ଖୋର୍ଦ୍ଧା : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଠାକୁର ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ କାଳୀ କିଙ୍କର ପଟ୍ଟନାୟକ ଯୋଗଦେଇ ଶ୍ରୀରାମକୃଷ୍ଣ ପରମହଂସଙ୍କ ଆଧ୍ୟାତ୍ମିକ ସାଧନା ଓ ଶିକ୍ଷା ଜଗତରେ ଏକ ନବଯୁଗର ଆନୟନ କରିଛି ଯାହାର ପ୍ରଭାବରେ ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟରେ ଭାରତର ବେଦ ବେଦାନ୍ତ ପ୍ରଚାର କରି ବିଶ୍ୱ ବିଜୟୀ ହୋଇଥିଲେ। ମୁଖ୍ୟ ପ୍ରବକ୍ତା ଭାବରେ ଆଶ୍ରମର ସଂସ୍ଥାପକ ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜ ଶ୍ରୀରାମକୃଷ୍ଣ କଳ୍ପତରୁ ପ୍ରସଙ୍ଗ ଅବତାରଣା କରି କହିଲେ ଯେ, ଠାକୁରଙ୍କ ଦେହତ୍ୟାଗର ଅଳ୍ପ ଦିନ ପୂର୍ବରୁ ୧୮୮୬ ମସିହା ଜାନୁଆରୀ ପହିଲା ଦିନ ଭକ୍ତ ତଥା ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିବ୍ୟସ୍ପର୍ଶ ପ୍ରଦାନ କରି “ସମସ୍ତଙ୍କର ଚୈତନ୍ୟ ହେଉ” ବୋଲି ଆଶୀର୍ବାଦ କରିଥିଲେ। ଗଳା କର୍କଟ ରୋଗ ଗୁରୁତର ହେବାରୁ ଭକ୍ତମାନେ କଲିକତା ସନ୍ନିକଟ କାଶୀପୁର ଉଦ୍ୟାନ ଗୃହରେ ଉତ୍ତମ ବାୟୁ ସେବନ ଓ ଚିକିତ୍ସା ନିମନ୍ତେ ରଖିଥିଲେ। କଳ୍ପତରୁ ଦିନ ପୂର୍ବରୁ ସେ ସ୍ୱାମୀ ବିବେକାନନ୍ଦ (ସେତେବେଳର ନରେନ୍ଦ୍ରନାଥ)ଙ୍କୁ ତୀକ୍ଷ୍ଣ ତଥା କୋମଳ ଦୃଷ୍ଟିରେ ଚାହିଁ କହିଲେ, “ମୁଁ ଆଜି ତୋତେ ସର୍ବସ୍ୱ ଦେଇ ଫକୀର ହେଲି। ତୁ ଏଇ ଶକ୍ତିରେ ଜଗତ ଉପରେ ଫାଟି ପଡ଼ିବୁ।” ଠାକୁର ନିଜର ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରିଥିବାରୁ ବିବେକାନନ୍ଦ ବିଶ୍ଵବିଜୟୀ ହେଲେ, ଭାରତର ସନାତନ ହିନ୍ଦୁ ଧର୍ମକୁ ପ୍ରଚାର କରି। ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ପ୍ରସନ୍ନ କୁମାର ରଥ, ହରିହର ଦାଶ, ଉପେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗଦେଇ ଇଂରାଜୀ ନୂଆବର୍ଷରେ ସେବା ଓ ତ୍ୟାଗକୁ ସଂକଳ୍ପ ରୂପେ ଗ୍ରହଣକରି ରାମକୃଷ୍ଣ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପ୍ରବର୍ତ୍ତାଇ ଥିଲେ। ବରିଷ୍ଠ ସଦସ୍ୟ ଭକ୍ତବଲ୍ଲଭ ପଟ୍ଟନାୟକ ପ୍ରାରମ୍ଭରେ ବେଦପାଠ କରିଥିଲେ। ଉପସଭାପତି ରାଜକିଶୋର ଛୁଆଳସିଂହ ପ୍ରାରମ୍ଭିକ ଭକ୍ତିସଂଗୀତ ଗାନ କରଥିଲେ। ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ନଟବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସହସମ୍ପାଦକ ଅଧ୍ୟାପକ ସର୍ବେଶ୍ୱର ସାହୁ, ବରିଷ୍ଠ ସଦସ୍ୟ ମନୋଜ କୁମାର ଗୁମାନସିଂହ, ସଦସ୍ୟା ଇନ୍ଦୁମତୀ ଦେଈ, ଶ୍ୟାମାକାନ୍ତ ପଟ୍ଟନାୟକ, ବାବାଜୀ ବେହେରା, ନାରାୟଣ ସାହୁ ପ୍ରମୁଖ ଉତ୍ସବକୁ ସଂଯୋଜନା କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼।
Comments are closed.