କଳିଯୁଗେ ନାମ ରୂପେ କୃଷ୍ଣ ଅବତାର

ଅର୍ଜୁନୀ ଚରଣ ବେହେରା

କଳି ଯୁଗରେ କୃଷ୍ଣକଳା ଧରି ଅବତାର ଲଭିଥିବା ନାମାଚାର୍ଯ୍ୟ ମହାପ୍ରଭୁ ଶ୍ରୀଚୈତନ୍ୟ,ଏ ଜାଗତିକ ଦୃଷ୍ଟିରେ ସମଗ୍ରବିଶ୍ୱରେ ଏକ ବିସ୍ମୟକର ବ୍ୟକ୍ତିତ୍ୱl ଭାଗବତ ମହାପୁରାଣ କହେ କଳି ଯୁଗରେ ନାମ ସଂକୀର୍ତ୍ତନ ହିଁ ଯୁଗଧର୍ମ l ଶ୍ରୀ ଚୈତନ୍ୟ ମହାପ୍ରଭୁ ସେହି ନାମ ମହିମା କଥା କହିଛନ୍ତି, ” ନାମ ବିନୁ କଲି କାଲେ ନାହିଁ ଆର ଧର୍ମ”l ଶ୍ରୀଚୈତନ୍ୟ ତାଙ୍କ ଜୀବନ କାଳ ଭିତରେ ଏ ନାମ ସଙ୍କୀର୍ତ୍ତନ ରୂପୀ ପବିତ୍ର ଜାହ୍ନବୀର ପ୍ଲାବନ ସୃଷ୍ଟିକରିଥିଲେ ଆମର ଏହି ଭାରତଭୁଖଣ୍ଡରେ l ଏକାଧାରାରେ ଚୈତନ୍ୟ ଥିଲେ ଧର୍ମ ସଂସ୍କାରକ,ଭକ୍ତିମାର୍ଗ ଓ ଭକ୍ତି ଧାରାର ବିଶିଷ୍ଟ ଆଚାର୍ଯ୍ୟ, ତଥା ସନାତନ ଧର୍ମର ମହାନ୍ ପ୍ରବକ୍ତା l ତାଙ୍କର ଜନ୍ମ,ବାଲ୍ୟ, ପୋୖଗଣ୍ଡ,ଯୌବନ ସବୁଥିରେ ପୁରି ରହିଛି ବହୁ ଅଲୌକିକତା l ସେ କେଶବ ଭାରତୀ,ସାର୍ବ ଭୌମ ଭଟ୍ଟାଚାର୍ଯ୍ୟ ଏବଂ ପ୍ରକାଶାନନ୍ଦ ଆଦି ବଡ଼ ବଡ଼ ପଣ୍ଡିତଗଣଙ୍କୁ ପରାସ୍ତ କରିଥିଲେ ମଧ୍ୟ କାହାରି ମନରେ ଦୁଃଖ ଦେଇ ନ ଥିଲେ l ସେ ବିନୟପୂର୍ଣ୍ଣ ବ୍ୟବହାରରେ ସମସ୍ତଙ୍କ ମନ ଜିଣି ନେଉଥିଲେ l ସେ ଥିଲେ ପରମପ୍ରେମ ଅବତାର l ତାଙ୍କର ପ୍ରେମ ମନୁଷ୍ୟ ପାଇଁ ସୀମିତ ନରହି ପଶୁ ପକ୍ଷୀ,ସ୍ଥାବର ଜଙ୍ଗମ ସମସ୍ତଙ୍କ ଯାଏ ପରିବ୍ୟାପ୍ତ ଥିଲା l ପୁରୁଷୋତ୍ତମରୁ ବୃନ୍ଦାବନ ଯିବା ବେଳେ ସେ ଝାରଖଣ୍ଡର ବନପଥରେ ବାଘ,ଭାଲୁ, ମୟୁର ସର୍ପ ଆଦି ପଶୁପକ୍ଷୀଙ୍କ ସହ ବୃକ୍ଷଲତାଙ୍କୁ କୃଷ୍ଣ ପ୍ରେମରେ ନଚାଇ ଥିଲେ l ସେ ଭାଗବତର ଆପ୍ତ ବାକ୍ୟ ” କାଷ୍ଠ,ପାଷାଣ,ତରୁ, ତୃଣ l ସକଳ ଘଟେ ନାରାୟଣ ” ନ୍ୟାୟରେ ସବୁ ବସ୍ତୁ ଓ ପ୍ରାଣୀ ମଧ୍ୟରେ ଈଶ୍ୱର ସତ୍ତା ବିଦ୍ୟମାନ ଅଛନ୍ତି ବୋଲି ଅନୁଭବ କରୁ ଥିଲେ l କେତେକ ସ୍ଥାନରେ ତାଙ୍କ ପ୍ରେମମୟ ପାଦ ସ୍ପର୍ଶ ପାଇ ପାଷାଣ ମଧ୍ୟ ତରଳି ଯାଇଥିଲା l ତାଙ୍କ ପ୍ରେମସ୍ପର୍ଶରେ ସେ ନବଦ୍ୱୀପର ଅତ୍ୟାଚାରୀ ଶାସକ ଚାନ୍ଦକାଜୀଙ୍କର ଏବଂ ବଙ୍ଗ ନବାବ ହୁସେନ ଶାହାଙ୍କ ହୃଦୟ ପରିବର୍ତ୍ତନ କରି ପାରିଥିଲେ l ଦସ୍ୟୁ ଜଗାଇ ମାଧାଇ ଦୁଇଭାଇଙ୍କୁ ସେ ହରି ଭକ୍ତରେ ରୂପାନ୍ତରିତ କରିପାରି ଥିଲେ l ପତିତ,ଧନୀ,ଦରିଦ୍ର,ଶିକ୍ଷିତ,ଅଶିକ୍ଷିତ,ଜାତିବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସେ ଶ୍ରୀହରି ନାମ ସଂକୀର୍ତ୍ତନ ବେଦିରେ ଏକତ୍ର କରାଇଥିଲେ l ସେ ଏକଥା ପ୍ରମାଣ କରି ଦେଇଥିଲେ ଯେ,ବୈଷ୍ଣବର ଗୋଟିଏ ମାତ୍ର ପରିଚୟ ବୈଷ୍ଣବ ଯେଉଁଥି ପାଇଁ କୁହାଯାଏ :-
ବାର ଜାତି ତେର ଗୋଲା l
ବୈଷ୍ଣବ ହେଲେ ସବୁ ଗଲା ll
ଆଦ୍ୟ ଯୌବନରେ ଶ୍ରୀଚୈତନ୍ୟ ସଦଗୁରୁ ଗ୍ରହଣ କରି ସନ୍ନ୍ୟାସ ଧର୍ମ ଗ୍ରହଣ କରି ଶ୍ରୀକ୍ଷେତ୍ରକୁ ଆସି ଏକାଦି କ୍ରମେ ଦ୍ୱାଦଶ ବର୍ଷ ଅବସ୍ଥାନ କରିଥିଲେ l ଶ୍ରୀକ୍ଷେତ୍ରରୁ ସେ ଛଅବର୍ଷପାଇଁ ଭାରତ ଭ୍ରମଣରେ ବହିର୍ଗତ ହୋଇଥିଲେ l ଶ୍ରୀକୃଷ୍ଣଙ୍କ ପ୍ରେମରେ ସେ ଏତେ ବିହ୍ଵଳିତ ହୋଇ ଯାଇଥିଲେ ଯେ ତାଙ୍କର ଶେଷ ଜୀବନରେ ବାହ୍ୟ ଜ୍ଞାନ ରହୁ ନଥିଲା l
ଶ୍ରୀଚୈତନ୍ୟ ମହାପ୍ରଭୁ ପଶ୍ଚିମବଙ୍ଗର ନବଦ୍ୱୀପର ମାୟାପୁର ଠାରେ 1486 ଖ୍ରୀଷ୍ଟାବ୍ଦ ଦୋଳପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ ସମୟରେ ମାତା ସଚିଦେବୀ ଓ ପିତା ଜଗନ୍ନାଥ ମିଶ୍ରଙ୍କ ଔରସରୁ ଭୂମିଷ୍ଠ ହୋଇଥିଲେ l 1533ଖ୍ରୀଷ୍ଟାବ୍ଦରେ ମାତ୍ର 48ବର୍ଷ ବୟସରେ ସେ ପ୍ରେମଭକ୍ତିର ଅତି ଆତିଶଯ୍ୟ ଫଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ଅଙ୍ଗରେ ଲୀନ ହୋଇ ଯାଇ ଥିଲେ l ଚୈତନ୍ୟଙ୍କ ଅନ୍ତର୍ଧ୍ୟାନ ସମ୍ବନ୍ଧରେ ବୈଷ୍ଣବ ଲୀଳାମୃତରେ ବହୁ କିଛି କଥା ଲେଖା ଯାଇଛି l ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦଙ୍କ ଶୂନ୍ୟ ସଂହିତାରେ ଲିପିବଦ୍ଧ ତାଙ୍କର ଅନ୍ତର୍ଧ୍ୟାନ ପ୍ରସଙ୍ଗଟି ଅଧିକ ଯୁକ୍ତି ଯୁକ୍ତ ମନେହୁଏ l ଶ୍ରୀ ଚୈତନ୍ୟଙ୍କ ସମ ସାମୟିକ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଲେଖାନୁଯାୟୀ ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ଠାରେ ଲୀନ ହୋଇ ଯାଇଥିଲେ l ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ସମୟରେ ସେ ରଥ ସମ୍ମୁଖରେ ସାତ ମୂର୍ତ୍ତିରେ ପ୍ରକଟ ହୋଇ କୀର୍ତ୍ତନ କରୁଥିଲେ l ଏହି କୀର୍ତ୍ତନ ମାଧ୍ୟମରେହିଁ ପ୍ରକଟିତ ହେଉଥିଲା ଶ୍ରୀଚୈତନ୍ୟ,ଶ୍ରୀଜଗନ୍ନାଥଙ୍କ ଭିତରେ ଥିବା ମହାଭାବ l ତାଙ୍କର ଏହି ମହାଭାବ ଉଦଣ୍ଡ କୀର୍ତ୍ତନକୁ ସନ୍ଦର୍ଶନ କରି ଭକ୍ତ ଶ୍ରୀକହ୍ନେଇ ଖୁଣ୍ଟିଆ ” ମହାଭାବ ପ୍ରକାଶ ” ନାମରେ ଏକ ଗ୍ରନ୍ଥ ରଚନା କରିଛନ୍ତି l ବହୁ ଭକ୍ତଙ୍କୁ ସେ ଭଗବାନଙ୍କ ବିଭିନ୍ନ ରୂପ ପ୍ରଦର୍ଶନ କରାଇଛନ୍ତି l ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ଦେଖାଇଥିବା ଷଡ଼ଭୁଜ ଗୌରାଙ୍ଗ ମୂର୍ତ୍ତି ଏବେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶୋଭାୟ ମାନ l ଗରୁଡ଼ଙ୍କ ପଶ୍ଚାତ ଭାଗରେ ତାଙ୍କ ପଦଚି଼ହ୍ନ ପୂଜା ପାଉଛି l ତାଙ୍କ ଷଡ଼ଭୁଜ ପ୍ରଦର୍ଶନର ଗାଥା ମାଦଳା ପାଞ୍ଜିରେ ମଧ୍ୟ ଲିପିବଦ୍ଧ ହୋଇଛି l
ପିଲାଦିନେ ଶ୍ରୀଚୈତନ୍ୟଙ୍କର ଅନେକ ନାମ ଥିଲା ଯଥା ନିମାଇଁ, ଗୌରାଙ୍ଗ, ବିଶ୍ଵମ୍ଭର, ଗୌରହରି ଇତ୍ୟାଦି l ସନ୍ୟାସଦୀକ୍ଷା ଗ୍ରହଣ ଉପରାନ୍ତେ ସେ ପରିଚିତ ହୋଇଥିଲେ ଶ୍ରୀକୃଷ୍ଣଚୈତନ୍ୟ ଭାବେ l ବିଶ୍ୱର ସବୁଠୁ ପ୍ରାଚୀନ ବିଷ୍ଣୁ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଶ୍ରୀ ଚୈତନ୍ୟଙ୍କ ଭଗବତ୍ତତା ପ୍ରତିଷ୍ଠିତ ହୋଇଛି l ସ୍ୱୟଂ ଭଗବାନଙ୍କ ଅବତାରଭାବେ ତାଙ୍କର ପୂଜା କରା ଯାଉଛି l ସମଗ୍ର ବିଶ୍ୱରେ ଏବେ ତାଙ୍କ ପୂଜା ହେଉଥିଲା ବେଳେ ବଙ୍ଗଳା ଓ ଓଡ଼ିଶାରେ ନାମ ଯଜ୍ଞରେ ତାଙ୍କର ବିଶେଷ ପୂଜା ହୋଇଥାଏ l ଶ୍ରୀ ଜଗନ୍ନାଥଙ୍କୁ ଅବତାରୀ ଶ୍ରୀକୃଷ୍ଣଙ୍କ ଭାବରେ ପୂଜା ଆରାଧନା, ଜଗନ୍ନାଥ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପ୍ରଚାର ତଥା ଶ୍ରୀଜଗନ୍ନାଥଙ୍କୁ କେଉଁ ପ୍ରକାର ଭକ୍ତି କରାଯାଏ ତାହାର ଶିକ୍ଷା ସ୍ୱୟଂ ଆଚରଣ ଦ୍ୱାରାହିଁ ସେ ଦେଇ ଯାଇଛନ୍ତି l
