ଖପ୍ରାଖୋଲ ପୁଲିସ ଦ୍ୱାରା ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ

ଧଣ୍ଡାମୁଣ୍ଡା: ଜୋରସୋରରେ ଚାଲୁଛି ଦାଦନ ଚାଲାଣ। ପୁଲିସ ସକ୍ରିୟତାର ସହିତ ଉଦ୍ଧାର କରିଚାଲିଥିବା ବେଳେ ଦାଦନ ଚାଲାଣ ଥମିବାର ନାଁ ନେଉ ନାହିଁ। ପ୍ରତ୍ୟେକ ଦିନ କିଛି ନାଁ କିଛି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରୁଛି, ହେଲେ ଦଲାଲମାନେ ଅଭିନଵ ପନ୍ଥା ଅବଲମ୍ବନ କରି ଏବେ ଘରୋଇ ବସମାନଙ୍କରେ ଦାଦନ ଚାଲାଣ କରୁଛନ୍ତି।

ଆଜି ରବିବାର ସକାଳ ୭ ଟାରେ ଖପ୍ରାଖୋଲ ପୁଲିସ ଦ୍ବାରା  ୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାଯାଇଛି। ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ମାଟିଖାଇ ଗାଁର ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ ରବିବାର ସକାଳୁ କୃପାମୟୀ ବସ ଯୋଗେ କିଛି ଦାଦନ ଶ୍ରମିକ ବଲାଙ୍ଗୀରକୁ ଯାଉଥିବା ବେଳେ ପୁଲିସ ଖବର ପାଇ ମାଟିଖାଇ ଛକ ଠାରେ ବସ ଉପରେ ଚଢାଉ କରି ୩ ଜଣ ମହିଳା ୩ ପୁରୁଷ ୨ ଜଣ ନାବାଳିକା ଝିଅ ଉଦ୍ଧାର କରିଥିଲେ। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିବା ଜଣାଯାଇଛି। ଶ୍ରମିକମାନଙ୍କୁ ପଚରାଉଚରା ପରେ ସେମାନେ ମାଟିଖାଇ ଗାଁରୁ ତାମିଲନାଡୁ ଯାଉଥିବା କଥା ଜଣାଯାଇଛି। ବେଆଇନ ଦାଦନ ଚାଲାଣ କରୁଥିବା ନେଇ ମାଟିଖାଇ ଗାଁର ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Comments are closed.