଷ୍ଠ ଓମେନ୍ ଆକ୍ଚିଭର୍ସ ଅଫ୍ ଓଡିଶା -୨୦୨୬ର ଶୁଭ ସମ୍ବର୍ଦ୍ଧନା ଉତ୍ସବରେ କଳା ଓ ସଂସ୍କୃତି କ୍ଷେତ୍ରରେ ମହନୀୟ ଅବଦାନ ପାଇଁ ଶ୍ରୀମତୀ ମଧୁସ୍ମିତା ମହାରଣାଙ୍କୂ ସମ୍ମାନିତ କରାଯାଇଛି । ବିଶ୍ବମହିଳା ଦିବସର ଅବ୍ଯବହିତ ପୂର୍ବରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ପ୍ରଶଂସକଙ୍କ ମହଲରୁ ଶୁଭେତ୍ସା ବାର୍ତ୍ତାର ସୁଅ ଛୁଟିଛି ।ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା କଳା ଓ ସଂସ୍କୃତିପାଇଁ ସଂଗ୍ରାମ କରି ସଫଳତାର କାହାଣୀ ଲେଖିବା ଅନ୍ଯମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ ।
ରିପୋର୍ଟ-ସନାତନ ମହାକୁଡ଼।

Comments are closed.