ଶ୍ରୀ ଜୟାନନ୍ଦ ତାଙ୍କର ଚୈତନ୍ୟମଙ୍ଗଳ କାବ୍ୟରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀଚୈତନ୍ୟଙ୍କ ପୂର୍ବ ସୁରୀ ଯାଜପୁର ନିକଟବର୍ତ୍ତୀ କପିଳେଶ୍ୱର ପୁର ଗ୍ରାମର ବାସିନ୍ଦା ଥିଲେ l ଯାଜପୁରରେ ନିବାସୀ ବୈଦିକ ବତ୍ସାୟନ ଗୋତ୍ରୀୟ ବ୍ରାହ୍ମଣ ଥିଲେ ବିଶୁଦ୍ଧ ମିଶ୍ର l ବିଶୁଦ୍ଧଙ୍କ ପୁତ୍ର ମଧୁକରମିଶ୍ର 1451ରେ ରାଜାଙ୍କ ସହ ମତଭେଦ ହେତୁ ଓ ସଂସ୍କୃତ ଅଧ୍ୟୟନ ପାଇଁ ବଙ୍ଗଳାର ଶ୍ରୀହଟ୍ଟ (ଏବେ ବଙ୍ଗଳାଦେଶ ) ଚାଲି ଯାଇ ଥିଲେ l ତାଙ୍କର ଉପେନ୍ଦ୍ର,ରଙ୍ଗଦ,କୀର୍ତ୍ତିଦା, କୃତିବାସ ନାମରେ ଚାରି ପୁତ୍ର ହେଲେ l ଉପେନ୍ଦ୍ର ମିଶ୍ରଙ୍କଠାରୁ ସାତ ପୁତ୍ର ହେଲେ ଯଥା କଂସାରୀ, ପରମାନନ୍ଦମିଶ୍ର,ପଦ୍ମନାଭ,ସର୍ବେଶ୍ୱର, ଜଗନ୍ନାଥ, ଜନାର୍ଦ୍ଦନ ଓ ତ୍ରୈଲୋକ୍ୟନାଥ l ଜଗନ୍ନାଥ ମିଶ୍ରଙ୍କ ସଂସ୍କୃତରେ ଅଗାଧପାଣ୍ଡିତ୍ୟ ଥିଲା l ସେ ପୁରନ୍ଦର ଉପାଧି ପାଇ ସଂସ୍କୃତ ଚର୍ଚ୍ଚା ନିମନ୍ତେ ନବଦ୍ୱୀପର ମାୟାପୁରରେ ଯାଇ 1466 ଖ୍ରୀଷ୍ଟାବ୍ଦରେ ବସତି କଲେ l ସେ ବିବାହ କରିଥିଲେ ନଦୀଆର ବେଲ ପୋଖରୀ ନିବାସୀ ପ୍ରବାସୀଓଡ଼ିଆ ଶ୍ରୀନୀଳାମ୍ବର ଚକ୍ରବର୍ତ୍ତୀଙ୍କ ସୁକନ୍ୟା ସଚି ଦେବୀଙ୍କୁ l ନୀଳାମ୍ବର ଚକ୍ରବର୍ତ୍ତୀ ପ୍ରବାସୀ ଓଡ଼ିଆ ବୋଲି କେହି କେହି ଗ୍ରହଣ କରି ନଥାନ୍ତି l କିନ୍ତୁ ଚକ୍ରବର୍ତ୍ତୀ ବ୍ରାହ୍ମଣ ମଧ୍ୟ ଓଡ଼ିଶାରେ ଥିଲେ ଏକଥା ପ୍ରମାଣିତ ହୁଏ ଏକାମ୍ର କ୍ଷେତ୍ର ଅନନ୍ତ ବାସୁଦେବଙ୍କ ମନ୍ଦିରରେ ଉତ୍କୀର୍ଣ୍ଣ ଏକ ଶିଳାଲିପିରୁ l ଶ୍ରୀଚୈତନ୍ୟଙ୍କ ବଂଶଧର ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର ମଧ୍ୟ ଏହା ତାଙ୍କ ଗ୍ରନ୍ଥ ଶ୍ରୀଚୈତନ୍ୟ ଉଦୟାଵଳିରେ ପ୍ରଦାନ କରିଛନ୍ତି l ଶ୍ରୀ ଚୈତନ୍ୟ ଭାଗବତର ଅନ୍ତ୍ୟଖଣ୍ଡ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଯେ ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରକୁ ଆଗମନ କାଳରେ ଯାଜପୁରରେ ନିଜ ସଙ୍ଗୀ ଭକ୍ତ ମାନଙ୍କୁ ଛାଡ଼ି କୁଆଡ଼େ ଅନ୍ତର୍ଧ୍ୟାନହୋଇ ଯାଇଥିଲେ l ସେ ପରଦିନ ସକାଳୁ ଆସିଲେ l ଏହି ସମୟରେ ସେ ତାଙ୍କ ନିଜ ପିତୃ ପୁରୁଷଙ୍କ ସ୍ଥାନକୁ ଯାଇ ଏକାକୀ ଭ୍ରମଣ କରିଥିଲେ l
