କେରାଣ୍ଡି

କେରାଣ୍ଡି ମାଛ ର ପ୍ରକୃତି: ଏକ ବିଶେଷ ଉପସ୍ଥାପନା

0

କେରାଣ୍ଡି
ସୃଷ୍ଟିର ସମସ୍ତ ଜୀବମାନଙ୍କ ମଧ୍ୟରୁ ମନୁଷ୍ୟକୁ ଶ୍ରେଷ୍ଠ ପ୍ରାଣୀ ହିସାବରେ ଭଗବାନ ଗଢି ତୋଳିଛନ୍ତି । ମନୁଷ୍ୟ ପାଖରେ ବିବେକକୁ ସ୍ଥାନ ଦେଇଛନ୍ତି ଯାହା ଅନ୍ୟ ଜୀବଙ୍କ ପାଖରେ ନାହିଁ । ଯେତେବେଳେ ମନୁଷ୍ୟ ସ୍ଥାନ, କାଳ, ପାତ୍ର କୁ ଭୁଲି ଯାଇ କାର୍ଯ୍ୟ କରେ, ଆବଶ୍ୟକ ନ ଥିବା ସ୍ଥଳେ ବଡ ବଡ କଥା କୁହେ, ଅଳ୍ପ କାମ କରି ପ୍ରଚାର ବେଶି କରେ କିମ୍ବା କିଛି ନ କରି ନିଜକୁ ଜ୍ଞାନୀ ଓ ସବୁ ଦିଗରେ ବଡ଼ ବୋଲି ନିଜ ମୁହଁ ରେ ନିଜର ବିଜ୍ଞାପନ ଦେଇଥାଏ, ସେହି କାର୍ଯ୍ୟକୁ ଅନ୍ୟମାନେ ପସନ୍ଦ କରନ୍ତି ନାହିଁ । କେରାଣ୍ଡି ନାମକୁ ନେଇ ଭିନ୍ନ ଭିନ୍ନ କ୍ଷେତ୍ରରେ ଓ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କ ଉଦେଶ୍ୟରେ ବ୍ୟବହାର କରାଯାଇଥାଏ । କିଏ ଆକଳନ ଅନୁଯାୟୀ ଅନ୍ୟକୁ ନ୍ୟୁନ ଦୃଷ୍ଟିରେ ବ୍ୟବହାର କରିବା ପାଇଁ କେରାଣ୍ଡି ନାମକୁ ଉପଯୋଗ କରିଥାଏ ତ’ ପୁଣି କିଏ କେତେବେଳେ କାହାକୁ ରାଗ ରେ କହିଥାଏ, କାହିଁକି କେରାଣ୍ଡି ଭଳିଆ ହଉଛୁ ? ପୁଣି କେହି କେହି ଥଟା ମଜା କରିବା ଉଦେଶ୍ୟରେ କେରାଣ୍ଡି ନାମକୁ ବ୍ୟବହାର କରିଥାନ୍ତି ।

ମାଛ ମାନଙ୍କୁ ନିରୀକ୍ଷଣ କଲେ କିମ୍ବା ସେମାନଙ୍କ କାର୍ଯ୍ୟକଳାପକୁ ବିଶ୍ଳେଷଣ କଲେ ତାହା ସୂଚିତ କରେ ଯେ, ସମସ୍ତଙ୍କର ଗଠନ ଓ ଆଚରଣ ସମାନ ନଥାଏ । ଯେଉଁ ପ୍ରଜାତି ମାଛ ମାନଙ୍କ ଶରୀର ର ବାହାର ପାର୍ଶ୍ୱରେ କଣ୍ଟା ଥାଏ । ସେମାନଙ୍କୁ ସାବଧାନତାର ସହିତ ଧରିବାକୁ ପଡେ କାରଣ ସେମାନେ କଣ୍ଟା ଦ୍ୱାରା ଏମିତି ଆଘାତ ଦେଇଥାନ୍ତି ଯେ ବହୁ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣା ରହେ । ବେଳେ ବେଳେ ଏମିତି ପରିସ୍ଥିତି ହୁଏ ଯେ ଯନ୍ତ୍ରଣା କମାଇବା ପାଇଁ ଔଷଧ ଖାଇବାକୁ ପଡେ । ସେହିପରି କିଛି ପ୍ରଜାତିର ମାଛ ଅଛନ୍ତି ସେମାନେ କାଦୁଅ ବା ପଙ୍କ ଭିତରେ ଲୁଚି ଯାଇଥାନ୍ତି । ଯିଏ ପ୍ରକୃତ ମାଛ ଧରାଳି ସେ ପଙ୍କ ଚିପି ଚିପି ସେମାନଙ୍କୁ ଧରିବାରେ ସଫଳ ହୋଇଥାଏ । ଆଉ ବାଳିଆ ମାଛ କଥା ତ’ କାହାକୁ ଅଛପା ନାହିଁ । ଯିଏ ଛୋଟ ଛୋଟ ମାଛ ତଥା ପୋଖରୀରେ ଯାଆଁଳ ଗୁଡାକୁ ଖାଇଯାଇଥାଏ । ସେଥିଲାଗି ପୋଖରୀରେ ଯଦି ବାଳିଆ ଥାଏ ତେବେ ମାଛଚାଷୀ ପ୍ରର୍ଥମେ ବାଳିଆକୁ ବାହାର କରିଥାନ୍ତି, ତା’ପରେ ପୋଖରୀରେ ଯାଆଁଳ ଛାଡ଼ିଥାନ୍ତି । ଆଉ ରୋହି, ଭାକୁର, ମିରିକାଳୀ ଏମାନେ ଟିକେ ଗଭୀର ଜଳରେ ବସବାସ କରିଥାଆନ୍ତି । କେହି କେହି ପୋଖରୀ ରୁ ପାଣି ଶୁଖେଇ ଏମାନଙ୍କୁ ଧରିଥାଆନ୍ତି ତ’ କେହି କେହି ଜାଲ ମାଧ୍ୟମରେ ଧରିଥାଆନ୍ତି କିନ୍ତୁ କେରାଣ୍ଡି ମାଛ ଭଳିଆ ଯିଏ ଫଡ ଫଡ ହେଲା ତାକୁ ଧରିବା ସହଜ ହୋଇଥାଏ ।

