ମୋହନା: ରାଜ୍ୟ ସରକାରଙ୍କ ରାଜକୋଷରୁ ହରିଲୁଟ କରି ଚାଲିଛନ୍ତି ସରକାରୀ କର୍ମଚାରୀ। ଏଭଳି ଏକ ଦୁର୍ନୀତି ତଥା ସରକାରୀ ଅବହେଳାର ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲା ମୋହନା ବ୍ଲକରେ। ଯାହାକି ସରକାରୀ ବାବୁମାନଙ୍କ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦେଶ କରିଛି। ମୋହନା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଜଣେ ସ୍କୁଲ ଶିକ୍ଷକ ୨ଟି ପେନସନ ନେଉଥିବା ନଜରକୁ ଆସିଛି। ୨୦୧୦ ମସିହାରୁ ବର୍ତ୍ତମାନ ସୁଦ୍ଧା ୧୫ ବର୍ଷ ହେଲା ଶିକ୍ଷକ ଜଣକ ୨ଟି ପେନସନ ହାତେଇଛନ୍ତି। ଏହା କିପରି କେହି ଜାଣି ପାରିଲେନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଘଟଣାର ତଦନ୍ତ ପାଇଁ ରାଜ୍ୟ କୋଷlଗାର ତଥା ହିସାବ ରକ୍ଷକ ଭବନରୁ ପତ୍ର ସଂଖ୍ୟା ୧୨୧୩୧/ ତାରିଖ ୨୦/୧୧/୨୦୨୫ରେ ମୋହନା ବ୍ଲକ ଶିକ୍ଷାଧିକାରୀ ଓ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସୂଚନା ମୁତାବକ ୨୦୧୦ ମସିହାରୁ ଅବସର ନେଇଥିବା
ରାଜ୍ୟରେ ୩୨ ଜଣ ଶିକ୍ଷକ ସରକାରଙ୍କ ଠାରୁ ଦୁଇଟି ଲେଖାଏଁ ପେନସନ ପାଉଥିବା ନଜରକୁ ଆସିଛି। ସେଥିମଧ୍ୟରୁ ଗଜପତି ଜିଲାରୁ ଜଣେ ଶିକ୍ଷକ ରହିଛନ୍ତି। ରାଧାକୃଷ୍ଣ ଆଚାର୍ଯ୍ୟ ନାମରେ ଏହି ଶିକ୍ଷକ ଗଜପତି ଜିଲା ମୋହନା ବ୍ଲକ ବେତାରସିଂ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ୨୦୧୦ ମସିହା ସେପ୍ଟେମ୍ବର ୩୦ରେ ଅବସର ନେଇଥିଲେ। ଏହାପରେ ତତ୍କାଳୀନ ବିଡ଼ିଓଙ୍କ ସୁପାରିସ ପତ୍ର ୩୧୧ କ୍ରମେ ୧୪/୨/୨୦୧୧ରୁ ତାଙ୍କର ପେନସନ ଲାଗୁ ହୋଇଥିଲା। ଏହାପରେ ସେହି ଶିକ୍ଷକଙ୍କ ନାମରେ ପୁଣି ୨୦୧୨ ମସିହା ଏପ୍ରିଲ ୧୨ରେ ତତ୍କାଳୀନ ମୋହନା ବିଡ଼ିଓଙ୍କ ସୁପାରିସ ପତ୍ର ସଂଖ୍ୟା ୯୪୧ରେ ପେନସନ ପ୍ରଦାନ ପାଇଁ ଉଲ୍ଲେଖ ରହିଛି। ସବୁ ଜାଣିଶୁଣି ଶିକ୍ଷକ ଜଣକ ଦୁଇଟି ପେନସନ ହାତେଇ ନିରବ ରହିଛନ୍ତି। ୧୫ ବର୍ଷ ପରେ ଏହା ପଦାରେ ପଡିଛି। ଯାହାକୁ ବ୍ଲକ ଶିକ୍ଷା ଅଧିକାରୀ ଓ ବିଡ଼ିଓଙ୍କୁ ତଦନ୍ତ ପାଇଁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛି ରାଜ୍ୟ କୋଷାଗାର କର୍ତ୍ତୃପକ୍ଷ। କିପରି ଜଣେ ବ୍ୟକ୍ତି ଦୁଇଟି ପେନସନ ପାଉଛନ୍ତି, କିପରି ତତ୍କାଳୀନ ସରକାର ଜାଣି ପାରିଲେନି ନା ସେହି ସମୟରେ ଥିବା ବିଡ଼ିଓ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଜାଣତରେ ଏଭଳି ଘଟଣା ହୋଇଛି ତାହା ତଦନ୍ତ ସାପେକ୍ଷ।
ତାଙ୍କ ଅଜାଣତରେ ପେନସନ ଟଙ୍କା ଆସୁଥିଲା। ବର୍ତ୍ତମାନ ଖବର ଯଦି ପଦାକୁ ଆସିଛି ମୋ ପେନସନରୁ ଟଙ୍କା ସରକାର କାଟି ଦିଅନ୍ତୁ ବୋଲି ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟଙ୍କୁ ପଚାରିବାରୁ କହିଛନ୍ତି। ଶିକ୍ଷକ ଜଣକ ୨ଟି ପେନସନ ପାଉଥିବା ମୋହନା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ସ୍ବୀକାର କରିଛନ୍ତି। ସେ କିଭଳି ଦୁଇଟି ପେନସନ ପାଉଛନ୍ତି ତାହାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।
Comments are closed.