ଅନୁସନ୍ଧାନରୁ ଏହା ଜଣା ପଡ଼େ, ଶ୍ରୀଚୈତନ୍ୟଙ୍କ ମୁଖ୍ୟ ପାର୍ଷଦ ଶ୍ରୀ ଅଦ୍ୱୈତାଚାର୍ଯ୍ୟଙ୍କ ଘର ପୁରୀ ଠାରେ ଥିଲା ଯାହା ଏବେକା କୋଠଭୋଗ ମଠ ନାମରେ ପ୍ରସିଦ୍ଧ l ସେହିପରି ପାର୍ଷଦ ଗଦାଧରଙ୍କ ପିତୃପୁରୁଷମାନେ ପୁରୀର ତୋଟା ଗୋପୀନାଥର ବାସିନ୍ଦା ଥିଲେ l ପୁଣି ଓଡ଼ିଶାରୁ ଶିବାନନ୍ଦ ସେଣ ବାଣିଜ୍ୟ ନିମନ୍ତେ ବଙ୍ଗଳା ଯାଇ ସେଠାରେ ସେନ ହୋଇ ଯାଇଥିଲେ l ସେ ପ୍ରତିବର୍ଷ ବଙ୍ଗୀୟ ଭକ୍ତ ମାନଙ୍କୁ ଧରି ରଥ ଯାତ୍ରାକୁ ପୁରୀ ଆସୁଥିଲେ l
ଭଗବାନଙ୍କ ଅଂଶାବତାର ହୋଇଥିଲେ ମଧ୍ୟ ଶ୍ରୀ ଚୈତନ୍ୟ ନିଜକୁ ସର୍ବଦା ଲୁଚାଇ ରଖୁ ଥିଲେ l ତୃଣ ପରି ନୀଚ୍ଚ,ତରୁ ତୁଲ୍ୟ ସହିଷ୍ଣୁ ହୋଇ ସେ ସମସ୍ତଙ୍କୁ କୃଷ୍ଣ ନାମ ସଂକୀର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିଲେ,ତାଙ୍କୁ କେହି ଭଗବାନ କହିଲେ ସେ ବ୍ୟସ୍ତ ହୋଇ କହୁ ଥିଲେ ଗୋଟିଏ ସାଧାରଣ ଜୀବକୁ ଭଗବାନ କହିବା ଅପରାଧ l
ସେ ଥିଲେ ଅତ୍ୟନ୍ତ ଜଗନ୍ନାଥ ପ୍ରାଣ l ଜଗନ୍ନାଥଙ୍କୁ ସେ ପ୍ରତ୍ୟହ ମଣିମା ମଣିମା ଡାକିବା ସହିତ ଜଗ ମୋହନରେ ଭଜନ ଶ୍ରବଣ ଏବଂ ଗୀତ ଗୋବିନ୍ଦ ଶ୍ରବଣକୁ ଦିନେ ହେଲେ ଛାଡୁ ନଥିଲେ l ଚୈତନ୍ୟ ମହାପ୍ରଭୁ ମହାପ୍ରସାଦକୁ ଅନ୍ନ ବ୍ରହ୍ମ ଭାବରେ ବହୁ ସମ୍ମାନ କରୁଥିଲେ,ଶ୍ରୀମନ୍ଦିରରେ ପାଣିଶଙ୍ଖ ଧ୍ୱନୀ ବାଜିଲେ ସେ ଭୋରରୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ ଓ ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ଏବଂ ଉଦଣ୍ଡ କୀର୍ତ୍ତନ କରୁଥିଲେ l ସେ ରାଜଗୁରୁ କାଶୀ ମିଶ୍ରଙ୍କ ଗମ୍ଭୀରାଠାରେ,ବର୍ତ୍ତମାନ ରାଧାକାନ୍ତ ମଠ ସେହି ଠାରେ ରହୁଥିଲେ l ତାଙ୍କର ପାଦୁକ,କନ୍ଥା, କମଣ୍ଡଳୁ ଏବେ ସେଠାରେ ପୂଜାହେଉଛି l ଉତ୍କଳ ପ୍ରଦେଶର ପଞ୍ଚସଖା ଗଣ ଥିଲେ ତାଙ୍କ ପାର୍ଷଦ l ପଞ୍ଚ ସଖା ମାନଙ୍କ ସାହିତ୍ୟରେ ତାଙ୍କ ସମ୍ବନ୍ଧରେ ବହୁ ବର୍ଣ୍ଣନାଥିବାର ଦେଖାଯାଏ l ରାଗାନୁଗା ଭକ୍ତି ମାର୍ଗର ଅନୁଗାମୀ ରାୟ ରାମାନନ୍ଦ,ଶିଖି ମହାନ୍ତି, ତାଙ୍କ ଭଉଣୀ ମାଧବୀ ଦାସୀ, ଗଜପତି ପ୍ରତାପ ରୁଦ୍ର ଦେବ, କହ୍ନେଇ ଖୁଣ୍ଟିଆ ଆଦି ତାଙ୍କର ଅତି ପ୍ରୀୟ ଥିଲେ l