ଏହି ପରିପ୍ରେକ୍ଷୀରେ ଏକ ପରିସ୍ଥିତି, ଛୋଟ କେରାଣ୍ଡି ମାଛଟି ପହଁରି ପହଁରି ମାଛମାନଙ୍କୁ ଖବର ଦେଲା । ଆଜି ଏକ ଜରୁରୀ ସଭାର ଆୟୋଜନ କରାଯାଇଛି, କିଛି ଗୁରୁତ୍ୱପୂର୍ଣ ଆଲୋଚନା ହେବ ତେଣୁ ଯୋଗଦେବାକୁ ଅନୁରୋଧ । ରୋହି ପଚାରିଲା କିରେ କେରାଣ୍ଡି, ଏମିତି କି ଆଲୋଚନା କରିବୁ କି ? ସାଧାରଣତଃ ମାନ୍ୟଗଣ୍ୟ ଓ ଜ୍ଞାନୀଗୁଣିମାନେ କିଛି ବିଚାର ବିମର୍ଶ କରିବା ପାଇଁ ସଭା ଆୟୋଜନ କରିଥାନ୍ତି ଓ ତଳତଳିଆଙ୍କୁ କହିଥାନ୍ତି ସମସ୍ତଙ୍କୁ ଡାକିବା ପାଇଁ । ଏ ସଭା କରିବା ପାଇଁ ତୋତେ କିଏ କହିଛି ନା ତୁ ମନକୁ କହି ଚାଲିଛୁ ? କେରାଣ୍ଡି କହିଲା ଏତେ ପ୍ରଜାତିର ମାଛଙ୍କୁ ସଭାରେ ଯୋଗଦେବାକୁ ଡାକି ଆସିଲି କାହାର କିଛି ପ୍ରତିବାଦ ନାହିଁ । ତୁମେ ଏମିତି କିଏ କି ଏତେ ପ୍ରଶ୍ନ ପଚାରୁଛ ? ରୋହି କହିଲା ତୁ ଜାଣିନୁ ମୁଁ କିଏ ? “ଅଗାଧ ଜଳ ସଂଚାରି ରୋହିତ ନୈବ ଗର୍ବିତମ୍, ଗଣ୍ଡୁଷ ଜଳ ମାତ୍ରେଣ ସର୍ଫରି ଫର୍ଫରାୟତେ “। ଆଞ୍ଜୁଳାଏ ପାଣିରେ ତୁ ଫଡ ଫଡ ହୋଇଥାଉ କିନ୍ତୁ ମୁଁ ଅଗାଧ ଜଳରେ ରହି ମଧ୍ୟ ଗର୍ବ ପ୍ରଦର୍ଶନ କରେନି । ଅଳ୍ପ ବିଦ୍ୟା ଭୟଙ୍କରୀ, ତୁ ବେଶି ଦେଖେଇ ହେବା ପ୍ରକୃତିର । ତା’ପରେ ତୁ ଗୋଟେ ଅତି ଛୋଟ କେରାଣ୍ଡି ତୋ କଥାକୁ କେହି ଗୁରୁତ୍ୱ ଦେବେନି । କେରାଣ୍ଡି ହସି ହସି କହିଲା ରୋହି ମହାଶୟ ଛୋଟ ବଡ କଥା କଣ କହୁଛନ୍ତି । ଜାଣି ରଖିବା ଉଚିତ ଯେ ଛୋଟ ସାପର ବେଶି ବିଷ । ମୋର ଆକାର କ’ଣ ଦେଖୁଛନ୍ତି? କାମ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ତମେ ଗଭୀର ଜଳରେ ରହୁଛ ତେଣୁ ବାହ୍ୟ ଦୁନିଆ ବିଷୟରେ କିଛି ଜାଣିପାରୁନା । ଆମେ ଫଡ ଫଡ ହେଲେ ମଧ୍ୟ ଆମ ପାଖରେ ଦୁନିଆର ସବୁ ଖବର ଅଛି । ରୋହି କହିଲା ଛୋଟ ଅବସ୍ଥାରେ ପାଣିର ଉପରି ସ୍ତରରେ ବାଡେଇ ହେବା ତୁମ୍ଭ ମାନଙ୍କର ଅଭ୍ୟାସ, ଯାହାପାଇଁ ତୁମର ଉପସ୍ଥିତକୁ ଜାଣିପାରି ଲୋକେ ଜାଲ ପକେଇ ତୁମକୁ ଧରି ନେଇଯାନ୍ତି ।
କେରାଣ୍ଡିର ନିମନ୍ତ୍ରଣ ରକ୍ଷା କରି ଅନେକ ପ୍ରଜାତିର ମାଛ ପାଣିର ଏକ ସ୍ଥାନରେ ମିଳିତ ହେଲେ । ସଭା ଚାଲିଥିଲା ବେଳେ ମହୁରାଳୀ ମାଛ ଚିତ୍କାର କରି କହିଲା ଏବେ ଏବେ କେହି ଜଣେ ଲୋକ ଜାଲ ପକାଇ କେରାଣ୍ଡିକୁ ଧରି ନେଇଗଲା ।
 ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା
ମୋ : ୯୯୩୮୦୬୦୮୮୬

Leave A Reply

Your email address will not be published.