ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ହେବା ରାଜ୍ୟର ପ୍ରଗତିରେ ଏକ ସକାରାତ୍ମକ ଲକ୍ଷଣ : ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସୁଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳ, ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ଓ ରାଜ୍ୟର ପର୍ଯ୍ୟାପ୍ତ ଜଳରାଶିର ବିଭିନ୍ନ ସଂପଦକୁ କାର୍ଯ୍ୟରେ ଲଗାଇ ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବା ସହିତ ଜୀବିକାନିର୍ବାହର ବିପୁଳ ସୁଯୋଗ ସୃଷ୍ଟି କରିହେବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଆଜି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ର ତୃତୀୟ ତଥା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ ଓ ରାଜ୍ୟର ଚାଷୀଭାଇମାନଙ୍କ କଠିନ ପରିଶ୍ରମ ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ପାଞ୍ଚଥର କୃଷିକର୍ମଣ ପୁରସ୍କାର ଲାଭ କରିଛି। ଗୋପାଳନ ଓ ପ୍ରାଣିପାଳନ ଆୟବୃଦ୍ଧି ଓ ରୋଜଗାର ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ହେବା ରାଜ୍ୟର ପ୍ରଗତିରେ ଏକ ସକାରାତ୍ମକ ଲକ୍ଷଣ। ରାଜ୍ୟରେ ମାଛଚାଷ, ଗୋପାଳନ ଓ ପ୍ରାଣିପାଳନର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ପ୍ରଥମଥର ପାଇଁ ରାଜ୍ୟସ୍ତରରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ରାଜ୍ୟର ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପୋଷଣ କରିଥିଲେ।

ଉତ୍ସବରେ ସଭାପତିତ୍ୱ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗର ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ପ୍ରଶାସନର ମୂଳମନ୍ତ୍ର ୫-‘ଟି’ ଉପକ୍ରମ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି ଓ ଏହା ଦ୍ୱାରା ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବା ସହ ଚାଷୀମାନେ ଉପକୃତ ହୋଇପାରିଛନ୍ତି।

ରାଜ୍ୟର ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାବେଳେ ସେମାନଙ୍କର ଆୟବୃଦ୍ଧି ନିମନ୍ତେ କୃଷି ସହିତ ମାଛଚାଷ ଓ ପ୍ର୍ରାଣିପାଳନ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ସେ କହିଥିଲେ। ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ସଂପର୍କରେ ଅବଗତ କରାଇବା ଓ ଦକ୍ଷ କରାଇବା ପାଇଁ ଅଧିକରୁ ଅଧିକ କୃଷକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ ବାହାର ରାଜ୍ୟକୁ ଜ୍ଞାନ ଆହରଣ ପାଇଁ ପରିଭ୍ରମଣରେ ପଠାଯିବ।

ସମାବେଶରେ ପ୍ରଥମ ଥର ପାଇଁ ଆୟୋଜିତ ଆସ୍କ ଦି ମିନିଷ୍ଟର କାର୍ଯ୍ୟକ୍ରମରେ ଚାଷୀମାନେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ। ଚାଷୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଗୋ-ସୁଗମ ପୋର୍ଟାଲ ମାଧ୍ୟମରେ କୌଣସି ଯୋଜନାର ଆବେଦନ ନିମନ୍ତେ ଯଦି କୌଣସି ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ସେମାନେ ସ୍ଥାନୀୟ ଜନସେବା କେନ୍ଦ୍ର ବା ବ୍ଲକ୍‌ସ୍ତରୀୟ ପ୍ରାଣିଚିକିତ୍ସା/ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କଲେ ସେମାନଙ୍କୁ ଅନ୍‌ଲାଇନ୍‌ରେ ଗୋ-ସୁଗମରେ ଆବେଦନ ପାଇଁ ବ୍ୟବସ୍ଥା କରାଯାଉଛି।

Comments are closed.