ବଙ୍ଗପ୍ରଦେଶ ଅପେକ୍ଷା ଆମ ଓଡିଶାରେ ଅଧିକ ଏବଂ ପ୍ରାଚୀନ ଶ୍ରୀଚୈତନ୍ୟ ମନ୍ଦିରମାନ ରହିଛି l ତିରିଶ ହଜାରରୁ ଉର୍ଦ୍ଧ୍ୱ ଶ୍ରୀଚୈତନ୍ୟ ଭଜନ ଆମ ଭାଷାରେ ଲେଖାଯାଇଛି l ଆମ ରାଜ୍ୟରେ ଏପରି ଗ୍ରାମ ନାହିଁ ଯେଉଁଠି ଜଗନ୍ନାଥ ଦାସଙ୍କ ଭାଗବତ ଗାଦି ଏବଂ ଶ୍ରୀ ଚୈତନ୍ୟଙ୍କ ଖୋଳ,କରତାଳ ଓ ସଙ୍କୀର୍ତ୍ତନଗୋଷ୍ଠୀ ନାହାଁନ୍ତି l ତାଙ୍କ ପ୍ରବର୍ତ୍ତିତ ନାମ ଯଜ୍ଞ ବା କୀର୍ତ୍ତନ ଗ୍ରାମ ଠାରୁ ସହର ସବୁ ଆଡ଼େ ଅନୁଷ୍ଠିତହେଉଛି l କେତେକ କହନ୍ତି ଚୈତନ୍ୟଙ୍କ ଭକ୍ତି ମାର୍ଗ ଅନୁସରଣ କରି ଏ ବୀର ଜାତି ଉତ୍କଳ ତାହାର ଗୌରବ ହରାଇ ବସି ଥିଲା l କିନ୍ତୁ ଏହା ଗ୍ରହଣୀୟ ହୋଇନାହିଁ l ଅଧିକନ୍ତୁ ଶ୍ରୀଚୈତନ୍ୟଙ୍କ ଆଗମନରେ ଓଡ଼ିଶାର କଳା,ସଂସ୍କୃତି ଓ ସାହିତ୍ୟ ଅଧିକ ରୁଦ୍ଧିମନ୍ତ ହୋଇଛି l ତାହାଙ୍କ ବୈଷ୍ଣବୀୟ ଚିନ୍ତାଧାରାର ପ୍ରଭାବରେ ଓଡ଼ିଶାରେ କେତେ ଯେ ଭକ୍ତି ସାହିତ୍ୟ ସୃଷ୍ଟି ହୋଇଛି ତା’ର କିଛି ଇୟତ୍ତା ନାହିଁ l ଏହି ସାହିତ୍ୟ ସବୁ ଉତ୍କୃଷ୍ଟ ସାହିତ୍ୟ ପଦ ବାଚ୍ୟ ଓ ଉତ୍କଳ ବାଣୀଭଣ୍ଡାରର ଅମୁଲ୍ୟସମ୍ପଦ l ଏହାର ଶ୍ରେଷ୍ଠ ନିଦର୍ଶନ ହେଉଛି ବିଦଗ୍ଧ କବି ଶ୍ରୀ ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍ଧ ଚିନ୍ତାମଣି l
କେନ୍ଦ୍ରାପଡ଼ା ଛୋଟି ଗ୍ରାମରେ ଜନ୍ମିତ ଶ୍ରୀ କେଦାର ନାଥ ଦତ୍ତ ଭକ୍ତିବିନୋଦ ଠାକୁର ଥିଲେ ଆଇନର ସ୍ନାତକ ଓ କଟକ ଭକ୍ତମଧୁ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ l ଏହାଙ୍କର ପୁଅ ହେଉଛନ୍ତି ପୁରୀ ଠାରେ ଜନ୍ମିତ ଶ୍ରୀଭକ୍ତିସିଦ୍ଧାନ୍ତ ସରସ୍ବତୀ ଠାକୁରl ଏହାଙ୍କର ଶିଷ୍ୟ ହେଲେ ISKCON ପ୍ରତିଷ୍ଠାତା ଶ୍ରୀ ଏ.ସି.ଭକ୍ତି ବେଦାନ୍ତ ଠାକୁର l ଅଧୁନା ସାରା ବିଶ୍ୱରେ ଶ୍ରୀ ଚୈତନ୍ୟ କଥାମୃତ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଇବାରେ ସକ୍ଷମ ହୋଇଛନ୍ତି ସେ,ଏହା ଆମପାଇଁ କମ ଗୌରବର କଥା ନୁହେଁ l
ମାତା ସଚିଦେବୀ ଶ୍ରୀ ଚୈତନ୍ୟଙ୍କୁ କହିଥିଲେ ପୁଅରେ ନବଦ୍ୱୀପ ଓ ନୀଳାଚଳ ତୁମର ଦୁଇଟି ଘର l ତୁ ବୃନ୍ଦାବନ ନ ଯାଇ ପୁରୀରେ ହିଁ ରହ l ମାଆଙ୍କ କଥା ଅନୁଯାୟୀ ସେ ଓଡିଶାକୁ ଅନ୍ତରର ସହ ଭଲପାଇ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ପୁରୀ ଠାରେ ରହିଥିଲେ ଓ ସର୍ବ ଶେଷରେ ଏହି ଠାରେ ହିଁ ଇହ ଲୀଳା ସମାପ୍ତ କରିଥିଲେ l ସେ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପର୍ଯ୍ୟନ୍ତ କହୁଥିଲେ :-
