କାଳବୈଶାଖୀ ବର୍ଷା ପବନ ଯୋଗୁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି : ହୋଡିଂ ପଡି ଦୁଇଜଣ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ପବନ ଯୋଗୁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ପବନ ବୋହିବା ଯୋଗୁ ଖଣ୍ଡଗିରି ଥାନା ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ ଏକ ବିଜ୍ଞାପନ ହୋଡିଂ ପଡି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସମେତ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର ଟୁନା ଗୌଡ(୩୭) ଓ ଡୁମଡୁମା ଅଞ୍ଚଳର ସଚ୍ଚିତାନନ୍ଦ ପ୍ରଧାନ(୧୯) ଗୁରୁତର ଜଣକ ହେଲେ ଡୁମୁଡୁମା ଅଞ୍ଚଳର ମୌସୁମୀ ପ୍ରିୟଦର୍ଶିନୀ ନାୟକ। ମୌସୁମୀ ଜଣେ ଅଧ୍ୟାପିକା ବୋଲି ଜଣାପଡିଛି। ଅନ୍ୟ ଜଣେ ଆହତଙ୍କ ପରିଚୟ ଜଣାପଡିନାହିଁ। ହୋଡିଂ ଭାଙ୍ଗିବା ଯୋଗୁ ୪/୫ ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଛି। ହୋଡିଂ ଭୁଷୁଡିବା ବେଳେ ସେଠାରେ ଥିବା ଲୋକ ଭୟଭୀତ ହୋଇ ଏଣେତେଣେ ଦୌଡିଥିଲେ।କେତେକ ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ ସେବା ବ୍ୟାଘାତ ଘଟିଛି। ରାତି ସୁଧା ଉପକଣ୍ଠ ତମାଣ୍ଡୋ, କଳିଙ୍ଗନଗର, ଆଇଗିଣିଆ ଭରତପୁର ଆଦି କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ହୋଇନଥିବା ଜଣାପଡିଛି।
ସ୍ଥାନୀୟ ସୂଚନା ଅନୁସାରେ ବର୍ଷା ସମୟରେ ବାଟରେ ଯାଉଥିବା କିଛି ଲୋକ ଆଇଗିଣିଆ ଛକରେ ଥିବା କିଛି ଦୋକାନ ନିକଟରେ ଠିଆ ହୋଇଥିଲେ। ପ୍ରବଳ ପବନ ଯୋଗୁ ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ ଥିବା ଏକ ବଡ ବିଜ୍ଞାପନ ହୋଡିଂ ଭାଙ୍ଗି ସେଠାରେ ଥିବା ୪/୫ ଦୋକାନ ଉପରେ ପଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ ଟୁନା ଗୌଡଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଦୋକାନ ଗୁଡିକ ଭାଙ୍ଗି ଚୁରମାର ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଖଣ୍ଡଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ମୃତାହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ। ଏହାର କିଛି ସମୟ ପରେ ଭାଙ୍ଗି ପଡିଥିବା ଦୋକାନ ଘର ମଧ୍ୟରୁ ସଚ୍ଚିତାନନ୍ଦଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଆସନ୍ତା କାଲି ମୃତକଙ୍କ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଥାଉକି ରାଜପଥ କଡରେ ବଡ ବଡ ହୋଡିଂ ଲଗାଯାଇଥିଲେ ମଧ୍ୟ ସେଗୁଡିକର ଯାଞ୍ଚ ଓ ମରାମତି ଅଭାବରୁ ଏଭଳି ଘଟଣା ଘଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

Comments are closed.