କଲିକାଲେ ନାମ ରୂପେ କୃଷ୍ଣ ଅବତାର l
ନାମ ହୈତେ ହୟ ସବ ଜଗତ ନିସ୍ତାର ll
ସେ ଜଗନ୍ନାଥଙ୍କୁ ଦର୍ଶନ କରି ଅତ୍ୟନ୍ତ ଭାବାବିଷ୍ଟ ହୋଇ ପଡୁଥିଲେ l ପ୍ରେମାତିଶଯ୍ୟରେ ସେ ବାର ବାର ମୂର୍ଛିତ ହୋଇ ପଡୁଥିଲେ l
କ୍ରୁଦ୍ଧହୟା ଏକା ଗେଲ ଜଗନ୍ନାଥ ଦେଖିତେ l
ଦେଖିଆ ମୂର୍ଛିତ ହୟା ପଡ଼ିଲ ଭୂମିତେ ll
ଶ୍ରୀ ଚୈତନ୍ୟ ଶ୍ରୀକ୍ଷେତ୍ର ଆଗମନ କାଳରେ ଗୁରୁ ଈଶ୍ୱର ପୁରୀଙ୍କ ଠାରୁ ଆଦିଷ୍ଟ ହୋଇ ରେମୁଣାରେ କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହୋଇଥିଲେ,କିଶୋରୀମୋହନ କାବ୍ୟରତ୍ନ ବିରଚିତ ଶ୍ରୀକ୍ଷୀରଚୋରା ଗୋପୀନାଥ ପୁସ୍ତକରେ ଉଲ୍ଲେଖ ଅଛି :-
ଏଇମତ ମହାପ୍ରଭୁ ଚଲିଲା ନୀଳାଚଲେ l
ଚାରିଭକ୍ତ ସଙ୍ଗେ କୃଷ୍ଣ କୀର୍ତ୍ତନ କୁତୂହଲେ ll
ପଥେ ବଡ଼ ବଡ଼ ଦାନୀ ବିଘ୍ନ ନାଇଁ କରେ l
ତା ସବାରେ କୃପାକରି ଅଇଲା ରେମୁଣାରେ ll
ରେମୁଣା ତେ ଗୋପୀନାଥ ପରମ ମୋହନ l
ଭକ୍ତି କରି କୈଲ ପ୍ରଭୁ ତାର ଦରଶନ ll
ମହାପ୍ରସାଦ କ୍ଷୀରଲୋଭେ ରଇଲା ପ୍ରଭୁ ତଥା l
ପୂର୍ବେ ଈଶ୍ୱରପୁରୀ ତାରେ କହିଆଛେନ କଥା ll
ସେ ଗୋପୀନାଥଙ୍କୁ ଦର୍ଶନ କରି ନିକଟ ମରେଈ ଗାଆଁରେ ରହୁଥିବା ଶ୍ରୀମଦ ଭାଗବତ ପୁରାଣର ଟୀକା କାର ତଥା ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ଶ୍ରୀଶ୍ରୀଧର ସ୍ୱାମୀଙ୍କୁ ଭେଟିଥିଲେ l ସେ ଭାଗବତ ଟୀକା ଶ୍ରବଣ କରି ଶ୍ରୀଧର ସ୍ବାମୀଙ୍କ ପ୍ରତିଭାରେ ମୋହିତ ହୋଇ ତାଙ୍କୁ ଗୁରୁ ବୋଲି ମାନି ଥିଲେ l ଏଣୁ ସେ କହିଛନ୍ତି :-
“ଶ୍ରୀଧର ସ୍ବାମୀ ପ୍ରସାଦେ ଭାଗବତ ଜାନି l
ଜଗତ୍ଗୁରୁ ଶ୍ରୀଧର ସ୍ବାମୀ ଗୁରୁ କରି ମାନି ll
ଶ୍ରୀକ୍ଷେତ୍ରରେ ସେ ପ୍ରତିଦିନ ପୁରାଣ ଶୁଣୁଥିଲେ ଏବଂ ଶ୍ରୀ ଜଗନ୍ନାଥ ଦାସଙ୍କ ଭାଗବତ ବ୍ୟାଖ୍ୟା ଶ୍ରବଣ କରୁଥିଲେ l ଦିନେ ଆଲୋଚନା ଭିତରେ ଜଗନ୍ନାଥ ଦାସ ତାଙ୍କର ଓ ନିଜ ପୂର୍ବଜନ୍ମ ବୃତ୍ତାନ୍ତ ତାଙ୍କୁ ଶୁଣାଇ ଦେବାରୁ, ତାଙ୍କୁ କୋଳାଗ୍ରତ କରି ଅତିବଡ଼ିବୋଲି କହି ସେ ତାଙ୍କ ଶିରରେ ଶିରିପା ବାନ୍ଧିଦେଇ ଥିଲେ l ସେବେଠାରୁ ଜଗନ୍ନାଥ ଦାସ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ନାମରେ ପରିଚିତ ହୋଇଛନ୍ତି l ଶ୍ରୀବୈଷ୍ଣବ ଲୀଳାମୃତରେ ଏହାର ବର୍ଣ୍ଣନା ରହିଛି :-
କାନ୍ଧରୁ ଉତ୍ତରୀ କାଢ଼ିଲା l
ସ୍ବାମୀ ମସ୍ତକେ ବାନ୍ଧି ଦେଲା ll
ବୋଲେ ଏ ଅତି ବଡ଼ ପଣ l
ସ୍ବାମୀ ତୁ ମୋହର ପରାଣ ll
ଶ୍ରୀଚୈତନ୍ୟ ମହାପ୍ରଭୁ 1510 ରେ ଦାକ୍ଷିଣାତ୍ୟ ଭ୍ରମଣରେ ବାହାରିଥିଲେ l ସେ ଯିବା ସମୟରେ ରାଜଗୁରୁ ଶ୍ରୀସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ରାଜ ମହେନ୍ଦ୍ରୀର ପ୍ରଶାସକ ରାୟ ରମାନନ୍ଦଙ୍କୁ ଭେଟିବା ପାଇଁ କହିଥିଲେ l ସେହି ଅନୁସାରେ ଶ୍ରୀଚୈତନ୍ୟ ରମାନନ୍ଦଙ୍କୁ ସାକ୍ଷାତ କରି ତାଙ୍କ ଠାରୁ କୃଷ୍ଣ ତତ୍ତ୍ୱ, ରାଧାତତ୍ତ୍ୱ,ରସତତ୍ତ୍ୱ,ଲୀଳାତତ୍ୱ ଶିକ୍ଷା କରିଥିଲେ l
ସେ ତାଙ୍କ ଜ୍ଞାନରେ ଏତେ ପ୍ରଭାବିତ ହୋଇଯାଇ ଥିଲେ ଯେ ରାୟ ରମାନନ୍ଦ ତାଙ୍କଠାରୁ ମେଲାଣି ମାଗିଲା ବେଳକୁ ସେ ତାଙ୍କୁ ଛାଡ଼ିଆସିବାକୁ ଚାହୁଁ ନଥିଲେ ଏବଂ କହିଥିଲେ :-
ଦଶ ଦିନେର କା କଥା ଯାବତ ଆମ ଜୀବ l
ତାବତ ତୋମାର ସଙ୍ଗ ଛାଡ଼ିତେ ନା ଯିବ ll
ନୀଳାଚଳେ ତୁମି ଆମି ଥାକିବ ଏକ ସଙ୍ଗେ l
ସୁଖେ ଗଡ଼ାଇବ କାଲ କୃଷ୍ଣ କଥା ରଙ୍ଗେ ll
(ଚୈତନ୍ୟ ଚରିତାମୃତ)
ଏହିପରି ଶ୍ରୀଚୈତନ୍ୟ ଆମ ଏ ଭାରତ ଭୂମିରେ ଅମୀୟ କୃଷ୍ଣପ୍ରେମ ରସର ଜାହ୍ନବୀ ବୁହାଇଦେଇ ଯାଇଛନ୍ତି l ଏ ଉତ୍କର୍ଷ କଳାର ଦେଶ ଉତ୍କଳ ଥିଲା ତାଙ୍କର କର୍ମଭୂମି ଓ ଉତ୍କଳର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ତାଙ୍କର ଇଷ୍ଟ l କଳି ଯୁଗର ମାନବକୁ ଏ ଭଵବାରିଧି ପାରି ହେବା ପାଇଁ ସେ କହି ଯାଇଛନ୍ତି :-
ହରି ନାମ ବିନେର ମନ କୃଷ୍ଣ ନାମ ବିନେ l
ବିଫଲେ ମାନୁଷ ଜନ୍ମ ଯାଏ ଦିନେ ଦିନେ ll

ଜୟ ଶ୍ରୀକୃଷ୍ଣ ! ଜୟ ଶ୍ରୀଜଗନ୍ନାଥ !
ଜୟ ଶ୍ରୀ ଚୈତନ୍ୟ !!!
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.